ଭାରୀଯାନ ଧକ୍କା ରେ ବାଇକ୍ ଆରୋହୀ ମୃତ

ବଣାଇ : ବଣାଇଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ରୁ କୋଇଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୧୦(କ) କଲେଇପୋଷ ଗ୍ରାମର ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ଦଶ ଚକିଆ ଭାରୀଯାନ ସହିତ
ବାଇକ୍ ର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଏକ ହାଇୱା OD 14V-7716 ଖଣିଜ ପଦାର୍ଥ ବହନ କରି ଯାଉଥିବା ସମୟରେ କଲେଇପୋଷ ଗ୍ରାମ ନିକଟରେ ବାଇକ୍ କୁ ସମ୍ମୁଖରୁ ଧକ୍କା ଦେବାରୁ ବାଇକ୍ ଆରୋହୀ ଗାଡ଼ିରୁ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଫଳରେ କଂକ୍ରିଟରେ ବାଡ଼େଇ ହୋଇ ମୁଣ୍ଡ ଫାଟି ଯାଇ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ନିକଟସ୍ଥ ଵାସୁଵାହାଲ ଗ୍ରାମର ସୂରଜ ଯାଦବ ବୋଲି ଜଣାପଡିଛି । ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟ ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଥିବା ବେଳେ, ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣାପଡିଛି । ଆଜି ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *