ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ଫରେଷ୍ଟରଙ୍କ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ । ଡିଏଫଓଙ୍କ ଦ୍ଵାରସ୍ଥ ହେଲେ ଖିଡିଙ୍ଗିଡ଼ିହି ବନ ସୁରକ୍ଷା ସମିତି ସଭାପତି ମଙ୍ଗଳୁ ଗଣ୍ଡ ଓ ଅନ୍ୟ ସଦସ୍ୟ । ଅଭିଯୋଗ ଅନୁସାରେ, ବନବିଭାଗ ପକ୍ଷରୁ ଜଙ୍ଗଲର ଉନ୍ନତିକରଣ ପାଇଁ ସରକାରଙ୍କ ବିଭିନ୍ନ ଅନୁଦାନକୁ ସମିତି ମାଧ୍ୟମରେ ଖର୍ଚ୍ଚ କରାଯାଉଛି ।
ଏଥିଲାଗି ସମିତିର ସଭାପତି ଓ ଫରେଷ୍ଟରଙ୍କ ଯୁଗ୍ମ ଆକାଉଣ୍ଟ ରହିଛି । ଫରେଷ୍ଟର ବିପିନ ହରିଜନ ଚଞ୍ଚକତା କରି କେତେକ ଚେକରେ ସମିତି ସଭାପତିଙ୍କ ଆଗୁଆ ଦସ୍ତଖତ କରାଇ ନେଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇବା ଦିନ କାରଣ ସମ୍ପର୍କରେ ପଚାରିବାରୁ ପରେ କହିବେ କହି ଟାଳି ଦେଇଥିବା ପ୍ରକାଶ କରିଛନ୍ତି ।
୨୦୨୧ ଅକ୍ଟୋବର ୬ ତାରିଖରେ ୧୮ ହଜାର ୧୪୧, ୨୦୨୨ ଜାନୁଆରୀ ୨୯ରେ ୬୩ ହଜାର ୩୪୧ ଟଙ୍କା ଓ ଚଳିତ ମାସ ଗତ ୮ ତାରିଖ ଦିନ ୩୩ ହଜାର ୫୮୮ ଟଙ୍କା ଏଭଳି ତିନୋଟି କିସ୍ତିରେ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଫରେଷ୍ଟର ବିପିନ ହରିଜନଙ୍କ ଦ୍ଵାରା ଉଠାଯାଇଥିଲା । ଟଙ୍କା ଉଠାଣ ସମ୍ପର୍କରେ ସଭାପତି ଓ ଅନ୍ୟ ସଦସ୍ୟ ପଚାରିବାରୁ ଫରେଷ୍ଟର ଗତ ୨୧ ତାରିଖ ଦିନ ଉକ୍ତ ଆକାଉଣ୍ଟରେ ୩୩ ହଜାର ୫୯୦ ଟଙ୍କା ଜମା କରିଦେଇଥିଲେ ।
ଏନେଇ ଡିଏଫଓଙ୍କ ଦ୍ଵାରସ୍ଥ ହେବା ପରେ ୧୫ ଦିନ ମଧ୍ୟରେ ରାଇଘର ରେଞ୍ଜେରଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ରିପୋର୍ଟ ଦାଖଲ ନହେବାରୁ ପୁନର୍ବାର ଡିଏଫଓଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
