ଭୁବନେଶ୍ବର : ରାଜ୍ୟ ସଂଗ୍ରହାଳୟରେ ଥିବା ପକ୍ଷୀ ଗ୍ୟାଲେରିରେ କିଛି ତ୍ରୁଟି ଥିବା ନେଇ ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଗ୍ୟାଲେରିରେ ଲଗାଯାଇଥିବା ପକ୍ଷୀଙ୍କ ଫଟୋର ନାମକରଣ ଭୁଲ ହୋଇଛି । ରାଜ୍ୟ ସଂଗ୍ରହାଳୟକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ଏଭଳି ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ । ବିଶେଷକରି ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ୁଛନ୍ତି । ତେଣୁ ଆମ ରାଜ୍ୟର ଗର୍ବ ଓ ଗୌରବ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପକ୍ଷୀ ଗ୍ୟାଲେରିର ତ୍ରୁଟି ସଂଶୋଧନ କରି, ପର୍ଯ୍ୟଟକଙ୍କୁ ସଠିକ ଜ୍ଞାନ ଓ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରୁଛି ।
ଏଥିସହ କେଉଁଠି ତ୍ରୁଟି ରହିଛି ତାହାର ଏକ ତାଲିକା ଫଟୋ ସହିତ ପ୍ରମାଣ ଆକାରରେ ସଂଲଗ୍ନ କରି ପ୍ରଦାନ କରୁଛି । ପକ୍ଷୀମାନଙ୍କର ସଠିକ ଚିହ୍ନଟ ଲାଗି ଏକ ବୈଷୟିକ ଟିମ୍ ଗଠନ କରାଯାଇ ସହ ନାମକରଣ ଫଳକ ଲଗାଯାଉ । ଅଭିଯୋଗ ନେଇ ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଭାଗ୍ୟଲିପି ମଲ୍ଲ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ମୋ ପାଖରେ ପହଞ୍ଚିଛି । ଯଦି ସେମିତି କିଛି ତ୍ରୁଟି ହୋଇଥାଏ, ପକ୍ଷୀ ବିଶେଷଜ୍ଞଙ୍କୁ ଡାକି ଯାଞ୍ଚ କରାଯିବ । ଆବଶ୍ୟକ ହେଲେ ନାମ ଫଳକ ବଦଳିବ ।
