କଟକ : ପୁଣି କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ନିଗମର ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପାଟଣା ବମ୍ଫକୁଦ ଠାରେ ଥିବା ୱାଲର୍ଡ ସ୍କିଲ ସେଣ୍ଟର ଶିକ୍ଷାନୁଷ୍ଠାନ ଛାତ୍ରାବାସର ୧୩ ଜଣ ବିଦ୍ୟାର୍ଥୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ଶିକ୍ଷାନୁଷ୍ଠାନର ଛାତ୍ରାବାସକୁ ଯାତାୟାତ ଉପରେ କଟକଣା ଲଗାଯାଇଛି ।
ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଦଳ ସେଠାରେ ପହଞ୍ଚି ସଂକ୍ରମିତଙ୍କ ସ୍ପର୍ଶରେ ଆସିଥିବା ଅନ୍ୟ ବିଦ୍ୟାର୍ଥୀଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । କେତେକ ବିଦ୍ୟାର୍ଥୀଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ପ୍ରାୟ ୬୫ ଜଣଙ୍କ ବିଦ୍ୟାର୍ଥୀଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ଏଥିରୁ ୧୩ ଜଣ ବିଦ୍ୟାର୍ଥୀ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼଼ିପାରେ ବୋଲି ନିଗମ ପକ୍ଷରୁ ଆଶଙ୍କା କରାଯାଉଛି । ଛାତ୍ରଛାତ୍ରୀ ଏକାଠି କ୍ଲାସ କରୁଥିଲେ । ଛାତ୍ରୀମାନଙ୍କ ମଧ୍ୟ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପାଟଣା ଠାରେ ୱାର୍ଲଡ ସ୍କିଲ ସେଣ୍ଟର ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଛି ।
ପ୍ରଥମେ କେତେକ ପିଲା ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇ ବମ୍ଫକୁଦ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଲକ୍ଷଣ ଜଣାପଡ଼ିବା ପରେ ଡାକ୍ତର କରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ପୁନର୍ବାର ତିନିଜଣ ଛାତ୍ରଙ୍କ ଠାରେ ସମାନ ଲକ୍ଷଣ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପରେ କରୋନା ପରୀକ୍ଷା କରିବା ପରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସିଏମ୍ସିକୁ ଅବଗତ କରାଇଥିଲେ । ନିଗମ ପକ୍ଷରୁ ତତ୍କାଳ ଦଳ ବା ରାପିଡ୍ ରେସପନ୍ସ ଟିମ୍ ହଷ୍ଟେଲରେ ପହଞ୍ଚି ଛାତ୍ରଙ୍କର ନମୁନା ସଂଗ୍ରହ କରିଥିଲେ । ସମୁଦାୟ ୨୦୦ ଛାତ୍ର ରହୁଥିବାବେଳେ ୬୫ ଜଣଙ୍କ କରୋନା ପରୀକ୍ଷା କରାଯାଇଛି । ଅବଶିଷ୍ଟ ୧୪୨ ଛାତ୍ରଙ୍କର ଗୁରୁବାର କରୋନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।
