ନବରଙ୍ଗପୁର : ଦେଶ ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ବଣ ଜଙ୍ଗଲ ଭିତରେ ଦୁସ୍ଥ ଜୀବନ ବିତାଉଛନ୍ତି ଆଦିମ ଅଧିବାସୀ। ଗାଁ ବସ୍ତିକୁ ନା’ ଅଛି ଭଲ ରାସ୍ତା ନା’ ଅଛି ପାନୀୟ ଜଳ । ଗାଁ ରେ ଭଲ ରାସ୍ତା ଖଣ୍ଡିଏ ନାହିଁ । ଖରା ଦିନେ ରାସ୍ତାରେ ଚଲା ଵୁଲା କରୁଥିବା ବେଳେ ବର୍ଷା ଦିନେ କାଦୁଅ ପଚ୍ ପଚ୍ ରାସ୍ତା । ଗାଁ ରେ ବର୍ଷା ଦିନ ହେଲେ ୧୦୮ ଆମ୍ବୁଲାନ୍ସ ଗାଡି ପହଞ୍ଚି ପାରୁନଥିବା ବେଳେ ଦୁଇଚକକିଆ ଯାନବାହାନ ମଧ୍ୟ ଯାତାୟାତ କରିବା କାଠିକର ପାଠ ହୋଇଯାଇଛି । ଵର୍ଷା ଦିନରେ ଏଠାକାର ରୋଗୀ ଓ ଗର୍ଭବତୀ ଡାକ୍ତରଖାନା ଯିବା ଅସମ୍ଭବ ହୋଇ ପଡିଥିବା ବେଳେ ଖଟିଆକୁ ହିଁ ଭରଷା କରିଥାନ୍ତି । ଡାକ୍ତର ଵଦଳରେ ଭଗବାନଙ୍କ ଭରଷାରେ ବଞ୍ଚିଛନ୍ତି ଗ୍ରାମବାସୀ । ଏମିତି ଏକ ଗାଁ ହେଉଛି ପାପଡାହାଣ୍ଡି ବ୍ଲକର ଗାଦଵାକତରା ପଞ୍ଚାୟତ ଅଧିନସ୍ଥ ରଙ୍ଗମାଟିଗୁଡା ଗାଁ ।
ଏହି ଗାଁରେ ୫୦ ପରିବାର ଵସବାସ କରୁଥିବା ବେଳେ ୨୫୦ ରୁ ଉର୍ଦ୍ଧ୍ବ ଲୋକେ ରହୁଛନ୍ତି । ଵିଡମ୍ଵନାର ବିଷୟ ସଂରକ୍ଷିତ ଜଙ୍ଗଲ ଘେରା ଭିତରେ ଜନବସତି ପ୍ରାୟ ୨୫ ବର୍ଷ ହେଲା ଗଢି ଉଠିଥିଲେ ମଧ୍ୟ ପ୍ରଶାସନ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହୋଇଛି । ଏମିତି କି ଗାଁ ରେ ୧ କି.ମି ଦୂରରେ ଏକ ଜମି ଭିତରେ ଥିବା ଏକ ନାଳରୁ ଦୂଷିତ ପାଣି ସଂଗ୍ରହ କରି ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି । ଗ୍ରାମରେ ଦୂଇଟି ନଳକୂପ ଯୋଗାଇଦେଇଥିଲେ ମଧ୍ୟ ଦୁଇଟି ନଳକୂପରୁ ପାଣି ବାହାରୁ ନଥିବ।ବେଳେ ଅଚଳ ହୋଇ ପଡିରହିଛି । ପଞ୍ଚାୟତରେ ୨ ବର୍ଷ ହେଲା ଗୋଟିଏ ନୂତନ ନଳକୂପ ମଞ୍ଜୁର ହୋଇଥିଲେ ସୁଦ୍ଧା ଯୋଗାଇ ଦିଆଯାଉ ନାହିଁ । ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀମ।ନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଦୀର୍ଘଦିନ ହେଲା ଦୂଷିତ ନାଳ ପାଣି ପିଇ ଗ୍ରାମବାସୀମାନେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗାଁରେ ନୂଆ ନଳକୂପ ଦୁଇ ଦିନ ଭିତରେ ଯୋଗାଇ ନଦେଲେ ବ୍ଲକ କାର୍ୟ୍ୟାଳୟ ଓ ଜିଲ।ପାଳଙ୍କ କାର୍ୟ୍ୟାଳୟକୁ ଗ୍ରାମବାସୀମାନେ ଘେର।ଉ କରିବେ ବୋଲି ଗ୍ରାମର ସାଧୁ ମୁଦୁଲି, ଧୋବା ମୁଦୁଲି, ଚୈତନ୍ୟ ମୁଦୁଲି, ଗବର ମୁଦୁଲି, ମେଟା ମୁଦୁଲି, ପଦ୍ମା ମୁଦୁଲି, ଆଶ୍ମତି ମୁଦୁଲି, ଵୃନ୍ଦାଵତି ମୁଦୁଲି, ଲକ୍ଷ୍ମୀ ମୁଦୁଲି ଓ ରମା ମୁଦୁଲି ପ୍ରମୁଖ ଚେତାବନୀ ଦେଇଛନ୍ତି ।
