ରାଉରକେଲା : ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ପାନପୋଷ ଆଇଟିଡିଏର କାମକୁ ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟମନ୍ତ୍ରୀ ବିଶେଶ୍ବର ଟୁଡୁ । ଆଜି ଉଦିତନଗରସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ମେଗା ଜଳ ପ୍ରକଳ୍ପ ଯୋଜନା, ବଣାଇଁ ଓ ପାନପୋଷ ଆଇଟିଡିଏ ଚାଲିଥିବା କାମ ଓ ଶେଷ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମରେ ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ବଣାଇ, ପାନପୋଷ ଆଇଟିଡିଏ ଅଧିକାରୀ, ରାଉରକେଲା ଓ କେନ୍ଦୁଝର ଜଳ ପ୍ରକଳ୍ପ ଡିଭିଜିନର ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ କାମର ସମୀକ୍ଷା କରିଥିଲେ । କାମର ଅଗ୍ରଗତିକୁ ନେଇ କେନ୍ଦ୍ରମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।
ପାଣ୍ଠିର ସଠିକ୍ ବିନିଯୋଗ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀ ବିକାଶକୁ ଯେତିକି ଗୁରୁତ୍ବ ଦିଆଯିବା କଥା ତାହା ହୋଇନାହିଁ । ଏମିତିକି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ କିଛି ପ୍ରସ୍ତାବିତ ପ୍ରକଳ୍ପକୁ ବିଭାଗୀୟ ଅଧିକାରୀ ଆଦୌ ଗୁରୁତ୍ବ ନ ଦେବା ଦୁର୍ଭାଗ୍ୟଜନକ । ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ୧୫୦୦ କୋଟି ଟଙ୍କାର ମେଗା ଜଳଯୋଜନା ପ୍ରକଳ୍ପ କାହିଁକି ଆଗଉ ନାହିଁ ବୋଲି ବିଭାଗୀୟ ଅଧିକାରୀଙ୍କୁ ସେ ପ୍ରଶ୍ନ କରିଥିଲେ ।
ବିଭାଗୀୟ ଅଧିକାରୀ କିନ୍ତୁ କୌଣସି ସଠିକ୍ ଉତ୍ତର ଦେଇ ପାରି ନଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି ମଧ୍ୟ କହିଛନ୍ତି, ଆଇଟିଡିଏ ପ୍ରାୟ ଅଧିକାଂଶ କାମ କାଗଜପତ୍ର ଠିକ୍ ଚାଲିଛି । ବାସ୍ତବ ଚିତ୍ର କିନ୍ତୁ ଓଲଟା ପରିଲକ୍ଷିତ ହେଉଛି । ଏପରିକି ଅଧିକାଂଶ କାମ ଶେଷ ହୋଇ ନଥିଲେ ମଧ୍ୟ ବିନିଯୋଗ ପ୍ରମାଣପତ୍ର (ୟୁସି) ଦିଆସରିଛି । ସବୁଠୁ ଆଶ୍ଚର୍ଯ୍ୟ କଥା, କାମ ତଦାରଖ କରୁଥିବା ଯନ୍ତ୍ରୀ, କର୍ମଚାରୀ ଦେଇଥିବା ୟୁସି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ଜାଣିନାହାନ୍ତି । ପୂର୍ବତନ କେନ୍ଦ୍ରଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ସମୟରେ ପାନପୋଷ ଆଇଟିଡିଏରେ ୩୩ କୋଟି ଟଙ୍କାର କାମ ଠିକ୍ ଭାବେ ହୋଇନାହିଁ । ଯେତିକି କାମ ହୋଇଛି, ତା’ ଆଦୌ ସନ୍ତୋଷଜନକ ନୁହେଁ । ତେଣୁ ୩୩ କୋଟି ଟଙ୍କା ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ୍ କରାଯିବ ।
ଏଥିସହ ଏହି ଟଙ୍କାରେ ହୋଇଥିବା କାମ ଅନୁଧ୍ୟାନ କରିବାକୁ କେନ୍ଦ୍ର ଟିମ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ରାଉରକେଲାରେ ପହଞ୍ଚି ୩୩ କୋଟି ଟଙ୍କା ବ୍ୟୟରେ ହୋଇଥିବା କାମ ଅନୁଧ୍ୟାନ କରି ରିପୋର୍ଟ ଦେବା । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି । ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲା ପରିଷଧ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ବିଧାୟକ ଓ ଅନ୍ୟ ଅଧିକାରୀଙ୍କ ବ୍ଲକର ଚାଲିଥିବା ବିଭିନ୍ନ କାମର ସ୍ଥିତି ଅନୁଧ୍ୟାନ କରିଥିଲେ ।
