ଗଜପତି : ଏହା ଏକ ଅଫିସ । ଆଉ ଚେୟାରରେ ବସିଥିବା ଏହି ବାବୁ ଜଣଙ୍କ ହେଉଛନ୍ତି ଆଦିବାସୀ ଅଧ୍ୟୁସିତ ଗୁମ୍ମା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆକାଉଣ୍ଟ ମ୍ୟାନେଜର ଗଙ୍ଗାଧର ଆଚାର୍ଯ୍ୟ । ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ବାର୍ ରେ ପରିଣତ କରିଛନ୍ତି ଏହି ବାବୁ ଜଣଙ୍କ । ଅଫିସ ଭିତରେ ମଦ୍ୟପାନ କରୁଛନ୍ତି । ଆଉ ଲୋକଙ୍କୁ ଦୁର୍ବ୍ୟବହାର କରୁଛନ୍ତି ।
ଆଉ ଏହି ଘଟଣା ଥରେ ନୁହେଁ । ଅଭିଯୋଗ ପରେ ବି ଏପରି ବାରମ୍ବାର କରୁଛନ୍ତି ଏହି ଆକାଉଣ୍ଟ ମ୍ୟାନେଜର । ଅଭିଯୋଗ ପରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସଂପୃକ୍ତ ଆକାଉଣ୍ଟ ମ୍ୟାନେଜରଙ୍କୁ ଡାକି ତାଗିଦ୍ ମଧ୍ୟ କରିଥିଲେ । ହେଲେ ବାବୁ ସୁଧୁରିବାକୁ ନାରାଜ । କୌଣସି ପରିବର୍ତ୍ତନ ହେବା ବଦଳରେ ସେ ଆହୁରି ମଦ୍ୟପାନ ଜାରି ରଖିବା ସହ ନିଜ କାର୍ଯ୍ୟ।ଳୟ ପ୍ରକୋଷ୍ଠରେ ବସି ମଦ୍ୟପାନ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଆସୁଥିଲେ ।
ଆଉ ଏବେ ବାବୁଙ୍କର ଖୋଲା ଖୋଲି ଭାବେ ନିଜ ଟେବୁଲ୍ ଉପରେ ମଦ ବୋତଲ ରଖି ପିଉଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଆଉ ଏହା ଜାଣିବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଚିନ୍ମୟ ବିଶ୍ୱାଳ ସଂପୃକ୍ତ ଆକାଉଣ୍ଟ ମ୍ୟାନେଜର ଗଙ୍ଗାଧର ଆଚାର୍ଯ୍ୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୩ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସଂପୃକ୍ତ ଆକାଉଣ୍ଟ ମ୍ୟାନେଜରଙ୍କ ବିରୁଦ୍ଧରେ ଯାହା ଅଭିଯୋଗ ଆସିଛି ତାହାର ତଦନ୍ତ କରାଯାଉଛି ବୋଲି କହିଛନ୍ତି । କିନ୍ତୁ ଏ ସଂପର୍କରେ ସେ ଗଣମାଧ୍ୟମକୁ କିଛି କହିବାକୁ ସିଧାସଳଖ ମନା କରିଦେଇଛନ୍ତି ।
