ରାସ୍ତାକଡ଼​‌ରେ କଟୁଛି ନିରାଶ୍ରୟଙ୍କ ରାତି ; ନଜର ଦେଉନି ପୌରସଂସ୍ଥା, କାର୍ଯ୍ୟକ୍ଷମ ହେଉନି ଆଶ୍ରୟକୋଠା

ଗୁଣପୁର ସହରକୁ ପ୍ରତ୍ୟେକ ଦିନ ସରକାରୀ ଓ ବେସରକାରୀ କାମରେ ଶତାଧିକ ଲୋକ ଯାତାୟାତ କରୁଛନ୍ତି । ଏପରିକି ରାତ୍ର ଟ୍ରେନ୍‌ ଓ ବସରେ ଯାତ୍ରୀ ଓହ୍ଲାଉଛନ୍ତି । ଏହି ଯାତ୍ରୀମାନଙ୍କୁ ମଧ୍ୟ ରାତ୍ରରେ ଗରୀବ ଲୋକମାନେ ନିଜ ଘରକୁ ଯିବାକୁ ଅଟୋ କି ବସ ସୁବିଧା ନଥିବାରୁ ରାସ୍ତାକଡରେ ଶୋଉଛନ୍ତି । ଏହି ଯାତ୍ରୀମାନେ ବର୍ଷା, ଶୀତ କାଳରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ସେହିଭଳି ଦୁର୍ଗମ ଗ୍ରାମାଞ୍ଚଳରୁ ଆସୁଥିବା ଗରୀବ ଲୋକମାନେ ବିଭିନ୍ନ କାମ ଯଥା ସ୍କୁଲ, କଲେଜରେ ନାମଲେଖା, ତହସିଲ, ବ୍ଲକ କାର୍ଯ୍ୟାଳୟ, କ୍ଷୁଦ୍ର ଚାଷୀ ନିଡର କୃଷି ଉତ୍ପାଦିତ ସାମଗ୍ରୀ ବିକ୍ରୟ ଇତ୍ୟାଦି କାମରେ ସହରକୁ ଆସୁଛନ୍ତି । ବସଷ୍ଟାଣ୍ଡ ଓ ରେଳଷ୍ଟେସନ ବାରଣ୍ଡାରେ ଚୋରୀ ବହୁଳ ପରିମାଣରେ ହେଉଥିବା ନଜିର ରହିଛି । ଏଭଳି ପ୍ରତିଦିନ ନିରାଶ୍ରୟ ଲୋକ ଗାଈଗୋରୁ ଭଳି ଅସହାୟ ଅବସ୍ଥାରେ ରାସ୍ତାକଡରେ ପଡି ରହୁଛନ୍ତି । ଅନ୍ୟପକ୍ଷରେ ବିଶେଷ କରି ମହିଳାମାନଙ୍କ ସମସ୍ୟା କହିଲେ ନସରେ । ଏମାନେ ରାସ୍ତାରେ ଶୋଇଲେ ଅନ୍ୟ ପରିବାର ଅନ୍ୟ ଲୋକ ରାତ୍ର ତମାମ ଉଜାଗର ରହି ଜଗିଥାନ୍ତି । ସେହିଭଳି ରାତ୍ରକାଳୀନ ବସ ଓ ଟ୍ରେନରେ ଆସୁଥିବା ଅସହାୟ ଲୋକଙ୍କ ମଧ୍ୟ ଅନେକ ସମସ୍ୟା ହେଉଛି । ଏଭଳି ଦୁର୍ଦ୍ଦଶା ପ୍ରତି ପୌରସଂସ୍ଥା ନିରବତା ପଛରେ ରହସ୍ୟ କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନୂତନ ବସଷ୍ଟାଣ୍ଡ ପଛରେ ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ଆଶ୍ରୟସ୍ଥଳୀ ଗତ ୨୦୧୯ରେ କାମ ଶେଷ ହୋଇଛି । କିନ୍ତୁ ଅସହାୟ ଲୋକ ରହଣୀ ନମନ୍ତେ ଖଟ, ବେଡସିଟ୍‍ ଇତ୍ୟାଦି ଆବଶ୍ୟକୀୟ ସାମଗ୍ରୀ ନଥିବାରୁ ଏହି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଥି ନିମନ୍ତେ ପୌରସଂସ୍ଥା ନିକଟରେ ଆବଶ୍ୟକୀୟ ଅନୁଦାନ ଥାଇ ମଧ୍ୟ ଏଥିପ୍ରତି ନଜର ନଦେବା ପରିତାପର ବିଷୟ ଅଟେ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ନିମନ୍ତେ ପୂର୍ବତନ ପୌରସଂସ୍ଥାର କାର୍ଯ୍ୟନିର୍ବାହି ଅଧିକାରୀ ଉମା ଦାସ ରାୟଗଡା ଜିଲାପାଳଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ଏଥି ମଧ୍ୟରେ ଶ୍ରୀଦାଶଙ୍କୁ ଅନ୍ୟତ୍ର ବଦଳି ହୋଇଯିବାରୁ ଏହାର ଅଗ୍ରଗତି ହୋଇପାରିନାହିଁ । ନୂତନ ଭାବେ ଡ.ସ୍ୱର୍ଣ୍ଣ ରାଉତ ଗତ କିଛି ଦିନ ହେଲା କାର୍ଯ୍ୟରେ ଯୋଗଦେଇଛନ୍ତି । ଉକ୍ତ ମହିଳା ଅଧିକାରୀଜଣକ କାଶୀନଗର ଏନଏସିରେ କାର୍ଯ୍ୟରତ ଥିବା ସମୟରେ ବହୁ ଜନହିତକର କାର୍ଯ୍ୟ କରିଥିବା ନଜର ରହିଛି । ତେଣୁ ଏହି ଅସହାୟ ଲୋକଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳକୁ କାର୍ଯ୍ୟକ୍ଷମ କରିବା ଦିଗରେ ଦୃଷ୍ଟି ଦେବେ ବୋଲି ସହରବାସୀ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *