କୋରାପୁଟ : ପର୍ଯ୍ୟଟନ ବିଭାଗ ନିର୍ଦେଶକଙ୍କ କଥା ଶୁଣୁନି ଠିକା ସଂସ୍ଥା । ଯେଉଁ ଆଶା ନେଇ କୋରାପୁଟରେ ଇକୋ ରିଟ୍ରିଟର ପରିକଳ୍ପନା କରାଯାଇଥିଲା ତାହା ଫସର ଫାଟିଛି । ପର୍ଯ୍ୟଟନର ଗନ୍ତାଘର କୋରାପୁଟକୁ ଚଳିତବର୍ଷ ପର୍ଯ୍ୟଟକଙ୍କ ଆଗମନ ପ୍ରାୟ ୧୦ଗୁଣା ବଢ଼ିଥିଲେ ମଧ୍ୟ ଇକୋ ରିଟ୍ରିଟ ମାଧ୍ୟମରେ କୋରାପୁଟର ଚିତ୍ରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ଯେଉଁ ସ୍ବପ୍ନ ଦେଖିଥିଲା ସେଥିରେ କଣ୍ଟା ସାଜିଛି ସମ୍ପୃକ୍ତ ଠିକା ସଂସ୍ଥା । ଦେଓମାଳି ପାଦଦେଶରେ ସୌନ୍ଦର୍ଯ୍ୟଭରା ପରିବେଶରେ ଖୋଲିଥିବା ପୁଟସିଲ ଇକୋ ରିଟ୍ରିଟ ଏବେ ଅତିଥି ଖୋଜୁଛି । କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଦୁଧାରୀ ପଞ୍ଚାୟତ ଅନ୍ତର୍ଗତ ପୁଟସିଲ ଇକୋ ରିଟ୍ରିଟରେ ୨୭ ଟି କୁଟୀର ସ୍ଥାପନ କରାଯାଇଛି । ଏହା ୯୦ ଦିନ ପର୍ଯ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ଭାବେ ନିର୍ମିତ ଏହି କୁଟୀରରେ ପର୍ଯ୍ୟଟକଙ୍କୁ ତିନିତାରକା ହୋଟେଲ ଭଳି ସୁବିଧା ମିଳିବ ବୋଲି ଆଶା କରାଯାଉଥିଲା । ପର୍ଯ୍ୟଟକଙ୍କ ପାଇଁ କ୍ରୀଡ଼ା ସହ ପାରା ମୋଟର, ପାହାଡ଼ ଟ୍ରାକିଂ ନିମନ୍ତେ ଇ-ବାଇସାଇକଲ, ଧନୁ ତୀର, ଗନ ସୁଟିଂର ବ୍ୟବସ୍ଥା ସାଙ୍ଗକୁ ସନ୍ଧ୍ୟାରେ ଦେଶିଆ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଡିସେମ୍ବର ୮ ତାରିଖରେ ପରିବର୍ତ୍ତେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହାକୁ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ୧୬ ଓ ୧୯ ତାରିଖ ପାଇଁ ଏହି କୁଟୀର ନିମନ୍ତେ ଅଗ୍ରୀମ ଦେଇଥିବା ପର୍ଯ୍ୟଟକ କୁଆଡ଼େ ବୁକିଂ ବାତିଲ କରିଦେଇଛନ୍ତି, ଯାହା ପର୍ଯ୍ୟଟନ ବିଭାଗର ଚିନ୍ତା ବଢ଼ାଇଥିଲା । ଖୋଦ ନିର୍ଦେଶକ ମଧ୍ୟ ଚିଠି କରି ଚରମବାଣୀ ଶୁଣାଇଥିଲେ । ତଥାପି କୁଟୀରରୁ ତାଲା ନ ଖୋଲିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଫାଟକ ବାହାରେ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଉକ୍ତ ସ୍ଥାନକୁ ପହଞ୍ଚିବା ପାଇଁ ଥିବା ରାସ୍ତାର ଅନେକ ସ୍ଥାନରେ ଖାଲଖମା ଥିବାବେଳେ ପ୍ରାୟ ଏକ କିମି ରାସ୍ତାରେ ପିଚୁ ପଡ଼ି ନ ଥିବାରୁ ଧୂଳି ଧୂଆଁରେ ନାକ, କାନ ଭର୍ତ୍ତି ହୋଇଯାଉଛି । ପୁଟସିଲର ନଁ। ଶୁଣି ସେଠାକୁ ଯାଉଥିବା ପର୍ଯ୍ୟଟକ ଦ୍ବିତୀୟଥର ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ୯୦ ଦିନ ମଧ୍ୟରୁ ୨୦ ଦିନ ବିତିଗଲାଣି, ତଥାପି ଫାଟକରୁ ତାଲା ଖୋଲୁନି । ଅବଶ୍ୟ ଇକୋ ରିଟ୍ରିଟ ଘୋଷଣା ପରେ ଏହି ସ୍ଥାନ ଏବେ ବଣଭୋଜିର ପ୍ରକୃଷ୍ଟ ସ୍ଥାନ ପାଲଟିଛି । ଦୈନିକ ଶହଶହ ଯାନବାହାନ ଏହି ପାହାଡ଼ ମୁହଁ। ହେଉଛି । ପାହାଡ଼ ସାରା ଗାଡ଼ି ଓ ଲୋକ ଭର୍ତ୍ତି । ରବିବାର ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି । କିନ୍ତୁ ଏହି ସ୍ଥାନରୁ ଟଙ୍କାଟିଏ ରାଜସ୍ବ ସଂଗ୍ରହ କରିପାରିନି ପର୍ଯ୍ୟଟନ ବିଭାଗ । ସବୁ ବ୍ୟବସ୍ଥା ଥିଲେ ମଧ୍ୟ ପୁଟସିଲ ଅତିଥି ଖୋଜିବା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଛି । ଗୁରୁତ୍ବପୂର୍ଣ୍ଣ କଥା କୁଆଡ଼େ ଉକ୍ତ ଠିକା ସଂସ୍ଥା କେବଳ ପର୍ଯ୍ୟଟନ ନିର୍ଦେଶକଙ୍କ ନିର୍ଦେଶକୁ ଅବମାନନା କରିନି ବରଂ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେଇ ନ ଥିବାରୁ ସମସ୍ତଙ୍କ ଭିତରେ ଅସନ୍ତୋଷ କୁହୁଳୁଥିବା ଜଣାଯାଇଛି । ପର୍ଯ୍ୟଟନ ନିର୍ଦେଶକଙ୍କ କଡ଼ା ତାଗିଦା ସତ୍ତ୍ବେ ନୀରବ ଏହି ଠିକା ସଂସ୍ଥା ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି, କିଏ ଏହି ସଂସ୍ଥାକୁ ଘଣ୍ଟ ଘୋଡ଼ାଉଛି ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି । ଏହି ଠିକା ସଂସ୍ଥାକୁ ଅନୁକମ୍ପା ଦେଖାଇ କାର୍ଯ୍ୟାଦେଶ ଦିଆଯାଇଥିବା ଅଭିଯୋଗ ହେଉଥିବା ଯୋଗୁଁ ଏହାର ବିଧିବଦ୍ଧ ତଦନ୍ତ କରାଯିବାର ଆବଶ୍ୟକତା ରହିଛି । ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଡିସେମ୍ବର ୧୫ ତାରିଖରେ ଠିକା ସଂସ୍ଥାକୁ ଚିଠି କରି ୭୨ ଘଣ୍ଟା ଭିତରେ ଏହାକୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିବା ପାଇଁ ଚରମବାଣୀ ଶୁଣାଇଥିଲେ । ଏଥିରେ ଖିଲାପ ହେଲେ ଚୁକ୍ତି ଅନୁଯାୟୀ ଆଦେଶ ଅବମାନନା ଭାବେ ବିବେଚନା କରାଯିବ ଓ ସମ୍ପୃକ୍ତ ସଂସ୍ଥା ବିରୋଧରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶକ ଚିଠିରେ ଜଣାଇଥିଲେ । ଏପରିକି ଚୁକ୍ତି ଉପରେ ପୁନର୍ବିଚାର କରାଯିବ ବୋଲି ମଧ୍ୟ ଚରମବାଣୀ ଶୁଣାଇଥିଲେ । ଏସବୁ ସତ୍ତ୍ବେ ଚିଠିର ୨୦ ଦିନ ପରେ ମଧ୍ୟ ଠିକା ସଂସ୍ଥା ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିପାରିନାହିଁ । ତଥାପି କାର୍ଯ୍ୟାନୁଷ୍ଠାନ ଅଭାବରୁ ସଂସ୍ଥାକୁ ପରୋକ୍ଷ ଆର୍ଶୀବାଦ ରହିଥିବା ଚର୍ଚ୍ଚା ହେଉଛି । ଗୁରୁତ୍ବପୂର୍ଣ୍ଣ କଥା କେତେ ପର୍ଯ୍ୟଟକ ଅଗ୍ରୀମ ବୁକିଂ କରିଥିଲେ, କେତେଜଣ ଅଗ୍ରୀମ ଫେରାଇ ନେଇଛନ୍ତି, କେବେ ଫାଟକରୁ ତାଲା ଖୋଲିବ ସେ ନେଇ କେହି ସ୍ପଷ୍ଟ ଭାବେ କହିପାରୁନାହାନ୍ତି । ଏ ନେଇ ପର୍ଯ୍ୟଟନ ଅଧିକାରୀ କହନ୍ତି, ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଯାଞ୍ଚ ପରେ ରିପୋର୍ଟ ଦିଆଯିବ । ସର୍ବଦା ନିଜର ପ୍ରକୃତି ଓ ପରିବେଶକୁ ନେଇ ଗର୍ବିତ କୋରାପୁଟ ଅନେକ ପର୍ଯ୍ୟଟକଙ୍କୁ ନିଜ କୋଳକୁ ଟାଣି ରେକର୍ଡ ସୃଷ୍ଟି କରିଥିବାବେଳେ ଏକ ଠିକା ସଂସ୍ଥାର ଅବହେଳାରୁ ଏହି ଇକୋ ରିଟ୍ରିଟ ଆଜି ଅତିଥିଙ୍କ ଅପେକ୍ଷାରେ ।
