ଗୁଣପୁର : ରାୟଗଡା ଜିଲାରେ ଧାନ ଅମଳ ଆରମ୍ଭ ହେଲାଣି । ସବୁଠି ଧାନ ମଣ୍ଡି ଖୋଲିଲାଣି । ଦକ୍ଷିଣ ଓଡ଼ିଶାର ଧାନ ଉତ୍ପାଦନ କେନ୍ଦ୍ର ପଦ୍ମପୁରରେ ଆରମ୍ଭ ହୋଇନି ଧାନମଣ୍ଡି । ଜମିରୁ ଧାନ କାଟି ଚାଷୀ ଅମଳ କରି ସାରିଲେଣି । ଖଳାରେ ଚାଷୀ ଧାନ ଧରି ବସିଛନ୍ତି । ଧାନ ବିକ୍ରି ହୋଇପାରୁନି । ପ୍ରଶାସନ ଧାନ ମଣ୍ଡିର ବ୍ୟବସ୍ଥା କରି ନ ଥିବାରୁ ପଦ୍ମପୁର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପଦ୍ମପୁର ଅଞ୍ଚଳରେ ଧାନମଣ୍ଡି ଆରମ୍ଭ ହୋଇନି । କେବେ ଖୋଲିବ ଧାନ ମଣ୍ଡି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ଧାର କରଜ ଚାଷ କରୁଥିବା ଚାଷୀ ଚିନ୍ତାରେ ପଡିଛନ୍ତି । ଅମଳ ଧାନ ଖଳା, ରାସ୍ତାକଡ ଏବଂ ବିଲରେ ଷଢ଼ୁଛି । ପଦ୍ମପୁର ଅଞ୍ଚଳର ପାଖାପାଖି ୨୫ ଦିନ ହେଲାଣି ଅମଳ ଧାନକୁ ଚାଷୀ ପ୍ରବଳ ହାଡ଼ଭଙ୍ଗା ଶୀତରେ ଜଗି ରହିଛନ୍ତି । ପ୍ରଫୁଲ ପାଣିଗ୍ରାହୀ, କାଳିଆ ପାଣିଗ୍ରାହୀ, ରାଜୀବ ପାଣିଗ୍ରାହୀ, ଟଙ୍କଧର ଗମାଙ୍ଗ, ରାମ ସାହୁ ଭଳି ଚାଷୀ ଅମଳ କରିସାରିଲେଣି । ପଦ୍ମପୁର ମୌଜା ନୁହଁ, ଗୁଡିଆବନ୍ଦ, ଇନ୍ଦୁପୁର, ଲାଉଗୁଡା, ବହୁପଦର, ଆଖୁସିଂ, ମାରିଗୁଡା, ଖିଲାପଦର ମାରିଗୁଡା, ବିରିପଦର, କେନ୍ଦୁଗୁଡା, ଲିକିଟିପଦର, ନୂଆଗଡ଼, ଗୁଳୁଗୁଡା ମୌଜାରେ ଚାଷୀ ଖଳାରେ ଧାନ ଧରି ପଡି ରହିଛନ୍ତି । କେବଳ ମଣ୍ଡି ନୁହେଁ ଚିରିକୁଟି (ଟୋକନ୍) ସମସ୍ୟା ମଧ୍ୟ ଦେଖାଦେଇଛି । ଅନେକ ଚାଷୀଙ୍କ ଚିରିକୁଟି (ଟୋକନ) ଠିକ ସମୟରେ ଆସି ନ ଥିବା ଅଭିଯୋଗ ହୋଇଛି । ୩ ହଜାର ୮୦ ଚାଷୀ ପଞ୍ଜିକରଣ କରିଛନ୍ତି । ପଞ୍ଜିକୃତ ଚାଷୀ ଜାନୁଆରୀ ୫ ତାରିଖରୁ ଧାନ ମଣ୍ଡିରେ ବିକ୍ରିବଟା କରି ପାରିବେ ବୋଲି ପଦ୍ମପୁର ଯୋଗାଣ ଅଧିକାରୀ ପ୍ରଭାକର ମଲ୍ଲିକ ସୂଚନା ଦେଇଛନ୍ତି ।
