କଟକ : ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ନଗଦ ୨୬ ଲକ୍ଷ ଟଙ୍କା ଜବତ ହୋଇଛି । ଯୁବକଙ୍କ ନାମ ରାକେଶ ଧଡା (୩୧) । ତେବେ ଏହି ଟଙ୍କା ସେ କେଉଁଠୁ ଆଣିଲେ ତାହାର ପ୍ରମାଣ ନ ମିଳିବାରୁ ପୁଲିସ ଟଙ୍କାକୁ ଜବତ କରି ଆୟକର ବିଭାଗକୁ ହସ୍ତାନ୍ତର କରିଛି ।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଦରଘାବଜାର ଥାନା ପୁଲିସ ପାଟ୍ରୋଲିଂ କଲାବେଳେ ରାକେଶଙ୍କୁ ଧରିଥିଲା । ରାକେଶଙ୍କ ପାଖରେ ଏକ ବ୍ୟାଗ୍ ଥିଲା । ତାହାକୁ ଯାଞ୍ଚ କରିବାରୁ ସେଥିରୁ ୨୬ ଲକ୍ଷ ଟଙ୍କାର କେବଳ ୫୦୦ ଶହ ଟଙ୍କିଆ ନୋଟ୍ ଥିଲା । ୫ ଶହ ଗ୍ରାମର ସୁନା ବିସ୍କୁଟ ବିକ୍ରି କରିବା ପରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ସଂଗ୍ରହ କରି ସେ କୋଲକତା ଫେରୁଥିଲା ବୋଲି ସୂଚନା ଦେଇଥିଲେ । ଉକ୍ତ ସୁନା ବିସ୍କୁଟକୁ ଜିଏସ୍ଟି ଫାଙ୍କି କରି ବିକ୍ରି ପାଇଁ ସେ ଆଣିଥିବା ଜଣାଇଥିଲେ । ଏପରିକି ଉକ୍ତ ବିସ୍କୁଟକୁ ସେ ମୁଜିବୁର ରେହମାନ ନାମକ ବ୍ୟକ୍ତିଙ୍କୁ ବିକିଥିବା ପୁଲିସ ଆଗରେ ପ୍ରକାଶ କରିଥିଲେ । ତେଣୁ ପୁଲିସ ତୁରନ୍ତ ମୁଜିବୁର ରେହମାନର ବାଖରାବାଦରେ ଥିବା ଗହଣା ତିଆରି କାରଖାନା ଓ ଜୁମା ମସଜିଦ ପାଖରେ ଥିବା ଭଡ଼ାଘରେ ଚଢଉ କରିଥିଲା । ହେଲେ, ସେଠାରୁ ସୁନା ବିସ୍କୁଟ ମିଳି ନଥିଲା । ମୁଜିବୁର ରେହମାନଙ୍କ କହିବା ଅନୁସାରେ, ସେହି ବିସ୍କୁଟକୁ ସେ ଜଣେ ଅଚିହ୍ନା ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛନ୍ତି । ଏଭଳି ସ୍ଥିତିରେ ସୁନା ବିସ୍କୁଟ ନ ପାଇ ପୁଲିସ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଛି ।
