ନଭେମ୍ବରରେ ରାଜ୍ୟରେ ଅନୁଭୂତ ହେବ କମ ଶୀତ

ଭୁବନେଶ୍ବର : ଚଳିତ ମାସରେ ରାଜ୍ୟରେ ଶୀତ କମ ଅନୁଭୂତ ହେବ । ବର୍ଷା ସ୍ବାଭାବିକରୁ ଅଧିକ ଏବଂ ଉପକୂଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ନଭେମ୍ବର ପାଇଁ ଜାରି ବିସ୍ତାରିତ ରିପୋର୍ଟରେ ପାଣିପାଗ ବିଭାଗ କହିଛି, ଏହି ମାସରେ ଉତ୍ତର ଭାରତରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ । ଫଳରେ ଉତ୍ତର ଭାରତରୁ ରାଜ୍ୟକୁ ଆସୁଥିବା ଗରମ ପବନ ଦ୍ବାରା ଓଡ଼ିଶାରେ ଶୀତ କମ୍‌ ଅନୁଭୂତ ହୋଇପାରେ । ଅନ୍ୟପଟେ ଦେଶର ଅଧିକାଂଶ ସ୍ଥାନ ସମେତ ଓଡ଼ିଶାରେ ବର୍ଷା ସ୍ବାଭାବିକରୁ ଅଧିକ ହେବାକୁ ଥିବାବେଳେ, ଉପକୂଳବର୍ତ୍ତୀ ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବାର ସମ୍ଭାବନା ରହିଛି । ଜି.ଉଦୟଗିରିରେ ରାଜ୍ୟର ସବୁଠୁ କମ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବା ବେଳେ, କୋରାପୁଟର ୧୫ ଡିଗ୍ରୀ, ଦାରିଙ୍ଗବାଡି ୧୬ଡିଗ୍ରୀ, ସୁବର୍ଣ୍ଣପୁର ୧୬.୬ଡିଗ୍ରୀ, ଫୁଲବାଣୀ ୧୬.୫ଡିଗ୍ରୀ, ସୁନ୍ଦରଗଡ ୧୬ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *