ଭୁବନେଶ୍ୱର : ଦେଶରେ ୩୫୧ ନଦୀର ଜଳ ପ୍ରଦୂଷିତ ହୋଇଥିବାବେଳେ ସେଥିମଧ୍ୟରେ ଓଡ଼ିଶାର ୧୯ ଟି ନଦୀ ରହିଛି । ବିଶେଷକରି ସହରାଞ୍ଚଳରୁ ପ୍ରତିଦିନ ନିର୍ଗତ ହେଉଥିବା ବର୍ଜ୍ୟ ଜଳ ଯୋଗୁଁ ନଦୀଜଳ ପ୍ରଦୂଷିତ ହୋଇ ବିଷାକ୍ତ ପାଲଟୁଛି । ଯେଉଁଥିପାଇଁ ଅଧିକାଂଶ ସମୟରେ ଲୋକେ ଚର୍ମରୋଗ ଓ ଜଳବାହିତ ରୋଗର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ କେତେକ ଅଭିଯୋଗକୁ ଆଧାର କରି ଜାତୀୟ ସବୁଜ ପ୍ରାଧିକରଣଙ୍କ ପକ୍ଷରୁ ୨୦୧୮ ରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ତାଗିଦ କରାଯାଉଛି । ହେଲେ ସରକାରୀସ୍ତରରେ ବୈଠକ ପରେ ବୈଠକ ବସୁଥିଲେ ହେଁ ଏହି ସମସ୍ୟାର ସମାଧାନ କରି ନଦୀଜଳକୁ ବିଶୋଧନ କରିବା ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ସମୀକ୍ଷାବେଳେ ଟେଷ୍ଟିଂ ମିଟର ଲଗାଯାଇ ଜଳର ବିଶୁଦ୍ଧତା ଦର୍ଶାଯାଉଥିବାବେଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକ କାଗଜପତ୍ରରେ ସୀମିତ ରହିଯାଉଛି । ହେଲେ ସୁଧୁରୁନି ନଦୀର ବିଷାକ୍ତ ଜଳ ସ୍ଥିତି । ଏହାକୁ ନେଇ ଆସନ୍ତା ୧୦ ତାରିଖରେ ପୁନର୍ବାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ବିଶ୍ବସ୍ତ ସୁତ୍ରରୁ ଜଣାଯାଇଛି । ସରକାରୀ ତଥ୍ୟ କହୁଛି ପ୍ରତିଦିନ ୩୦୨ ନିୟୁତ ଟନ୍ ବର୍ଜ୍ୟ ନଦୀଜଳରେ ମିଶୁଥିବାରୁ ୬ ଟି ସହର ନିକଟସ୍ଥ ନଦୀ ଜଳର ବାୟୋ ଅକ୍ସିଜେନ ଡିମାଣ୍ଡ (ବିଓଡି) ବଢ଼ି ଯାଉଛି । ଯେଉଁଥିପାଇଁ ନଦୀ ଜଳ ବିଷାକ୍ତ ପାଲଟୁଛି । ଏହାର ସମାଧାନ ଲାଗି ସରକାରଙ୍କ ପକ୍ଷରୁ ୧୦ ଟି ବର୍ଜ୍ୟବିଶୋଧନ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ରହିଥିଲା । ଯେଉଁଥିରେ ଭୁବନେଶ୍ବର, କଟକ, ବ୍ରହ୍ମପୁର ଭଳି ୬ ଟି ବଡ ସହରର ବର୍ଜ୍ୟକୁ ବିଶୋଧନ କରିବା ପାଇଁ ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା । ଏହା ବାଦ୍ ଅନ୍ୟ ସ୍ଥାନଗୁଡିକରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟମ ଓ ଛୋଟ ଧରଣର ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ ନିର୍ମାଣ ହେବାକୁ ରହିଥିଲା । ହେଲେ ସେସବୁ ଏପର୍ଯ୍ୟନ୍ତ ପ୍ରକ୍ରିୟା ଭିତରେ ରହିଛି ।ଅନ୍ୟପକ୍ଷରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ କହୁଛି ଯେ ୨୦୧୫ ରେ ଓଡ଼ିଶାରେ ୧୨୭୩ ନିୟୁତ୍ ଟନ୍ ବର୍ଜ୍ୟ ପ୍ରତିଦିନ ୧୯ ଟି ନଦୀଜଳରେ ମିଶୁଛି, ଯେଉଁଥିରେ ଗ୍ରାମାଞ୍ଚଳର ବର୍ଜ୍ୟ ୪୨୦୦ ନିୟୁତ୍ ଟନ୍ ରହିଛି । ହେଲେ ବାସ୍ତବରେ କେତେ ବର୍ଜ୍ୟ ୧୯ ଟି ନଦୀରେ କେଉଁ ସ୍ଥାନରେ ମିଶୁଛି ସେ ନେଇ ବିବରଣୀ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ, ଜଳସମ୍ପଦ, ନଗର ଉନ୍ନୟନ, ମତ୍ସ୍ୟ ଓ ପଶୁସମ୍ପଦ, ଶିଳ୍ପ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନେଇ ଏକ ସମନ୍ବୟ କମିଟି ଗଠନ କରାଯାଇଛି । ଉକ୍ତ କମିଟି ରାଜ୍ୟର ନଦୀଜଳର ପରୀକ୍ଷା କରି ବିଓଡ଼ି ହ୍ରାସ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ସଂପୃକ୍ତ ବିଭାଗଗୁଡିକ ଏଦିଗରେ ଠୋସ୍ ପଦକ୍ଷେପ ନେଇ ନାହାନ୍ତି । ଯାହାକୁ ନେଇ ଆସନ୍ତା ୧୦ ତାରିଖରେ ପୁନର୍ବାର ଏକ ବୈଠକ ଆହୂତ ହେବ । ଜଳସମ୍ପଦ ବିଭାଗ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ଏହିସବୁ ବିଭାଗକୁ ପତ୍ର ଲେଖି ଅନୁରୋଧ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
