ଗରିବ ଆଦିବାସୀଙ୍କ ପାଇଁ ମାଳମାଳ ଯୋଜନା ସତ୍ତ୍ୱେ ବି ଉପେକ୍ଷିତ ଜୀବନ ଯାପନ କରୁଛନ୍ତି ବହୁ ପରିବାର

କାଳିଆପାଣି : ଗରିବ ଆଦିବାସୀଙ୍କ ପାଇଁ ମାଳମାଳ ଯୋଜନା । ତଥାପି ବହୁ ପରିବାର ଉପେକ୍ଷିତ ଜୀବନ ଯାପନ କରୁଛନ୍ତି । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ବି ସାତସପନ ହୋଇଯାଇଛି । ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ୧ ନଂ ୱାର୍ଡ ଚିରିଗୁଣିଆ ମାଝିସାହି ପାଖ ଡମଶାଳ ନାଳକୂଳ ହଟିଂରେ ରହୁଛନ୍ତି ପୁତୁଲି ସିଂ(ମୁଣ୍ଡା) ଓ ନିର୍ମଳ ସିଂଙ୍କ ୬ ଜଣିଆ ପରିବାର । ଦୁରବସ୍ଥ‌ା ଏବେ କହିଲେ ନସରେ । ଅର୍ଥାଭାବରୁ ନିଜ ପାଇଁ ଘର ଖଣ୍ଡିଏ କରିପାରି ନାହନ୍ତି । ଖାଦ୍ୟ ସୁରକ୍ଷା, ବସୁନ୍ଧରା ଓ ସାମାଜିକ ନିରାପତ୍ତା ଯୋଜନା ସେମାନଙ୍କ ପାଇଁ ସାତସପନ ହୋଇ ରହିଛି । ଏହି ପରିବାର ଗତ ଦଶନ୍ଧିରୁ ଅଧିକ ହେବ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପରିତ୍ୟକ୍ତ ହଟିଂର ଏକ ଭଙ୍ଗା ଶ୍ରମିକ କ୍ବାର୍ଟର୍ସରେ ମୁଣ୍ଡ ଗୁଞ୍ଜିଛନ୍ତି । ଅଭାବ ଅନଟନରେ ୪ ସନ୍ତାନଙ୍କ ପାଇଁ ଦାନାକନା ଯୋଗାଡ଼ କରିବା କାଠିକର ପାଠ ହୋଇଛି । ଏମିତିରେ ସମସ୍ତ ସନ୍ତାନଙ୍କ ଶୈଶବ ପ୍ରଭାବିତ ହୋଇଛି । ଶିଶୁ ସୁରକ୍ଷା ଓ ଅଧିକାର ଆଇନ ବନ୍ଧା ପଡ଼ିଛି । ୧୦ ଦିନ ତଳେ ଏକ ଦୁର୍ଘଟଣାରେ ପୁତୁଲିଙ୍କ ଡାହାଣ ଆଖିଟି ନଷ୍ଟ ହୋଇଯାଇଛି । ଚିକିତ୍ସା ଅଭାବରୁ ସେ ଭିନ୍ନକ୍ଷମ ପାଲଟି ଯାଇଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍‌ଧ ସରକାରୀ ସ୍ମାର୍ଟ କାର୍ଡ ତାଙ୍କ ପାଖେ ନିରର୍ଥକ ସାବ୍ୟସ୍ତ ହୋଇଛି ।

ପ୍ରଥମ ସନ୍ତାନ ଜନ୍ମ ହେବାର ୬ ମାସ ମଧ୍ୟରେ ପୁତୁଲି ମୁଣ୍ଡାଙ୍କ ପ୍ରଥମ ସ୍ବାମୀ ଅଜଣା ରୋଗରେ ପଡ଼ି ଆରପାରିକୁ ଚାଲିଗଲେ । ଏହାର କିଛିଦିନ ମଧ୍ୟରେ ସେ ନିଜ ବାପାମାଆଙ୍କୁ ହରାଇଥିଲେ । ଶିଶୁ ସନ୍ତାନକୁ ଧରି ଏବେ ସେ ଦିନ ମଜୁରିଆ ନିର୍ମଳ ସିଂଙ୍କ ସହ ଏକାଠି ରହି ଆସୁଛନ୍ତି । ଉଭୟଙ୍କ ଔରସରୁ ଆଉ ୩ ସନ୍ତାନ ଜନ୍ମ ହୋଇଛନ୍ତି । ୪ ସନ୍ତାନ ମୁନା(୧୬), ନେହା(୧୩), ବିକି(୧୦) ଓ ରକି(୬)ଙ୍କ ଲାଳନପାଳନକୁ ନେଇ ସେମାନେ ଭାରାକ୍ରାନ୍ତ । ବଡ଼ପୁଅ ନିରକ୍ଷର । ଅନ୍ୟ ୩ ସନ୍ତାନଙ୍କ ନାଁ ପାଖ ସ୍କୁଲରେ ରହିଛି ସତ ହେଲେ କରୋନା ପାଇଁ କେହି ବି ଖଡ଼ିପାଠ ଶିଖି ନାହାନ୍ତି । ନିର୍ମଳଙ୍କ ବ୍ୟତୀତ ପରିବାରରେ ଆଉ କାହାର ଆଧାର କାର୍ଡ ନାହିଁ । ଭୋକରେ ଥିବା ଏହି ୬ ଜଣିଆ ପରିବାର ପାଖେ ଖାଦ୍ୟ ସୁରକ୍ଷା ଯୋଜନା ବାଟ ହୁଡ଼ିଛି । ଆଦିବାସୀ ଭୂମିହୀନ ଥାଇ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ ବି ବସୁନ୍ଧରା ଯୋଜନା କିମ୍ବା ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ରୁ ବଞ୍ଚିତ ରହିଛନ୍ତି । ସ୍ଥାୟୀ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେମାନଙ୍କ ପାଇଁ ଦୂରରେ ରହିଛି । ପରିବାରରେ କାହାକୁ ଜବ୍‌କାର୍ଡ ମିଳିନଥିବାରୁ ମନରେଗା ଯୋଜନାରେ କେହି ଟଙ୍କାଟିଏ ରୋଜଗାର କରିବାର ସୁଯୋଗ ପାଇନାହାନ୍ତି । ପୁତୁଲିଙ୍କ ଏତାଦୃଶ ଅବସ୍ଥା ସଂପର୍କରେ ସରପଞ୍ଚ କଳ୍ପନା ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ତାଙ୍କୁ ଯଥାସମ୍ଭବ ସହାୟତା କରାଯିବ ବୋଲି କହିଥିଲେ । ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଯୋଗାଣ ନିରୀକ୍ଷକ ଦେବାଶିଷ କର କହିଛନ୍ତି ।

Leave a Reply

Your email address will not be published. Required fields are marked *