ଗଞ୍ଜାମ : ସକାଳେ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ ସାରି ଫେରୁଥିବା ସମୟରେ ଗାଁ ଲୋକଙ୍କ ଅକ୍ରୋଶର ଶୀକାର ହୋଇଛନ୍ତି । ଗାଁ ଲୋକମାନେ ଅବକାରୀ ବିଭାଗର ଏକ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବିକାଶପୁର ଅଞ୍ଚଳରେ । ଘଟଣା ମୁତାବକ ଦିଗପହଣ୍ଡି ଥାନା ଅଧୀନ ବାଣିଆମାରି ପାଖରେ ଥିବା ଜଙ୍ଗଲରେ ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ଷ୍ଟ୍ରାଇକିଂ ଫୋର୍ସ ଓ ବ୍ରହ୍ମପୁର ଅବକାରୀ ବିଭାଗର ଏକ ମିଳିତ ଟିମ୍ ଦୁଇଟି ଗାଡ଼ିରେ ଏହି ପାହାଡ଼ିଆ ଅଞ୍ଚଳରେ ଥିବା ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲେ । ବ୍ରହ୍ମପୁର ଅବକାରୀ ନିରୀକ୍ଷକ ଏ. ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା ।
ସେଠାରେ ଗୁଡମିଶ୍ରିତ ରନ୍ଧା ପୋଚ ନଷ୍ଟକରି ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମଗୁଡିକ ଜବତ କରି ଅବକାରୀ କର୍ମଚାରୀମାନେ ଫେରୁଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୫୦ ଜଣରୁ ଅଧିକ ଯୁବକ ଆକ୍ରୋଶ ମନୋଭାବ ରଖି ଖଣ୍ଡା, ଠେଙ୍ଗା, ବାଡ଼ି ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ଅବକାରୀ ବିଭାଗ କର୍ମଚାରୀମାନେ ଗୋଟିଏ ଗାଡ଼ିରେ ଫେରି ଆସିଥିଲେ । ଅନ୍ୟ ଗାଡ଼ିଟିକୁ ଗାଁ ଲୋକମାନେ ଘେରାଉ କରି ରଖିଥିଲେ । କିନ୍ତୁ ଗାଡ଼ି ଚାଳକ ନାଗଭୂଷଣ ରେଡ୍ଡୀଙ୍କର କୈାଣସି କ୍ଷୟକ୍ଷତି କରିନଥିଲେ । ଅଟକାଇ ରଖିଥିବା ଗାଡ଼ିଟିକୁ ଗାଁ ଲୋକମାନେ ଭଙ୍ଗାରୁଜା କରିଥିଲେ । ଏହି ଘଟଣାପରେ ବ୍ରହ୍ମପୁର ଅବକାରୀ ନିରୀକ୍ଷକ ମିହିର କୁମାର ସେଠୀ ଓ ଉପନିରୀକ୍ଷକ ଅଭିରାମ ସାହୁଙ୍କ ସହ ଅନ୍ୟ କର୍ମଚାରୀମାନେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତିକରି ଥାନାରେ ୩୪୦/୨୧ ନମ୍ବର ମାମଲା ମକଦ୍ଦମା ରୁଜୁ କରାଯାଇଛି । ଅପରାହ୍ଣରେ ଥାନାଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛି ।
