ଫୁଲବାଣୀ : ଫୁଲବାଣୀ ବନଖଣ୍ଡ ଅଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କୁ ବ୍ୟବହାର କରି କାଠ ଅଙ୍ଗାର ଚାଲାଣ ବ୍ୟାପକ ହେଉଛି । ସାଇକେଲରେ କିମ୍ବା କାନ୍ଧରେ ବୋହି କାଠ ଅଙ୍ଗାର ବସ୍ତାମାନ ଜଙ୍ଗଲରୁ ବିଭିନ୍ନ ସ୍ଥାନକୁ ପହଞ୍ଚାଉଛନ୍ତି । ଏ ନେଇ ସଂଗଠିତ ଉପାୟରେ ଏକ ରାକେଟ୍ କାମ କରୁଥିବା ଜଣାପଡ଼ିଛି । ଫୁଲବାଣୀ ଓ ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲମାନଙ୍କରେ କାଠମାଫିଆମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ଼ବଡ଼ ଗଛ କାଟି ସେଥିରୁ ସାଇଜ କାଠଗଣ୍ଡିମାନ ପ୍ରସ୍ତୁତ କରୁଛନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ଜନଶୂନ୍ୟ ଅଞ୍ଚଳରେ ଏସବୁ କାଠଗଣ୍ଡିକୁ ଏକତ୍ର ଭାବେ ପୋଡ଼ାଯାଉଛି । ଗୋଟିଏ ଭାଟିରେ ଆନୁମାନିକ ୮୦ ରୁ ୧୦୦ କାଠଗଣ୍ଡିକୁ ରଖି ସେଥିରେ ନିଆଁ ଲଗାଯାଉଛି । ଏହି କାଠଗଣ୍ଡିଗୁଡ଼ିକ ଜଳିଗଲାପରେ ସ୍ଥାନୀୟ ଲୋକଙ୍କୁ ଲଗାଇ ସେଥିରୁ ଅଙ୍ଗାର ପ୍ରସ୍ତୁତ କରାଯାଉଛି ଏବଂ ବସ୍ତାରେ ପ୍ୟାକିଂ କରାଯାଇ ବିଭିନ୍ନ ଅଞ୍ଚଳକୁ ପଠାଯାଉଛି । ଶୁକ୍ରବାର ଦିନ ସାର୍ତ୍ତାଗୁଡ଼ାରୁ ଫୁଲବାଣୀ ରାସ୍ତା ଦେଇ କେତେଜଣ ଆଦିବାସୀ ଲୋକ କାନ୍ଧରେ ବଡ଼ବଡ଼ ଭାର ବୋହି ଚାଲୁଥିବାବେଳେ ସବା ପଛରେ ଜଣେ ବୁଢ଼ା ଲୋକଟି ଥକି ପଡ଼ି ଧୀରେଧୀରେ ପଛରେ ଚାଲୁଥିଲେ । ଆମ ପ୍ରତିନିଧି ବୃଦ୍ଧଜଣଙ୍କୁ ଭେଟି ଏକାଠ ଅଙ୍ଗାର କାରବାର ସମ୍ପର୍କରେ ପଚାରିଥିଲେ । ଜଙ୍ଗଲ ମଧ୍ୟରେ ଗୋଟିଏ ଗୋଟିଏ କାଠ ଅଙ୍ଗାର ଭାଟିରୁ ଶହଶହ ଟନ୍ କାଠ ଅଙ୍ଗାର ଉତ୍ପାଦିତ ହୋଇଥାଏ । ସ୍ଥାନୀୟ ଆଦିବାସୀମାନେ ସାଇକେଲରେ କିମ୍ବା କାନ୍ଧରେ ବୋହିବୋହି ଏହି କାଠ ଅଙ୍ଗାରକୁ ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡ଼ା, ବାଲିଗୁଡ଼ା ବଜାରରେ ପହଞ୍ଚାନ୍ତି । ଏହି ଅଙ୍ଗାର ବ୍ରହ୍ମପୁର, ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା, ପାରାଦୀପ, ଖୋର୍ଦ୍ଧା ଆଦି ସ୍ଥାନକୁ ପଠାଯାଉଛି । ବିଶେଷକରି ସହରମାନଙ୍କରେ କପଡ଼ା ଇସ୍ତ୍ରୀ ଦୋକାନ ଏବଂ ବିଭିନ୍ନ ଜଳଖିଆ ଦୋକାନରେ ଏହି କାଠ ଅଙ୍ଗାରର ଆବଶ୍ୟକତା ରହିଛି । ସବୁଠୁ ବଡ଼ କଥା ହେଉଛି, ଜଙ୍ଗଲ ବିଭାଗ ଅଧିକାରୀଙ୍କ ଜ୍ଞାତସାରରେ ଏ କାରବାର ଚାଲିଛି ଏବଂ ଏଥିପାଇଁ ଜଙ୍ଗଲ ବିଭାଗ ଅଧିକାରୀ ମାଫିଆଙ୍କଠାରୁ କମିସନ ପାଇ ଏସବୁ ଜାଣି ମଧ୍ୟ ନିରବରେ ବସି ଯାଉଛନ୍ତି । ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ସ୍ଥାନୀୟ ଲୋକେ କାନ୍ଧରେ ବୋହି କିମ୍ବା ସାଇକେଲରେ ଲଦି ପ୍ରତିଦିନ ହଜାର ହଜାର ସଂଖ୍ୟାରେ କାଠ ବୋହୁଥିବାବେଳେ ଏହାକୁ ଜାଳେଣୀ କାଠ କହି ଜଙ୍ଗଲ ବିଭାଗ ଅଧିକାରୀମାନେ ଏଡାଇ ଯାଉଛନ୍ତି । ପ୍ରକୃତରେ ଏହା ଜାଳେଣୀ କାଠ ନୁହେଁ । ସୁସଂଗଠିତ ଉପାୟରେ କାଠ କଟାଯାଇ ଓଜନ କରାଯାଇ ବିଡ଼ାମାନ ବନ୍ଧାଯାଉଛି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲରୁ ଫୁଲବାଣୀ ସହରରେ ପହଞ୍ଚାଯିବା ପରେ ଏଠୁ ବଡ଼ବଡ଼ ସହରକୁ ପଠାଯାଉଛି । ତେବେ ଏଭଳି ନିୟମିତ କାଠ ଚାଲାଣ କରାଗଲେ ଖୁବ୍ ଶୀଘ୍ର ଜଙ୍ଗଲ ଧ୍ବଂସ ପାଇଯିବ ବୋଲି ଅନୁମାନ କରାଯାଉଛି ।
