ସ୍ମାର୍ଟସିଟି ଭୁବନେଶ୍ବରରେ ବଢ଼ି ଚାଲିଛି ଆତ୍ମହତ୍ୟା, ସାତ ଦିନରେ ଘଟିଲାଣି ୭ ଆତ୍ମହତ୍ୟା

ଭୁବନେଶ୍ୱର : ବଦଳୁଥିବା ଜୀବନଶୈଳୀ ସହ ବଦଳୁଛି ମାନସିକତା । ଚନ୍ଦ୍ରରେ ଘର କରିବା ହେଉ କି ସମୁଦ୍ର ତଳେ ହୋଟେଲ । ସବୁଥିରେ ଆଜିର ମଣିଷ ଉତ୍ତରୋତ୍ତର ଉନ୍ନତି କରି ଚାଲିଛି । ଏ ସବୁ ପରେ ମଧ୍ୟ ଆତ୍ମହତ୍ୟା କବଳରୁ ବାହାରି ପାରିନାହିଁ ମଣିଷ । ସ୍ମାର୍ଟସିଟି ଭୁବନେଶ୍ବରରେ ବଢ଼ି ଚାଲିଛି ଆତ୍ମହତ୍ୟା । ସେ ପାରିବାରିକ ସମସ୍ୟା ହେଉ କିମ୍ବା ପ୍ରେମରେ ବିଫଳତା ଦୁର୍ବଳ ମାନସିକତା ବାଧ୍ୟ କରୁଛି ଆତ୍ମହତ୍ୟା କରିବାକୁ ।

ଗତକିଛି ଦିନ ହେବ ରାଜଧାନୀରେ ବଢ଼ି ଚାଲିଛି ଆତ୍ମହତ୍ୟା । ଗତ ସପ୍ତାହରେ ହିଁ ୭ ଜଣ ଆତ୍ମହତ୍ୟା କରିଥିବା ସୂଚନା । କ’ଣ ହୋଇପାରେ ଏହାର କାରଣ ? ଆତ୍ମହତ୍ୟା ପଛରେ ସର୍ବାଧିକ କାରଣ ପ୍ରେମ ରହିଥିବା ବେଳେ, ଘରୋଇ କଳି ଏବଂ କର୍ମକ୍ଷେତ୍ରରେ ମାନସିକ ଚାପ ମଧ୍ୟ ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିବାରେ ସବୁଠାରୁ ଆଗରେ ରହିଛନ୍ତି ୧୮ ରୁ ୨୫ ବର୍ଷୀୟ ଯୁବପିଢ଼ି । ପ୍ରେମ, ପଢ଼ାରେ ଚାପ ସହ ଘରେ ଶୁଣିଥିବା ଗାଳି ଏମାନଙ୍କର ଆତ୍ମହତ୍ୟା କରିବାର ପ୍ରମୁଖ କାରଣ ।

ଏହାପରେ ଆସନ୍ତି ୨୫ ରୁ ୪୦ ବର୍ଷୀୟ ଯୁବପିଢ଼ି । ଏମାନେ ମୁଖ୍ୟତଃ ଘରୋଇ କଳି ଏବଂ କର୍ମକ୍ଷେତ୍ରରେ ପଡ଼ୁଥିବା ଚାପକୁ ନେଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିକୁ ବାଛିଥାନ୍ତି । ଏହି ପରିପ୍ରେକ୍ଷୀରେ ଦେଖିଲେ ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୫୦ ଜଣ ଆତ୍ମହତ୍ୟା କରିଛନ୍ତି ।

ସେ ମଡ଼େଲର ହୁଅନ୍ତୁ କିମ୍ବା ଡାକ୍ତର, ବୁଦ୍ଧିଜୀବୀ ହୁଅନ୍ତୁ କିମ୍ବା ଛାତ୍ର, ଏକ ମାନସିକ ବ୍ୟାଧି ଭଳି ଆତ୍ମହତ୍ୟା ପ୍ରବଣତା ସମାଜକୁ ଗ୍ରାସ କରି ଚାଲିଛି । ଗତ ୪ ବର୍ଷ ମଧ୍ୟରେ ଭୁବନେଶ୍ବରରେ ୯୮୫ ଟି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ୨୦୧୭ ରେ ୨୩୧ ଟି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ, ୨୦୧୮ ରେ ୨୨୪ ଟି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି ।

୨୦୧୯ ରେ ୨୨୦, ୨୦୨୦ ରେ ୩୧୦ ଟି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଥିଲା । ତେବେ ଏହି ସମୟ କରୋନା ଚାଲିଥିବାରୁ ରୋଜଗାର ହରାଇ ଆତ୍ମହତ୍ୟା କରିଥିବା ବିଶ୍ଲଷଣରୁ ଜଣାପଡ଼ିଛି । ମନସ୍ତତ୍ତ୍ବବିତଙ୍କ କହିବା ହିସାବରେ ଜଣେ ବ୍ୟକ୍ତି ସର୍ବାଧିକ ଚାପ ଅନୁଭବ କରିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାଏ ।

Leave a Reply

Your email address will not be published. Required fields are marked *