ଚୌଦ୍ୱାର : ଚୌଦ୍ୱାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ଏହାର ସଂମ୍ପ୍ରସାରଣ କାର୍ଯ୍ୟ କରୁଥିବା ଗାୟତ୍ରୀ କନ୍ଷ୍ଟ୍ରକ୍ସନ୍ ନାମକ ଠିକାସଂସ୍ଥା ଦୀର୍ଘ ୪ ବର୍ଷ କାଳ ମନ୍ଥର ଗତିରେ କିଛି କାର୍ଯ୍ୟକରି ରାସ୍ତାକୁ ଅଧା ପନ୍ତରିଆ କରି ଅଧାରେ କାମ ଛାଡି ଗତ ୧ ବର୍ଷ ହେବ ଚାଲିଯାଇଛି । ଫଳରେ ଶୋଚନୀୟ ଅବସ୍ଥାରେ ଥିବା ଏହି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ଘଟୁୁଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ଭୁଖୀନ ହେଉଛନ୍ତି । ବିଶେଷକରି ମଙ୍ଗୁଳି ଠାରୁ ଧୁମାବତୀ ଛକ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ଦୀର୍ଘ ରାସ୍ତା ଅତି ଅତି ମାତ୍ରାରେ ଶୋଚନୀୟ ହୋଇପଡ଼ିଛି ।
ଏହି ରାସ୍ତାରେ ଗତ ୩ ବର୍ଷ ଭିତରେ ଦୁର୍ଘଟଣାରେ ୨୦ ଜଣଙ୍କ ଜୀବନ ଯିବା ସହିତ ବହୁ ଲୋକ ଆହତ ହେଲେଣି । ଯାହାକୁ ନେଇ ଚୌଦ୍ୱାର ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗାୟତ୍ରୀ ଠିକା ସଂସ୍ଥାର ମନ୍ଥର କାମ ପାଇଁ ରାଜପଥ ପ୍ରାଧିକରଣ ତରଫରୁ ତାକୁ କାର୍ଯ୍ୟରୁ ଅନ୍ତର କରାଯାଇ ଏବେ ମହେନ୍ଦ୍ର ସ୍ୱାଇଁ ଇମ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ(ଏମ୍ଏସ୍ଆଇଏଲ) ନାମକ ଅନ୍ୟଏକ ଠିକା ସଂସ୍ଥାକୁ କାର୍ଯ୍ୟଭାର ଅର୍ପଣ କରାଯାଇଛି । ଉକ୍ତ ସଂସ୍ଥା ଗତ ୧୫ ଦିନ ହେବ ରାଜପଥର ସର୍ଭିସ୍ ରୋଡ଼ କାର୍ଯ୍ୟ ଆରମ୍ଭ କରିଛି । ହେଲେ ଏହି ଠିକାସଂସ୍ଥା ନିମ୍ନ ମାନର କାର୍ଯ୍ୟ କରୁଥିବା ସ୍ଥାନୀୟ ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ କରାଯାଇଛି । ଏନେଇ ସୂଚନା ଅଧିକାର ଅଭିଯାନର କିଛି କର୍ମୀ ଚୌଦ୍ୱାର ଥାନାରେ ଏମ୍ଏସ୍ଆଇଏଲ ବିରୋଧରେ ଏକ ଏତାଲା ଦେଇ ଏହି ସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଥିବା, ଜାଲିଆତି କରୁଥିବା ଏବଂ ସରକାରୀ ଅର୍ଥ ହଡ଼ପ କରୁଥିବା ଅଭିଯୋଗ କରି ଏହା ବିରୋଧରେ ଅଈନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
