ଭୁବନେଶ୍ୱର : ରାଜ୍ୟରେ ବର୍ଷ ବର୍ଷ ଧରି ବିଲ୍ଡର ରାଜ୍ ଚାଲିଛି । ସରକାରଙ୍କ ଆଇନର ଫାଙ୍କ ଦେଇ ବାସଗୃହ ନିର୍ମାଣକାରୀ ସଂସ୍ଥାଗୁଡିକ ବେଆଇନ ଭାବେ ପ୍ରକଳ୍ପ ନିର୍ମାଣ କରି ଖସି ଯାଉଛନ୍ତି । ବିଲ୍ଡରମାନେ କେବଳ ଯେ ସରକାରଙ୍କୁ ଚୁନ ଲଗାଉଛନ୍ତି ତାହା ନୁହେଁ, ଲକ୍ଷାଧିକ ହିତାଧିକାରୀଙ୍କୁ ଦହଗଞ୍ଜ କରୁଛନ୍ତି । ଏହାକୁ ନେଇ ନ୍ୟାୟାଳୟରେ ମାମଲା ବଢ଼ିବା ସହ ସରକାରଙ୍କୁ ଅଯଥା ହଇରାଣ ହରକତ ହେବାକୁ ପଡ଼ୁଛି । ଏମିତିକି ଅଧିକାଂଶ ସମୟରେ ସରକାର ଉଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହେବାକୁ ପଡ଼ୁଛି । ବିଲ୍ଡରମାନଙ୍କ ମନମାନି ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ୨୦୧୭ ମେ’ରୁ ସାରା ଦେଶରେ ଓଡିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ରେରା) ‘ରେରା’ ଆଇନ ଲାଗୁ କରିଛନ୍ତି । ଏହାର ଉଦ୍ଦେଶ୍ୟ ରହିଛି ଯେ, ଗୃହ ନିର୍ମାଣକାରୀ ସଂସ୍ଥାଗୁଡ଼ିକ ସ୍ବଚ୍ଛ ଓ ବ୍ୟବସ୍ଥିତ ଭାବରେ ଗ୍ରାହକଙ୍କୁ ବାସଗୃହ ସହିତ ସେବା ଯୋଗାଇ ଦେବେ ଏବଂ ଗ୍ରାହକମାନେ ଶୋଷଣର ଶିକାର ହେବେନାହିଁ । ଏହାକୁ ନେଇ ପ୍ରତି ରାଜ୍ୟରେ ରେରା ପ୍ରତିଷ୍ଠା କରାଗଲା ଏବଂ ଅପିଲେଟ୍ ଅଥରିଟି ମଧ୍ୟ ସୃ଼ଷ୍ଟି କରାଗଲା । ଇତିମଧ୍ୟରେ ପ୍ରାୟ ୫ ବର୍ଷ ବିତିଗଲାଣି: କିନ୍ତୁ ଗ୍ରାହକଙ୍କ ସମସ୍ୟା ସୁଧୁରି ନାହିଁ । କାରଣ ଗୃହ ନିର୍ମାଣକାରୀ ସଂସ୍ଥା ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ନେଇ ଅଧିକ ଅର୍ଥ ଉପାର୍ଜନ କରିବା ଲାଗି ବେନିୟମ ଉପାୟ ଅବଲମ୍ବନ କରୁଛନ୍ତି । ପ୍ରକଳ୍ପଗୁଡିକ ‘ରେରା’ରେ କେବଳ ଯେ ପଞ୍ଜୀକରଣ କରୁ ନାହାନ୍ତି ତାହା ନୁହେଁ, କେତେକ କ୍ଷେତ୍ରରେ ବିଲ୍ଡର ପ୍ରକଳ୍ପ କାର୍ଯ୍ୟ ଅଧାରୁ ଛାଡି ଦେଇ ଚାଲିଯାଉଛି ତ ଆଉ କେଉଁଠି ସେବା ଅପେକ୍ଷା ଗ୍ରାହକଙ୍କୁ ଶୋଷଣ ମନୋବୃତ୍ତି ରଖୁଛି ।
ଯଦିଓ ରେରା’ ପକ୍ଷରୁ ଗତବର୍ଷ ଜୁନ୍ ମାସରେ ସମସ୍ତ ଜିଲାପାଳଙ୍କୁ ରେରା’ରେ ପଞ୍ଜିକୃତ ନ ହୋଇଥିବା ପ୍ରକଳ୍ପର ଜମି କିମ୍ବା ଗୃହ ବିକାକିଣା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ତଥାପି ଏହାକୁ ସବ୍ ରେଜିଷ୍ଟ୍ରାରମାନେ ଅନୁପାଳନ କରୁନାହାନ୍ତି । ବିଲ୍ଡରମାନଙ୍କ ହାତବାରିସି ସାଜି ବିଭିନ୍ନ କିସମର ଜମିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରୁଛନ୍ତି । ଏପରିକି ସବ୍-ରେଜିଷ୍ଟ୍ରାରମାନେ ଗୋଟିଏ ସମ୍ପତ୍ତିକୁ ଏକାଧିକ ବ୍ୟକ୍ତିକୁ ବାରମ୍ବାର କିଣାବିକା କରୁଥିବା ଦେଖିବାକୁ ମିଳୁଛି । ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁହା ଗ୍ରାମର ପ୍ରଭାତ କୁମାର ସେନାପତି ନାମକ ଜଣେ ଚାଷୀ ବିଲ୍ଡରର ଶିକାର ହୋଇଛନ୍ତି । ତାଙ୍କର ଜମିକୁ ଚଞ୍ଚକତା କରି ନେବାକୁ ବିଲଡର ଚାରିପଟୁ ମାୟାଜାଲ୍ ବିଛାଇଛି । ଏହାକୁ ନେଇ ଶ୍ରୀ ସେନାପତି ଭୁବନେଶ୍ବର ଡିସିପିଙ୍କଠାରୁ ଆରମ୍ଭ କରି ରାଜସ୍ବ ବିଭାଗ ସଚିବ ଓ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି, ହେଲେ ସୁଫଳ ମିଳିନାହିଁ । କେବଳ ଯେ ପ୍ରଭାତ ବିଲ୍ଡରଙ୍କ ପଞ୍ଝାରେ ପଡିଛନ୍ତି ତାହା ନୁହେଁ ସବ୍-ରେଜିଷ୍ଟ୍ରାରଙ୍କ ଉଦ୍ଦେଶ୍ୟମୂଳକ ମନୋବୃତ୍ତି ଯୋଗୁଁ ଶତାଧିକ ଚାଷୀ ବିଭିନ୍ନ ସ୍ଥାନରେ ଏଭଳି ଭାବେ ସମସ୍ୟା ଭୋଗୁଛନ୍ତି । ବିଲ୍ଡରମାନଙ୍କ ଏଭଳି ମନମାନିକୁ ନେଇ ‘ରେରା’ ପକ୍ଷରୁ ଭୁବନେଶ୍ବର, ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ), ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ(ପିକେଡ଼ିଏ), କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ(କେଏନଡିଏ)ଙ୍କ ଭଳି ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଅନୁମୋଦିତ ପ୍ରକଳ୍ପ ଗୁଡିକର ତାଲିକା ଦାଖଲ ପାଇଁ ଚିଠି କରାଯାଉଛି ।
