ଭୁବନେଶ୍ବର : ଆଉ ଅଳ୍ପ ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁବ । ହେଲେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ଏବେ ବି ପ୍ରଚଣ୍ଡ ତାତିରେ ସିଝୁଛି । ରବିବାର ଦିନ ରାଜ୍ୟର ୧୧ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୩ ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଏଥିସହ ଝାରସୁଗୁଡ଼ା (୪୨.୨ଡିଗ୍ରି), ସମ୍ବଲପୁର (୪୨.୬ ଡିଗ୍ରି), ସୁନ୍ଦରଗଡ଼ ଓ ବୌଦ୍ଧ (୪୨.୫ଡିଗ୍ରି), ମାଲକାନଗିରି ଓ ବରଗଡ଼ରେ (୪୨ ଡିଗ୍ରି) ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏମିତି ତାତି ଜାରି ରହିବ । ପରେ ଧୀରେଧୀରେ ତାତି କମିବ । ୧୪ ରୁ ଉପକୂଳ ଓ ୧୫ ତାରିଖରୁ ସାରା ରାଜ୍ୟରେ ତାତି କମିବା ଆରମ୍ଭ ହୋଇଯିବ । ରଜକୁ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ । ମନ୍ଥର ଗତି ଯୋଗୁଁ ୧୬ କିମ୍ବା ୧୭ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟର କିଛି ଅଂଶ, କେନ୍ଦ୍ରୀୟ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, ସମ୍ପୂର୍ଣ୍ଣ ତାମିଲନାଡ଼ୁ ଓ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ । ଏହାର ପରବର୍ତୀ ୩ ଦିନରେ ଅର୍ଥାତ୍ ରଜକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ୩ ଦିନରେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ସମେତ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ । ଅର୍ଥାତ୍ ଶେଷ ରଜକୁ (୧୬ ତାରିଖରେ) ରାଜ୍ୟରେ ମୌସୁମୀ ସକ୍ରିୟ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଆସନ୍ତା ୧୪ ତାରିଖରୁ ରାଜ୍ୟରେ ତାତି କମିବା ଆରମ୍ଭ କରିବ ଓ ୧୭ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସେ କହିଛନ୍ତି, ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ତାତି ୧୪ ରୁ ଓ ଆଭ୍ୟନ୍ତର ଓଡ଼ିଶାର ତାତି ୧୫ ତାରିଖରୁ କମିବ । ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ମଧ୍ୟରେ ରହିବ । ଚଳିତ ବର୍ଷ କେରଳକୁ ମୌସୁମୀ ୪ ଦିନ ଆଗରୁ ଛୁଇଁଥିଲା । କିନ୍ତୁ ତା’ପରେ ଦୁର୍ବଳ ଓ ମନ୍ଥର ଗତି ହେତୁ ପ୍ରାୟ ୧୨ ଦିନ ବିଶେଷ ଅଗ୍ରଗତି ନ କରି କେବଳ ଦକ୍ଷିଣ-ପଶ୍ଚିମ ଉପକୂଳରେ ସୀମିତ ରହିଥିଲା । ଗତ ୩ ଦିନ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି । ଯଦିଓ ବର୍ତ୍ତମାନ ଅରବ ସାଗରୀୟ ମୌସୁମୀ ଶାଖା ସକ୍ରିୟ ପାଇଁ ଅନୁକୂଳ ପରିବେଶ ରହିଛି, ଏହା ବଙ୍ଗୋପସାଗରୀୟ ମୌସୁମୀ ଶାଖାକୁ ମଧ୍ୟ କିଛି ମାତ୍ରାରେ ସକ୍ରିୟ କରିବ। ଫଳରେ ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ସମସ୍ତ ପୂର୍ବ ଉପକୂଳ ଓ ସଂଲଗ୍ନ ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପୂର୍ବ ଉତ୍ତର ପ୍ରଦେଶରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଜୁନ୍ ଶେଷ ସପ୍ତାହରେ ଅଧିକ ବର୍ଷା ହେବାର ମଧ୍ୟ ସଂକେତ ମିଳୁଛି ।
