ଆର୍‌ଡବ୍ଲୁଏସ୍‌ଏସ୍‌ କେଳେଙ୍କାରୀ : ପାଣି ପ୍ରକଳ୍ପରେ ଗୁପ୍ତ ଟେଣ୍ଡର, ଏସ୍‌ଆର୍‌ସି ଅନୁଦାନ ବି ହଡ଼ପ

ଯାଜପୁର : ଯାଜପୁର ଜିଲ୍ଲାରେ କାର୍ଯ୍ୟକରୁଥିବା ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ(ଚଣ୍ଡିଖୋଲ)ର କେତେକ ଅଧିକାରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ କୋଟିକୋଟି ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଅଚଳ ଓ ନିର୍ମାଣାଧୀନ ପ୍ରକଳ୍ପରେ ମଧ୍ୟ ମରାମତି ନାମରେ ମିଥ୍ୟା ବିଲ୍ କରାଯାଇ ଅର୍ଥ ହଡ଼ପ କରାଯାଇଛି । ଏବେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ବତନ୍ତ୍ର ରିଲିଫ କମିସନ(ଏସଆରସି) ଯୋଗାଇ ଥିବା ଅନୁଦାନକୁ ମଧ୍ୟ ହଡ଼ପ କରାଯାଇଥିବା ଅଭିଯୋଗରୁ ଜଣାପଡ଼ିଛି । ଫଳରେ, ଜିଲ୍ଲାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛନ୍ତି ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ ଯାଜପୁର ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ମରାମତି ବାବଦରେ ବିଞ୍ଝାରପୁର ବ୍ଲକରେ ୪ ବର୍ଷ ୨୦୧୮-୧୯ ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୯୭ ଲକ୍ଷ ୬୭ ହଜାର ୪୭୮ ଟଙ୍କା ବ୍ୟୟ ଦର୍ଶାଯାଇଛି । ଦଶରଥପୁର ବ୍ଲକରେ ଏହି ସମୟରେ ମୋଟ ୧ କୋଟି ୪୦ ଲକ୍ଷ ୧ ହଜାର ୭୨୧ ଟଙ୍କା ମରାମତିରେ ବ୍ୟୟ ହୋଇଛି । ଯାଜପୁର ବ୍ଲକରେ ବି ଗତ ୪ଟି ଆର୍ଥିକ ବର୍ଷରେ ୧ କୋଟି ୬ ଲକ୍ଷ ୬ ହଜାର ୪୬୭ ଟଙ୍କା ମରାମତିରେ ବ୍ୟୟ ହୋଇଥିବାର କାଗଜପତ୍ର ହୋଇଛି । ଧର୍ମଶାଳା ବ୍ଲକରେ ୮୮ ଲକ୍ଷ ୬୨ ହଜାର ୭୭୮ ଟଙ୍କା ଖର୍ଚ୍ଚ ହୋଇଥିବାର କାଗଜପତ୍ରରେ ଉଲ୍ଲେଖ ଅଛି । ବରୀ ବ୍ଲକରେ ୭୮ ଲକ୍ଷ ୨୭ ହଜାର ୪୫୦ ଟଙ୍କା, ସୁକିନ୍ଦା ବ୍ଲକରେ ୩୫ ଲକ୍ଷ ୭୨ ହଜାର ୮୭୧ ଟଙ୍କା, କୋରେଇ ବ୍ଲକରେ ୨୨ ଲକ୍ଷ ୭୭ ହଜାର ୩୫୫ ଟଙ୍କା ଓ ଦାନଗଦୀ ବ୍ଲକରେ ୧୭ ଲକ୍ଷ ୨୫ ହଜାର ୩୭୬ ଟଙ୍କା ମରାମତି ବାବଦରେ ବ୍ୟୟ ହୋଇଥିବାର ଦର୍ଶାଯାଇଛି । ସେହିପରି ଗତ ୨ ବର୍ଷରେ ରସୁଲପୁର ବ୍ଲକରେ ୪୦ ଲକ୍ଷ ୪୫ ହଜାର ୩୦୧ ଟଙ୍କା ଓ ବଡ଼ଚଣା ବ୍ଲକରେ ୨୪ ଲକ୍ଷ ୩୬ ହଜାର ୬୦୬ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଲ୍ ହୋଇଛି । ଜିଲ୍ଲାର ମୋଟ ୧୦ଟି ବ୍ଲକରେ ଜଳ ଯୋଗାଣ ପ୍ରକଳ୍ପ ମରାମତି କାର୍ଯ୍ୟ ପାଇଁ ମୋଟ ୬ କୋଟି ୫୧ ଲକ୍ଷ ୨୩ ହଜାର ୪୦୩ ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି ।

ସେଥିମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଅର୍ଥ କମିସନ୍ ଅନୁଦାନ, ଏସ୍‌ଆରସି, ଓଏମ୍‌ ( ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ), ଆରଏମ୍‌ ( ପୁନଃଉଦ୍ଧାର ମରାମତି) ନାମରେ ସରକାରୀ ଅନୁଦାନରେ ବ୍ୟୟ ହୋଇଛି ବୋଲି ସରକାରୀ ତଥ୍ୟକୁ ଜଣାପଡ଼ିଛି । କେବଳ ତିତିଲରେ ଏସ୍‌ଆରସି ଅନୁଦାନ ୧ କୋଟି ୫୩ ଲକ୍ଷ ୯୭ ହଜାର ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି । କେବଳ କାଗଜପତ୍ରରେ ଏହି ଅନୁଦାନ ଖର୍ଚ୍ଚ କରି ଅର୍ଥ ହଡ଼ପ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏହା ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବିନାଟେଣ୍ଡରରେ ହୋଇଥିବା ହରିଲୁଟ୍ ଲୋକଲୋଚନକୁ ଆସିପାରିବ ବୋଲି ଏଭଳି କାର୍ଯ୍ୟକୁ ପସନ୍ଦ କରୁନଥିବା ବିଭାଗର କେତେକ କମର୍ଚାରୀ ଓ ଠିକାଦାର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *