ମୁନିଗୁଡା : ଚଳିତ ବର୍ଷ ଖରିଫ ଋତୁରେ କଷ୍ଟ ଉପାର୍ଜିତ ଧାନକୁ ଅମଳ କରି ବେଶ୍ ଦି ପଇସା ଉପାର୍ଜନ କରିବାର ଆଶ କରିଥିଲା ଚାଷୀକୂଳ । ଦିନ ରାତି ଏକ କରି ଦେଇଥିଲା ଚାଷୀ । ହେଲେ ଗତ ଦୁଇଦିନର ଅଦିନିଆ ବର୍ଷା ଯୋଗୁଁ ଚାଷୀକୁଳର ସବୁ ଆଶା ଓ ଭରଷା ମଉଳି ଯାଇଛି । ଅଦିନିଆ ବର୍ଷା ଯୋଗୁଁ ଅମଳ ହୋଇଥିବା ଶହ ଶହ ହେକ୍ଟର ଧାନ ଫସଲ ଓଦା ହୋଇଯାଇଛି । ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ । ଗତ ଦୁଇ ଦିନର ଅଦିନିଆ ବର୍ଷାରେ ଅମଳ ହୋଇ ଖଳାରେ ରହିଥିବା ଧାନକୁ ଓଦା କରିଦେଇଛି । ବିଲରେ କଟା ହୋଇ ପଡିଥିବା ଧାନ ପାଣିରେ ବୁଡି ନଷ୍ଟ ହୋଇଯାଇଛି । ଏଭଳି ପରିସ୍ଥିତିରେ ବିଷମ କଟକ ଚାଷୀକୁଳ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଫଳରେ ବିଲରେ ପଡି ପଡି ଧାନ ପଚିସଢ଼ି ଯାଇ ଗଜା ହେବାକୁ ବସିଛି । କିଛି ଚାଷୀ ଧାନ ଅମଳ କରୁଛି ତ ଆଉ କିଛି ଚାଷୀ ଧାନ କାଟି ବିଲରେ ଛାଡିଛି । ଏହାରି ଭିତରେ ହଠାତ୍ ଅଦିନିଆ ବର୍ଷା ହୋଇଯାଇଥିବାରୁ ଚାଷୀ ନିଜ ଅମଳ ଧାନକୁ ଘୋଡାଇବାରେ ସକ୍ଷମ ହୋଇପାରିଲା ନାହିଁ । ଯାହାଫଳରେ ସବୁ ଧାନ ଭିଜି ଯାଇ ଧାନର ରଙ୍ଗ ବଦଳି ଗଲା । ସେପଟେ ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯିବା ନେଇ ଚାଷୀମାନେ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚି କ୍ଷୟକ୍ଷତି ସମ୍ବନ୍ଧୀୟ ସମସ୍ୟା ସଂକ୍ରାନ୍ତରେ ଅବଗତ କରିଛନ୍ତି ।
