ବଣାଇ : ବଣାଇ ସଦର ମହକୁମାର ବ୍ରାହ୍ମଣୀ ନଦୀ କୂଳରେ ଥିବା ବନବିଭାଗର ନର୍ସରୀଠାରେ ରାଉରକେଲା ମଣ୍ଡଳ ସ୍ତରୀୟ ବ୍ୟାଘ୍ର ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଦେଶରେ ଚଳିତ ବର୍ଷ ବ୍ୟାଘ୍ର ଗଣନା ହେବାକୁ ଥିବାବେଳେ, ଏହା ଆସନ୍ତା ଡ଼ିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ସପ୍ତାହେ ଧରି ରାଜ୍ୟର ସମସ୍ତ ବନଖଣ୍ଡରେ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ସମସ୍ତ ପ୍ରକ୍ରିୟା ମୋବାଇଲ ଆପ୍ ମାଧ୍ୟମରେ ହେବାକୁ ଥିବା ବେଳେ, ପ୍ରତ୍ୟେକ ବିଟ୍ ରେ ଜଣେ ବନପାଳ, ଜଣେ ଲେଖାଏଁ ବନରକ୍ଷୀ ଓ ଦୁଇଜଣ ସହକର୍ମୀକୁ ନେଇ ବ୍ୟାଘ୍ର ଗଣନା ଦଳ ଗଠନ କରାଯାଇଛି । ପ୍ରତ୍ୟେକ ସଂରକ୍ଷିତ ଘଞ୍ଚ ଜଙ୍ଗଲରେ ୫ କିଲୋମିଟର ବିଶିଷ୍ଟ ଟ୍ରାନଜିଷ୍ଟ ଲାଇନ୍ କରାଯାଇଛି । ଯାହାକି ବାଘର ଯିବା ଆସିବା ସମୟରେ ବାଘର ପାଦ ଚିହ୍ନ ସ୍ପଷ୍ଟ ଜଣାପଡ଼ିବ । ଏହା ସହିତ ଘଞ୍ଚ ଜଙ୍ଗଲରେ ଚିହ୍ନଟ ହୋଇଥିବା ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ମଧ୍ୟ ଖଞ୍ଜାଯିବ ଯାହା ଫଳରେ ବାଘ ଗଣନା ସରଳୀକରଣ ହୋଇପାରିବ, କ୍ୟାମେରା ଦ୍ଵାରା ଉଠିଥିବା ଫଟୋକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନିକଟକୁ ପ୍ରେରିତ କରାଯିବ । ବାଘ ଗଣନାକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ସେ ନେଇ ଆଜି ରାଉରକେଲା ମଣ୍ଡଳରେ ଥିବା ସୁନ୍ଦରଗଡ଼, ରାଉରକେଲା, ଦେବଗଡ଼, ବଣାଇ, କେନ୍ଦୁଝର ଇତ୍ୟାଦି ସମସ୍ତ ବନଖଣ୍ଡର ଵନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବଣାଇ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥି ଭାବେ ରାଉରକେଲା ଆଞ୍ଚଳିକ ମୁଖ୍ୟ ଵନସଂରକ୍ଷକ ଡଃ ଅରୁଣ କୁମାର ମିଶ୍ର ଯୋଗ ଦେଇଥିବାବେଳେ ରାଉରକେଲା ମଣ୍ଡଳର ସମସ୍ତ ବନଖଣ୍ଡ ଅଧିକାରୀ, ସହକାରୀ ଵନସଂରକ୍ଷକ, ବନାଞ୍ଚଳ ଅଧିକାରୀ ଓ ୬୦ ରୁ ଉର୍ଦ୍ଧ ବନପାଳ ଓ ବନରକ୍ଷୀ ଯୋଗ ଦେଇଥିଲେ ।
