ବ୍ୟାସନଗର : କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହରରେ ନାହିଁ ରାତ୍ରି ଆଶ୍ରୟସ୍ଥଳ। ଅନ୍ୟ ଦିନରେ ଚଳିଯାଉଥିଲା ହେଲେ ଶୀତଦିନରେ ଲୋକେ ଅସହ୍ୟ ଥଣ୍ଡାରେ ଫୁଟ୍ପାଥ୍ରେ ପଡ଼ିରହିବାର ଦୃଶ୍ୟ ନେତା ଓ ପ୍ରଶାସକଙ୍କୁ ବିକାଶର ଆଇନା ଦେଖାଇ ଦେଇଛି । ଏହି ସହରରେ ପାଖାପାଖି ୧୦ ରୁ ୧୧ ଡିଗ୍ରି ତାପମାତ୍ରା ରହୁଛି । ଏତେ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ମୋଟା କମ୍ବଳ ଖୋଜୁଛନ୍ତି । ସହର ସାରା ଶହେ ସରିକି ଅସ୍ଥାୟୀ କମ୍ବଳ ଦୋକାନ ଖୋଲିଛି । କିନ୍ତୁ ଦୀନହୀନ ଅସହାୟ ଲୋକଙ୍କ ପାଇଁ ତା କିଛି ମାନେ ନାହିଁ । ସରକାର କି ପ୍ରଶାସନ ପକ୍ଷରୁ ମଧ୍ୟ ଏହି ନିରାଶ୍ରୟଙ୍କ କଥା ଚିନ୍ତା କରାଯାଇ ନାହିଁ । ଫଳସ୍ବରୂପ ରେଳଷ୍ଟେସନ ନିକଟରେ ଓ ଅନ୍ୟ ବ୍ୟସ୍ତବହୁଳ ଛକରେ ଲୋକେ ଟ୍ରାଫିକ ପିଣ୍ଡିରେ ଶୋଇଥିବା ଦେଖାଯାଉଛି । ଏକ ସପ୍ତାହ ହେଲା ପ୍ରତିଦିନ ତାପମାତ୍ରା ହ୍ରାସ ପାଇଥିବାବେଳେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଲୋକମାନେ ଘରୁ ବାହାରିବା ପୂର୍ବରୁ ଶୀତବସ୍ତ୍ର ପରିଧାନ କରି ବଜାରକୁ ଆସୁଥିବାବେଳେ ସନ୍ଧ୍ୟା ହେଲାମାତ୍ରେ ସହର ଶୂନ୍ଶାନ୍ ହୋଇଯାଉଛି । ହେଲେ ସହରରେ ବୁଲୁଥିବା ବାସହୀନ ନିରାଶ୍ରୟମାନେ ଅସହ୍ୟ ଶୀତରେ ଖୋଲା ଆକାଶ ତଳେ ପଡ଼ିରହୁଥିଲେ ବି କୌଣସି ବ୍ୟବସ୍ଥା କରାଯାଇ ପାରୁନାହିଁ। ସେମାନଙ୍କ ଆଶ୍ରୟ ନେବା ପାଇଁ ସହରରେ ଅସ୍ଥାୟୀ ଭାବରେ ମଧ୍ୟ ରାତ୍ରି ଆଶ୍ରୟସ୍ଥଳ ନାହିଁ । ବଡ଼କଥା ହେଉଛି ସହରରେ ନିୟମିତ ଭାବେ କୋଟିକୋଟି ଟଙ୍କାର ଶିଳାନ୍ୟାସ ଓ ପ୍ରକଳ୍ପ କାର୍ଯ୍ୟ ଚାଲୁଛି କିନ୍ତୁ ରାତ୍ରିକାଳୀନ ଆଶ୍ରୟସ୍ଥଳ ପାଇଁ ନୀଳନକ୍ସା ପ୍ରସ୍ତୁତ କରାଯାଇନାହିଁ । ପୌରସଂସ୍ଥା ପକ୍ଷରୁ ଏଥିପାଇଁ ପ୍ରସ୍ତାବ ଦିଆଯାଇ ନଥିବା ବେଳେ ଅସ୍ଥାୟୀ ଭାବେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବହୁ ନିରାଶ୍ରୟ ଖୋଲା ଆକାଶ ତଳେ ରାତ୍ରିଯାପନ କରୁଛନ୍ତି । ରାଜନେତା, ସମାଜସେବୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ନିରାଶ୍ରୟମାନଙ୍କୁ କେବେ କେମିତି କମ୍ବଳ ଖଣ୍ଡେଖଣ୍ଡେ ପ୍ରଦାନ କରାଯାଉଛି । ମାତ୍ର ସେଥିରେ ହାଡ଼ଥରା ଜାଡ଼ରୁ ନିସ୍ତାର ମିଳୁନି । ତେଣୁ ସ୍ଥାୟୀ ସମାଧାନ ବା ନିରାଶ୍ରୟମାନେ କିପରି ଆଶ୍ରୟ ପାଇବେ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହି ପ୍ରବଳ ଶୀତରେ ବିଶେଷକରି ବାସହୀନ, ଟ୍ରଲି ଚାଳକ, ଭିକ୍ଷୁକ, ଭିନ୍ନକ୍ଷମମାନେ ଫୁଟ୍ପାଥ୍ରେ ଖୋଲା ଆକାଶ ତଳେ, ଦୋକାନ ବାରଣ୍ଡା, ଷ୍ଟେସନରେ ଅତି ଦୟନୀୟ ଅବସ୍ଥାରେ ରାତି ବିତାଉଛନ୍ତି । ରାତିରେ ଖୋଲା ଆକାଶ ତଳେ ପଡ଼ି ରହୁଥିବା ଏହି ନିରାଶ୍ରୟଙ୍କ ଅବସ୍ଥା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ପୌର କର୍ତ୍ତୃପକ୍ଷ ନିରାଶ୍ରୟଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଯଥାଶୀଘ୍ର ଅସ୍ଥାୟୀ ଭାବେ ଆହାର କେନ୍ଦ୍ର, ନନ୍ଦରାମ ପାଠାଗାର, ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ରାତ୍ରିକାଳୀନ ଆଶ୍ରୟସ୍ଥଳୀ ଖୋଲିବା ଦିଗରେ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
