ବାଲିଆପାଳ : ସୁବର୍ଣ୍ଣରେଖା ନଦୀର ବନ୍ୟା କମିଲା ମାତ୍ର ଲୋକଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି । ଆଜିବି ବହୁ ସ୍ଥାନରେ ବନ୍ୟା ପାଣି ବୁଡି ରହିଛି । ବହୁ ଗ୍ରାମକୁ ଗମନା ଗମନ ସ୍ୱାଭାବିକ ହୋଇନି । ଲୋକଙ୍କ ଘରେ ତିନିଦିନ ହେଲା ଚୂଲି ଜଳିନୀ । ବହୁ ସ୍ଥାନରେ ରନ୍ଧା ରିଲିଫ ଖାଦ୍ୟକୁ ଭରଷା । ଗାଈ ଗୋରୁଙ୍କ ସହିତ ଗୃହ ପାଳିତ ପଶୁ ନିଢାଳ ଉପବାସ ।

ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲିଆପାଳ ବ୍ଳକର କୁଦମାନସିଂହ, ତଳବାଲିଆପାଳ, ସୁଙ୍ଗମୁହଁ, ଆଠବାଟିଆ ଗ୍ରାମକୁ ଯାଇ
ସ୍ଥିତି ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ତୁରନ୍ତ ରିଲିଫ ବଣ୍ଟନ ପାଇଁ ବ୍ଲକ
ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ବିଧାୟକ ଗୋବିନ୍ଦ ପ୍ରସାଦ ଦାସ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶୁଭନା ମହାନ୍ତି, ଶୁଭଙ୍କର ମହାପାତ୍ର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସତ୍ୟଜିତ ମିଶ୍ର, କମଲୋଚନ ଦାସ, ରାଜେଶ ମହାପାତ୍ର, ପ୍ରଦୀପ ପଣ୍ଡା, ଅଜୟ କୁମାର ସାହୁ, ଅରବିନ୍ଦ ବେହେରା, ମହେଶ୍ୱର ଜେନା, ବିକାଶ ଗିରି, କ୍ଷୀତିଶ କୁମାର ଜେନା ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।
ସୁବର୍ଣ୍ଣରେଖା ବନ୍ୟାର ତୃତୀୟ ଦିନରେ ଆଜି ବି ଚୌଧୁରୀକୁଦ ରାସ୍ତା ଉପରେ ୩ ଫୁଟ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ବାଲିଆପାଳ ଠାରୁ ବିଷ୍ଣୁପୁର, ଜାମକୁଣ୍ଡା ଠାରୁ ନୟାବାଲି, କୁହ୍ଲାଚଡ଼ ଠାରୁ ଜାମକୁଣ୍ଡା, ତାଳପଦା ରାସ୍ତା ଉପରେ ବନ୍ୟା ପାଣି ଢେଉ ଖେଳୁଛି । ବିଷ୍ଣୁପୁର ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରେ ଆଜିବି ବନ୍ୟା ପାଣି ବୁଡି ରହିଛି । ଏହି ପଞ୍ଚାୟତର ୩ ହଜାରରୁ ଅଧିକ ଘର କ୍ଷତି ଘଟିଛି ।
ସେହିପରି ଜାମକୁଣ୍ଡା ପଞ୍ଚାୟତର ତାଳପଦା, କୁହ୍ଲାଚଡ, ଲଖପାଳ ଗ୍ରାମର ଅବସ୍ଥା ପୁରାପୁରି ବେହାଲ । ସବୁଠି ଚାଷ ଜମିରେ ବନ୍ୟା ପାଣି ବୁଡି ରହିଛି । ଧାନ ଚାଷ ସହିତ ପନିପରିବା ଚାଷ ସମୂଳେ ନଷ୍ଟ ହୋଇଯାଇଛି । ସବୁ ଜାଗାରେ ରନ୍ଧାଖାଦ୍ୟ ଠିକ ଠାକ ମିଳୁନି । ସବୁଠାରୁ ବେଶୀ ଆସୁବିଧାରେ ଅଛନ୍ତି ଛୋଟଛୋଟ ପିଲାମାନେ । ବଡ଼ ଲୋକ ଯେନତେନ ଚଳିଯାଉଛନ୍ତି । ଆଜିଠାରୁ ପୁଣି ଲଘୁଚାପ । ଲୋକଙ୍କ ମନରେ ଭୟ ଓ ଆଶଙ୍କା । ବର୍ଷା ହେଲେ ମୁଣ୍ଡଗୁଞ୍ଜିବେ କେଉଁଠି । ତୁରନ୍ତ ପଲିଥିନ ଯୋଗାଇବାକୁ ସବୁମହଲରେ ଦାବି ହେଉଛି । ତୁରନ୍ତ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଟିମ ଗଠନ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା କଥା ବିଡ଼ିଓ ଦୀପକ କୁମାର ଦାଶ କହିଛନ୍ତି ।
