ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ ପାଇଁ ଟଙ୍କା ଆଦାୟ, ପ୍ରତିବାଦ କରିବାରୁ ମହିଳା ପ୍ରଶାସନିକ ଅଧିକାରୀ-ଦଇତାପତି ଠେଲାପେଲା

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଏବେ ଅଣସର ନୀତି ଚାଲିଛି । ଅଣସର ଘରେ ବିଜେ ମହାପ୍ରଭୁଙ୍କ ଘନ ଅନ୍ଧାରରେ ଗୁପ୍ତ ନୀତି ଚାଲିଛି । ଶ୍ରୀଜିଉଙ୍କ ବଦଳରେ ଏବେ ଜୟ-ବିଜୟ ଦ୍ବାର ନିକଟରେ ପଟିଦିଅଁ ଦର୍ଶନ ଦେଉଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କୁ ଦର୍ଶନ କରି ଫେରୁଛନ୍ତି । ଏଭଳି ସ୍ଥିତିରେ ଜୋର ଜବରଦସ୍ତ ଟଙ୍କା ଆଦାୟକୁ ନେଇ ଭକ୍ତ-ସେବାୟତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ଆଦାୟ ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିବାବେଳେ ଏହାର ଖୋଲା ଉଲ୍ଲଂଘନ କରି ଦଇତାପତି ସେବକମାନେ ପଟିଦିଅଁଙ୍କୁ ପାଖରୁ ଦର୍ଶନ କରାଇ ଦେବା ପାଇଁ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି । ଏହାକୁ ବିରୋଧ କରିବାରୁ ଜଣେ ମହିଳା ପ୍ରଶାସନିକ ଅଧିକାରୀ ଓ ଦଇତାପତି ସେବକଙ୍କ ମଧ୍ୟରେ ଗତକାଲି ରାତିରେ ମୁହାଁମୁହିଁ ସହ ଠେଲାପେଲା ପରିସ୍ଥିତି ଉପୁଜିଛି । ପରେ ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାର ଆପୋସ ସମାଧାନ କରାଯାଇଛି । ମହିଳା ପ୍ରଶାସନିକ ଅଧିକାରୀ ଜଣକ ଜଣେ ଡେପୁଟି କଲେକ୍ଟର ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ସ୍ନାନଯାତ୍ରା ପରଠାରୁ ଜୟ-ବିଜୟ ଦ୍ବାର ନିକଟରେ ପଟଦିଅଁ ପୂଜା ପାଉଛନ୍ତି । ବାହାର କାଠରୁ ଭକ୍ତମାନେ ପଟଦିଅଁଙ୍କୁ ଦର୍ଶନ କରୁଛନ୍ତି । କିନ୍ତୁ ଦଇତାପତି ସେବକମାନେ ବାହାର କାଠ ଡେଇଁ ପଟଦିଅଁଙ୍କ ପାଖକୁ ଭକ୍ତଙ୍କୁ ନେବାକୁ ଜଣକ ପିଛା ୨୦ ଟଙ୍କା ଲେଖାଏଁ ଟଙ୍କା ଆଦାୟ କରୁଛନ୍ତି । ଗତକାଲି ମହିଳା ପ୍ରଶାସନିକ ଅଧିକାରୀ ନିଜ ସ୍ବାମୀ ଓ ପୁଅ ସହ ଶ୍ରୀମନ୍ଦିରକୁ ଆସିଥି‌ଲେ । ପଟିଦିଅଁଙ୍କୁ ଦର୍ଶନ କରିବାକୁ ସମସ୍ତ ଭକ୍ତ ଯାଉଥିବା ଦେଖି ମହିଳା ପ୍ରଶାସନିକ ଅଧିକାରୀ ସ୍ବାମୀ ଓ ପୁଅ ସହ ଭିତରକୁ ଯିବାକୁ ଚାହିଥିଲେ । କିନ୍ତୁ ଟଙ୍କା ନ ଦେଲେ ଭିତରକୁ ଛଡ଼ାଯିବନି ବୋଲି ଉପସ୍ଥିତ ଦଇତାପତି ସେବକମାନେ କହିଥିଲେ । ଏହାକୁ ନେଇ ଯୁକ୍ତିତର୍କ ଓ ପରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ମହିଳା ପ୍ରଶାସନିକ ଅଧିକାରୀ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ବିବାଦ ଉଗ୍ରରୂପ ନେବାରୁ ପରେ ଗାରଦରେ ଦୁଇପକ୍ଷଙ୍କୁ ଡକାଇ ଆଲୋଚନା କରାଯାଇଥିଲା । ପରିମାଣିକ ଦର୍ଶନ ବାବଦକୁ ଏହି ଟଙ୍କା ଆଦାୟ ହେଉଥିବା ଦଇତାପତି ସେବକମାନେ ଯୁକ୍ତି ବାଢ଼ିଥିଲେ । କିନ୍ତୁ ପରିମାଣିକ ଦର୍ଶନ ବାବଦ ଟଙ୍କା ପରେ ଦିଆଯିବ, ଏବେ ଟଙ୍କା ଆଦାୟ କରନି ବୋଲି ଜିଲ୍ଲାପାଳ କହିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଆଦେଶକୁ କେହି ମାନି ନଥିବା ଦେଖିବାକୁ ମିଳିଛି । ଆଜି ବି ପ୍ରତ୍ୟେକ ଭକ୍ତଙ୍କ ଠାରୁ ୨୦ ଟଙ୍କା ଆଦାୟ ହେଉଥିବା ଦେଖିବାକୁ ମିଳିଛି । ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି ।

ଅନ୍ୟପଟେ ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ପ୍ରତି ବର୍ଷ ପରିମାଣିକ ଦର୍ଶନ ବାବଦକୁ ଏହି ଟଙ୍କା ଆଦାୟ କରାଯାଏ । ଗତକାଲି ମହିଳା ଜଣକ ଅଯଥା ଯୁକ୍ତି କରିବା ସହ ଦର୍ଶନର ବାଟ ଓଗାଳିଥିଲେ । ଏଣୁ ଉପସ୍ଥିତ ଦଇତାପତିମାନେ ତାଙ୍କୁ ବାଟରୁ ହଟିଯିବାକୁ କହିଥିଲେ । କିନ୍ତୁ ସେ ହଟିନଥିଲେ । ଯେଉଁଥିପାଇଁ ଯୁକ୍ତିତର୍କ ପରିସ୍ଥିତି ଉପୁଜିଥିଲା । ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇସାରିଛି । କିନ୍ତୁ ପ୍ରଶାସନିକ ଅଧିକାରୀ ଜଣକ ଏହାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *