ବ୍ରହ୍ମଗିରି : ଏବେ ସକ୍ରିୟ ପକ୍ଷୀ ଶିକାରୀ । କିନ୍ତୁ ବନବିଭାଗ ଏଥିପ୍ରତି ନଜର ଦେଉନଥିବା ଦେଖିବାକୁ ମିଳିଛି । ଶୀତ ଋତୁ ଆଗମନରେ ବିଦେଶୀ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦରେ ଚିଲିକା ଏବେ ଫାଟିପଡୁଛି । ଯାହାର ସୁଯୋଗ ନେଉଛନ୍ତି ଶିକାରୀ । ବିଭିନ୍ନ କାଇଦା କରି ସେମାନେ ପକ୍ଷୀ ଶିକାର କରୁଛନ୍ତି । ଶୀତ ଦିନେ ହଜାର ହଜାର କି.ମି ଦୂରରୁ ବିଦେଶୀ ପକ୍ଷୀ ଆସିଥାନ୍ତି ଚିଲିକାକୁ । ଯାହାର ସୌନ୍ଦର୍ଯ୍ୟ ସାଉଁଟିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିଥାଏ । ଏହି ବିଦେଶୀ ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଚିଲିକା ସହିତ ନିକଟବର୍ତ୍ତୀ ଗାଁ ମାନଙ୍କରେ ଥିବା ଜଳାଶୟ ଗୁଡିକରେ ଦେଖିବାକୁ ମିଳିଥାନ୍ତି । ଏହାରି ସୁଯୋଗ ନେଇ ପକ୍ଷୀ ଶିକାରୀମାନେ ନିରୀହ ପକ୍ଷୀମାନଙ୍କୁ ମାରି ଖାଇବା ସହିତ ବିକ୍ରି କରିବାକୁ ପଛାଉନାହାନ୍ତି । ବ୍ରହ୍ମଗିରି ରେଞ୍ଜ ଅଧିନ ଘଟକୁଡି ଗ୍ରାମରେ ଏକାଧିକ ବିଦେଶୀ ପକ୍ଷୀ ମାରି ବିକ୍ରି ହେଉଥିବା ଦେଖିବାକୁ ମିଳିଛି । କିନ୍ତୁ ବନବିଭାଗ ଏବଂ ପୋଲିସ ଏଥିପ୍ରତି ନଜର ଦେଉନଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।
