କଟକ-ପାରାଦୀପ ରାସ୍ତା ପାର୍ଶ୍ବ ଜମି କେଳେଙ୍କାରୀ : ୧ ଏକର ୮୦ ଡିସିମିଲ୍ ଜମିକୁ ନେଇ ଚାଲିଛି ବେପାର

କଟକ : କଟକ-ପାରାଦୀପ ରାସ୍ତା ପାର୍ଶ୍ବ ଜମି କେଳେଙ୍କାରୀ ଘଟଣାରେ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଛି । ୧ ଏକର ୮୦ ଡିସିମଲ୍‌ ଜମିକୁ ନେଇ ବେପାର ଚାଲିଥିବା ବେ‌ଳେ, ଅଧୀକ୍ଷଣ ଯନ୍ତ୍ରୀ ଓ ତହସିଲ୍‌ କାର୍ଯ୍ୟାଳୟରେ ରେକର୍ଡ ଥାଇ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ସୂଚନା ଅନୁଯାୟୀ, କଟକ-ପାରାଦୀପ ରାସ୍ତାର ଜାତୀୟ ରାଜପଥ ୫୫ ନମ୍ବର ସିଆର୍‌ଆର୍‌ ଆଇ ମୁଖ୍ୟ ଫାଟକ ଠାରୁ କିଛି ଦୂରରେ ରାସ୍ତା ପାର୍ଶ୍ବରେ ଥିବା ବଣବିଦ୍ୟାଧରପୁର ଅଞ୍ଚଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପାରାଦୀପ ବନ୍ଦର ପ୍ରତିଷ୍ଠା ସମୟରେ କଟକ-ପାରାଦୀପ ରାସ୍ତାର ସଂପ୍ରସାରଣ ଯୋଜନାରେ ଯୋବ୍ରାସ୍ଥିତ ଆର୍ ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୯୬୩ରେ ରାସ୍ତା ପାର୍ଶ୍ବରେ ଥିବା ବେସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ଗେଜେଟ୍‌ ପ୍ରକାଶ ପାଇଥିଲା । ଜମି ଅଧିଗ୍ରହଣ କରିବା ପରେ ଏଥିପାଇଁ ସଂପୃକ୍ତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ଧାର୍ଯ୍ୟଦର ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ଏହି ଅଧିଗ୍ରହଣ ଜମିର ଏକକିତା ନକଲ ଆର୍ ଆଣ୍ଡ ବି ପାଖରେ ଥିବାବେଳେ, ଅନ୍ୟ ନକଲ କଟକ ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ ରହିଛି । ପରବର୍ତ୍ତୀ ସମୟରେ ଆର୍ ଆଣ୍ଡ ବି ଅଫିସ କଟକରୁ ଜଗତସିଂହପୁର ଜିଲ୍ଲାକୁ ଉଠିଗଲା । କିନ୍ତୁ, ରାଜସ୍ୱ ବିଭାଗ ଅବହେଳାରୁ ସରକାର ଅଧିଗ୍ରହଣ କରିଥିବା ଜମି ସରକାରୀ ଖାତାକୁ ନଆସି ପୂର୍ବପରି ଜମି ମାଲିକଙ୍କ ନାଁରେ ରହିଗଲା । ଜମି ମାଲିକମାନେ ୧୯୬୬ ମସିହାରେ ଅଧିଗ୍ରହଣ ଜମିର ପ୍ରାପ୍ୟ ଆର୍ ଆଣ୍ଡ ବି କର୍ତ୍ତୃପକ୍ଷଙ୍କ ଠାରୁ ଗ୍ରହଣ କରିଥିବା ରେକର୍ଡ କହୁଛି । କିନ୍ତୁ, ୧ ଏକର ୮୦ ଡିସିମିଲ ଜମି ସେହିଭଳି ପଡ଼ିରହିଲା । ୧୯୬୬ ନଭେମ୍ବର ୧୦ ତାରିଖରେ ତତ୍କାଳୀନ ସଦର ତହସିଲଦାର ବର୍ଷକୁ ୪୦ ଟଙ୍କାରେ ଏହି ସରକାରୀ ଜମିକୁ ଜଣେ ବ୍ୟକ୍ତିଙ୍କୁ ଚାଷ କରିବା ପାଇଁ ଲିଜ୍ ସୂତ୍ରରେ ଦେଇଥିଲେ । ୨୦୦୦ ମସିହାରେ ଆର୍ ଆଣ୍ଡ ବି କର୍ତ୍ତୃପକ୍ଷଙ୍କ କଟକ-ପାରାଦୀପ ରାସ୍ତା ସଂପ୍ରସାରଣ ଯୋଜନା ପାଇଁ ତହସିଲଦାର ସେହି ଲିଜ୍‌କୁ ବାତିଲ କରିଥିଲେ । କିନ୍ତୁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ତ ହେଲାନାହିଁ, ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୯ରେ ପ୍ରଜାଖାନା ସଂଶୋଧନ କରି ସଦର ତହସିଲ ପକ୍ଷରୁ ଜମିର ମୂଳ ମାଲିକଙ୍କ ପରିବାର ଲୋକଙ୍କ ନାମ ଜମି ମାଲିକ ଭାବେ ଚଢ଼ାଇ ଦିଆଗଲା । ସେମାନେ ଏହି ଜମିକୁ ବିକ୍ରି କରି କୋଟିକୋଟି ଟଙ୍କା ଆୟ କଲେ । ସେଥିରେ ବି କେହି କେହି ଘର ନିର୍ମାଣ କରି ଭଡ଼ାଦେବା ଆରମ୍ଭ କଲେ ।

ଜଗତସିଂହପୁର ଆର୍ ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ କହିବା ଅନୁଯାୟୀ ଏହି ଜମି ଅଧିଗ୍ରହଣ ସଂପର୍କିତ ରେକର୍ଡର ଏକକିତା ନକଲ ତାଙ୍କ କାର୍ଯ୍ୟାଳୟରେ ଓ ଆଉ ଏକକିତା ନକଲ ସଦର ତହସିଲଦାରଙ୍କ ପାଖରେ ରହିଛି । କିନ୍ତୁ ଏତେ ସବୁ ତଥ୍ୟ ପ୍ରମାଣ ଥାଇ ବି ରାସ୍ତା ପାର୍ଶ୍ବରେ ଥିବା ଏହି ମୂଲ୍ୟବାନ ଜମିର ମାଲିକାନା ବଦଳିବା, ଜମି କିଣାବିକା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏ ପ୍ରସଙ୍ଗରେ ପ୍ରଶାସନ ଏଯାଏ ବି ଅଦାଲତର ଦ୍ବାରସ୍ଥ ନହେବା ଘଟଣା ସନ୍ଦେହର କାରଣ ହୋଇଛି ।

Leave a Reply

Your email address will not be published. Required fields are marked *