ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ : ଚାଲିଛି ଇଲେକ୍ଟ୍ରିକାଲ୍‌ ରୁମ୍‌ ନିର୍ମାଣ, ଲୁଚିଯିବ ମେଘନାଦ ପାଚେରି

ପୁରୀ : ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟବ୍ୟାପୀ ତୁମ୍ବିତୋଫାନ ଚାଲିଥି‌ଲେ ବି ଅଟକି ନାହିଁ ନିର୍ମାଣ କାର୍ଯ୍ୟ । ହାଇକୋର୍ଟଙ୍କୁ ପ୍ରତ୍ନତତ୍ତ୍ବ ବିଭାଗ ଏହି ପ୍ରକଳ୍ପ କାମ ବେଆଇନ୍‌ ବୋଲି ଦର୍ଶାଇ ସାରିଲାଣି । ପ୍ରତ୍ନତତ୍ତ୍ବ ବିଭାଗ ଓ ଏନ୍ଏମ୍‌ଏ ବି ଏହି ପ୍ରକଳ୍ପ ପାଇଁ କୌଣସି ଅନୁମତି ଦେଇନଥିବା ସୂଚନା ଅଧିକାର ବଳରେ ସ୍ପଷ୍ଟ କରି ସାରିଲେଣି । ଏହା ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ଓ ଠିକା ସଂସ୍ଥା ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ପଶ୍ଚିମଦ୍ବାର କୋଣରେ ଯେଉଁ ଇଲେକ୍ଟ୍ରିକାଲ୍‌ ରୁମ ନିର୍ମାଣ ଚାଲିଛି, ତାର ଅଢ଼ୁଆଳରେ ଏବେ ଶ୍ରୀମନ୍ଦିର ଓ ମେଘନାଦ ପାଚେରିର ସୌନ୍ଦର୍ଯ୍ୟ ଲୁଚିଯିବାକୁ ବସିଲାଣି । ଯେଉଁ ଘର ସବୁ ନିର୍ମାଣ କରାଯାଇଛି, ତା’ ଠାରୁ ଇଲେକ୍ଟ୍ରିକାଲ୍‌ ରୁମ୍‌ ଢ଼େର ଅଧିକ ଉଚ୍ଚା ହୋଇଥିବାରୁ ଏଭଳି ସମ୍ବେଦନଶୀଳ ପରିସ୍ଥିତି ଦେଖାଦେଇଛି । ଯାହାକୁ ଭକ୍ତ, ଶ୍ରୀଜଗନ୍ନାଥ ପ୍ରେମୀ, ସଂଗଠକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଆଇନ୍‌ ବୋଲି ଆରମ୍ଭରୁ ଅଭିଯୋଗ ହୋଇଆସୁଛି । କିନ୍ତୁ ଏନ୍ଏମ୍‌ଏ ଏନ୍‌ଓସି ଆଳରେ ଓବିସିସି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଜରିଆରେ ନିର୍ମାଣ କାର୍ଯ୍ୟ ଜାରିରଖିଛି । ଇତି ମଧ୍ୟରେ ପଶ୍ଚିମ ଦ୍ବାର ଓ ଦକ୍ଷିଣ ଦ୍ବାରରେ ଏକାଧିକ ଘର ନିର୍ମାଣ ପରେ ଏବେ ପଶ୍ଚିମ-ଉତ୍ତର ଦ୍ବାର କୋଣ ଓ ଉତ୍ତର ଦ୍ବାରରେ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପଶ୍ଚିମ-ଉତ୍ତରଦ୍ବାର କୋଣରେ ଇଲେକ୍ଟ୍ରିକାଲ୍‌ ରୁମ୍‌ ନିର୍ମାଣ ଚାଲିଥିବା ବେଳେ ହାଇକୋର୍ଟଙ୍କୁ ଶୁଣାଣି ପୂର୍ବରୁ ତରବରିଆ ଭାବେ ଏହାକୁ ଶେଷ କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି । ୫୨୦୦ ବର୍ଗଫୁଟ ଜାଗାରେ ନିର୍ମାଣ ହେଉଥିବା ଏହି ଇଲେକ୍ଟ୍ରିକାଲ୍‌ ରୁମର ମୂଳଦୁଆ ପ୍ରାୟ ୩ ମିଟର ତଳୁ ଉଠିଥିବାବେଳେ ୫୭ଟି ପିଲାର୍‌ ରହିଛି । ପ୍ରାୟ ୫୦/୬୦ ଫୁଟ ଓସାର ଓ ପ୍ରାୟ ୧୮ ଫୁଟ ଲମ୍ବରେ ନିର୍ମାଣ ହେଉଥିବା ଏହି ଇଲେକ୍ଟ୍ରିକାଲ୍‌ ରୁମର ଉଚ୍ଚତା ପଶ୍ଚିମ ଦ୍ବାର ଓ ଦକ୍ଷିଣ ଦ୍ବାରରେ ନିର୍ମାଣ ସରିଥିବା ଘର ଠାରୁ ପ୍ରାୟ ୫ ଫୁଟ ଅଧିକ ଉଚ୍ଚ ହେବ । ମୋଟା‌ମୋଟି ଇଲେକ୍ଟ୍ରିକାଲ୍‌ ରୁମ୍‌ ଉଚ୍ଚତା ଦେଖିଲେ ୨୦ ଫୁଟ ହେବ । ଯାହା ଏବେ ଶ୍ରୀମନ୍ଦିର, ମେଘନାଦ ପାଚେରି ସୌନ୍ଦର୍ଯ୍ୟକୁ ଅଢ଼ୁଆଳ କରିବାରେ ଲାଗିଛି ।

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଏନ୍ଏମ୍‌ଏ, ପ୍ରତ୍ନତତ୍ତ୍ବ ବିଭାଗ ଏହି କାମ ପାଇଁ ଅନୁମତି ଦେଇନଥିବା କହିବା ପରେ କିଛି ସନ୍ଦେହର ପ୍ରଶ୍ନ ହିଁ ଉଠୁନି । ଏଠି ସ୍ପଷ୍ଟ ହେଉଛି କି ସବୁ ଆଇନକୁ ଜଳାଞ୍ଜଳି ଦେଇ ଏନ୍ଏମ୍‌ଏର ମିଛ ଏନ୍‌ଓସି ଦେଖାଇ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଠିକା ସଂସ୍ଥା ଏହି ନିର୍ମାଣ କାର୍ଯ୍ୟକୁ ଜୋର ଜବରଦସ୍ତ କରୁଛନ୍ତି । ସେପଟେ ଏହା ପଛରେ ଶ୍ରୀମନ୍ଦିର, ମେଘନାଦ ପାଚେରି ଲୁଚିଯିବା ଆହୁରି ସାଂଘାତିକ କଥା । ଗୁଜୁରାଟ ଭଳି ସିବିଆଇ ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ । ସାମାଜିକ କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, କାମ ‌ବେଆଇନ୍‌ ଜାଣି ବି ନିର୍ମାଣ ଜାରି ରହିବାଠାରୁ ଦୁର୍ଭାଗ୍ୟଜନକ କଥା ଅନ୍ୟ କିଛି ନାହିଁ । ସେପଟେ ଶ୍ରୀମନ୍ଦିର, ମେଘନାଦ ପାଚେରି ସୌନ୍ଦର୍ଯ୍ୟ ଲୁଚାଇବାର ଅଧିକାର କାହାରି ନାହିଁ । ପ୍ରତ୍ନତତ୍ତ୍ବ ବିଭାଗ ଏ ଦିଗରେ ନିରବ ରହିବା, ଆଦୌ ଗ୍ରହଣୀୟ ନୁହେଁ । ଏ ଦିଗରେ ପ୍ରତ୍ନତତ୍ତ୍ବ ବିଭାଗ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଶ୍ରୀ ବରାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *