ବାତ୍ୟା ‘ଅସାନି’ : ସ୍ଥାନାନ୍ତର ହେବେ ୪ ଜିଲ୍ଲାର ୧୫ଟି ବ୍ଲକ୍‌ର ଲୋକ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ରବିବାର ଦିନ ଭୀଷଣ ବାତ୍ୟାରେ ପରିଣତ ହେବା ସହ ଘଣ୍ଟା ପ୍ରତି ପ୍ରାୟ ୧୪ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ସମୁଦ୍ର ଭିତରେ ଘଣ୍ଟାକୁ ୯୦ ରୁ ୧୧୫ କିମି ବେଗରେ ପବନ ବହୁଥିବାରୁ ମଝି ସମୁଦ୍ର ଅଶାନ୍ତ ହେଲାଣି । ପୁରୀର ଦକ୍ଷିଣ ପୂର୍ବ ଦିଗରେ ୯୩୦ କିମି ଦୂରରେ ବାତ୍ୟା ‘ଅସାନି’ ଥିଲେ ହେଁ ୧୦ ତାରିଖ ସଂଧ୍ୟା ବେଳକୁ ସମୁଦ୍ର ମଧ୍ୟରେ ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଛି । ଏହାପରେ ଗତିପଥ ବଦଳାଇ ଉତ୍ତର-ପୂର୍ବ ଦିଗରେ ଯିବା ସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁ ହେବ। ବାତ୍ୟା ସ୍ଥଳଭାଗ ନଛୁଇଁଲେ ବି କିଛି ସମୟ ପାଇଁ ପବନ ଆଶଙ୍କା ଥିବାରୁ ଉପକୂଳ ୪ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି ।

ବାତ୍ୟାର ଗତିପଥ ଦେଖି ରାଜ୍ୟ ସରକାର ୪ଟି ଜିଲ୍ଲାର ୧୫ଟି ବ୍ଲକ ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଏହାସହ ପ୍ରବଳ ବର୍ଷା, ପବନ ହେବାକୁ ଥିବାରୁ ୧୦ ତାରିଖ ଅପରାହ୍ନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଅସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ମାଟି ଘର ଓ କୁଡ଼ିଆ ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ୧୫ ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରି ଯତ୍ନ ନେବାକୁ କୁହାଯାଇଛି । ସୋମବାର ସକାଳ ସୁଦ୍ଧା ୬ଟି ଓଡ୍ରାଫ୍ ଟିମ୍ ପୁରୀ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ, ଗଞ୍ଜାମ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରିବାକୁ କୁହାଯାଇଛି । ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଦ୍ବାରା ତଳିଆ ଅଞ୍ଚଳରେ ଜଳମଗ୍ନ ହେବାର ସମ୍ଭାବନା ଥିବାରୁ ୧୮ଟି ଜିଲ୍ଲାର ଜିଲ୍ଲାପାଳ, ଭୁବନେଶ୍ବର, କଟକ, ବ୍ରହ୍ମପୁର ମହାନଗର ନିଗମର କମିସନରମାନେ ଜଳ ନିଷ୍କାସନ ପାଇଁ ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଛି । ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ନଗର ଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ ବିଭାଗ ସମସ୍ତ କର୍ମଚାରୀ, ମେସିନ୍ ସଜାଗ ରଖିବାକୁ କୁହାଯାଇଛି । ସମସ୍ତ ପଶୁ ଚିକିତ୍ସାଳୟରେ ଆବଶ୍ୟକ ପଶୁ ‌ଔଷଧ ମହଜୁଦ୍‌ ରଖିବେ, ପଶୁ ଆହାର ଯୋଗାଉଥିବା ଯୋଗାଣକାରୀ ସଂସ୍ଥାଙ୍କ ତାଲିକା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରୁ ଫେରାଇ ଅଣାଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି ।

ଇତିମଧ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭିନ୍ନ ଅଞ୍ଚଳରେ ଉତ୍ସର୍ଗୀକୃତ ଦ୍ରୁତ ପ୍ରଶମନ ଟିମ୍‌ ମୁତୟନ କରାଯାଇଛି । ଯେ କୌଣସି ପ୍ରକାର ଜରୁରୀକାଳିନ ସେବା ପାଇଁ ୨୪ ଘଣ୍ଟିଆ କଲ୍‌ସେଣ୍ଟର ଖୋଲାଯାଇଛି ବୋଲି ଏ ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *