ମୃତ୍ୟୁ ସହ ୨୦ ଘଣ୍ଟାର ଲଢ଼େଇ : ଗଭୀର ସମୁଦ୍ରରେ ବୁଡ଼ିଗଲା ମାଛଧରା ଟ୍ରଲର୍‌, ୧୩ ଜଣ ମତ୍ସ୍ୟଜୀବୀ ମୃତ

ରାଜନଗର : ଗଭୀର ସମୁଦ୍ର ଭିତରେ ବୁଡ଼ିଗଲା ମାଛଧରା ଟ୍ରଲର୍‌ । ଏହି ଟ୍ରଲ୍‌ର ଭିତରେ ଥିବା ୧୩ ଜଣ ମତ୍ସ୍ୟଜୀବୀ ମୃତ୍ୟୁ ସହ ୨୦ ଘଣ୍ଟା ଧରି ଲଢ଼େଇ କରିଥିଲେ । ସେମାନଙ୍କୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣେ ଏବେ ବି ନିଖୋଜ ରହିଛନ୍ତି । ଅନ୍ୟ ପକ୍ଷରେ, ବୁଡ଼ି ଯାଇଥିବା ଟ୍ରଲର୍‌କୁ ଖୋଜି ପାଇବାରେ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର ନିୟୋଜିତ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ଅଞ୍ଚଳର ‘ଉପାସନା-୧’ ନାମକ ଟ୍ରଲର୍‌ ଗତ ୧୪ ତାରିଖ ଦିନ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲା । ଗଭୀର ସମୁଦ୍ରର ତେନ୍ତୁଳିଆରୁ ଦକ୍ଷିଣରେ ଟ୍ରଲରଟି ମାଛ ମାରୁଥିଲା । ଗତକାଲି ସମୁଦ୍ରରେ ଅତ୍ୟଧିକ ଲହଡ଼ି ହେବାରୁ ଲହଡ଼ି ମାଡ଼ରେ ଟ୍ରଲର୍‌ର ତଳପଟେ ଫାଟ ସୃଷ୍ଟି ହୋଇ ଭିତରେ ପାଣି ପଶିବା ଆରମ୍ଭ କରିଥିଲା । ଚାଳକ ଏ ନେଇ ମାଲିକ ଓ ଅନ୍ୟ ଦୁଇଟି ଟ୍ରଲର୍‌କୁ ଭିଏଚ୍‌ଏଫ୍‌ ଯୋଗେ ଜଣାଇଥିଲେ । ସେହି ଟ୍ରଲର୍‌ ଦୁଇଟି ଖବର ପାଇ ‘ଉପାସନା-୧’ ମାଛ ମାରୁଥିବା ସ୍ଥାନରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଟ୍ରଲର୍‌ କିମ୍ବା ମତ୍ସ୍ୟଜୀବୀଙ୍କୁ ପାଇ ନଥିଲେ । ସେମାନଙ୍କ ମୋବାଇଲ୍‌ ଲାଗୁ ନଥିବା ବେଳେ ଭିଏଚ୍‌ଏଫ୍‌ ମଧ୍ୟ କାମ କରୁନଥିଲା । ସେମାନେ ଏ ନେଇ ମାଲିକ ଅମଲ କୁମାର ପ୍ରଧାନଙ୍କୁ ଜଣାଇଥିଲେ ।

ଶୁକ୍ରବାର ଭୋର୍‌ ୩ଟା ରୁ ତାଳଚୁଆ ଅଂଚଳରୁ କିଛି ଟ୍ରଲର୍‌ ସମୁଦ୍ର ମଧ୍ୟକୁ ଯାଇ ମତ୍ସ୍ୟଜୀବୀ ଓ ଟ୍ରଲର୍‌କୁ ଖୋଜାଖୋଜି ଆରମ୍ଭ କରିଥିଲେ । କୋଷ୍ଟଗାର୍ଡ ମଧ୍ୟ ଗଭୀର ସମୁଦ୍ରରେ ନିଖୋଜ ଟ୍ରଲର୍‌କୁ ଖୋଜିବା ଜାରି ରଖିଥିଲା । ନିଖୋଜ ଟ୍ରଲର୍‌ରେ ୧୩ ଜଣ ମତ୍ସ୍ୟଜୀବୀ ଥିବାବେଳେ ସେମାନଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର ନିୟୋଜିତ କରାଯାଇଥିଲା । ଆଜି ସକାଳ ପ୍ରାୟ ୧୦ ଟାରେ ତେନ୍ତୁଳିଆରୁ ୫ କିମି ଦୂରରେ ଭାସୁଥିବା ଅବସ୍ଥାରେ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ତାଳଚୁଆ ଅଂଚଳର ଗୋଟିଏ ଟ୍ରଲର ପଟ୍ଟାପାରିଆ ଗ୍ରାମର ମତ୍ସ୍ୟଜୀବୀ ସପନ ପରମାଣିକ ଓ ସାରାଜେନ୍ଦ୍ରପୁରର ନିତାଇ ଦାସଙ୍କୁ ଉଦ୍ଧାର କରି ତାଳଚୁଆ ଆଣିଥିଲା ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ୨୦ ଘଣ୍ଟା ଧରି ମୃତ୍ୟୁ ସହ ସଂଘର୍ଷ କରିଥିଲେ । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ନିତାଇ ଦାସ ଓ ସପନ ପରମାଣିକ ଏ ସମ୍ପର୍କରେ କହିଛନ୍ତି, ‘ଡଲହରା ସେପଟେ ମାଛ ମାରୁଥିବା ବେଳେ ସମୁଦ୍ର ମଧ୍ୟରେ ଜୋରରେ ଲହଡି ଆମ ବୋଟରେ ପିଟି ହୋଇଥିଲା । ଲହଡ଼ି ବୋଟକୁ ଟେକି କଚାଡ଼ି ଦେଇଥିଲା । ଏହି ସମୟରେ ଟ୍ରଲରରେ ଫାଟ ସୃଷ୍ଟି ହୋଇଥିଲା । ଚାହୁଁ ଚାହୁଁ ଟ୍ରଲରଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା । ଟ୍ରଲର୍‌ ବୁଡିଯିବାପରେ ଆମେ ପାଣିରେ ଭାସିବା ଆରମ୍ଭ କରିଥିଲୁ । ସେଠାରେ ପଡ଼ିଥିବା ଅନ୍ୟ ଏକ ଜାଲରେ ଲାଗିଥିବା ବଡ଼ ଡ୍ରମ୍‌କୁ ଧରି ଜୀବନ ଧରି ରହିଥିଲୁ । ମୁହଁରେ ଲୁଣି ପାଣି ମାଡ ହେଉଥାଏ । ଦେହସାରା ମାଛ ବାଡ଼େଇ ହେବା ସହ କଣ୍ଟିଆ ମାଛ କାମୁଡ଼ି ପକାଉଥିଲେ । ଭୋକ ଉପାସରେ ଦୀର୍ଘ ୨୦ ଘଣ୍ଟା ମୃତ୍ୟୁର ସାମ୍ନା କରୁଥିଲୁ । ବଂଚିବୁ ବୋଲି ଆଶା କରିନଥିଲୁ । ଭଗବାନ ଆମକୁ ନୂଆ ଜୀବନ ଦେଲେ ।’

Leave a Reply

Your email address will not be published. Required fields are marked *