ନୂଆପଡ଼ା : ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ବଢ଼ିବାରେ ଲାଗିଛି ବନ୍ୟଜନ୍ତୁ ଶିକାର । ସୁନାବେଡ଼ା ଅଭୟାରଣ୍ୟ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପରେ ଏବେ ଅସୁରକ୍ଷିତ ରହୁଛନ୍ତି ବନରାଜି । ସରକାର ୧୯୮୪ ମସିହାରେ ସୁନାବେଡ଼ା ଅଭୟାରଣ୍ୟ ଘୋଷଣା କରିଥିଲେ । ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତରେ ବାଘ ତଥା ଅନ୍ୟାନ୍ୟ ବନ୍ୟଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷିତ ବାସସ୍ଥାନ ପାଇଁ ୬ ଶହ ବର୍ଗ କିମି ଆୟତନ ବିଶିଷ୍ଟ ଜଂଗଲକୁ ଏଥିରେ ସାମିଲ କରାଯାଇଛି । ସୁନାବେଡ଼ା ପ୍ରସ୍ତାବିତ ବ୍ୟାଘ୍ର ଅଭୟାରଣ୍ୟ ଓ ଉଦନ୍ତୀ ସୀତାନଦୀ ବ୍ୟାଘ୍ର ପ୍ରକଳ୍ପ ଅଭୟାରଣ୍ୟ ସଂଲଗ୍ନ ହୋଇ ରହିଥିବାରୁ ଏକଦା ଏଠାରେ ବାଘ ବଂଶ ବୃଦ୍ଧି ପାଇଥିଲା ।
୧୯୯୬ରେ କେନ୍ଦ୍ର ସରକାର ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୧୮ ଫେବ୍ରୁଆରିରେ ବନ୍ୟପ୍ରାଣୀ ବିଭାଗ ତରଫରୁ ଅଭୟାରଣ୍ୟରେ ପଗମାର୍କ ଓ କ୍ୟାମେରା ଟ୍ରାକିଂ ସାହାଯ୍ୟରେ ତୃଣଭୋଜି ଓ ମାଂସାସୀ ପ୍ରାଣୀଙ୍କ ଗଣନା କରାଯାଇଥିଳା । ପ୍ରାରମ୍ଭିକ ରିପୋର୍ଟରୁ ୧୪ ରୁ ୧୬ଟି ମହାବଳ ଓ କଲରପତରିଆ ବାଘ ରହିଥିବା ଅନୁମାନ କରାଯାଇଥିଲା । ଅଭୟାରଣ୍ୟରେ ବିରଳ ପ୍ରଜାତିର ବ୍ଲାକ୍ ଟାଇଗର ରହିଥିବା ଜଣାପଡ଼ିଥିଲା । ୨୦୧୯ ଅଗଷ୍ଟ ୨୨ ତାରିଖରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଓଡ଼ିଶା- ଛତିଶଗଡ଼ ରାଜ୍ୟ ବନ୍ୟପ୍ରାଣୀ ବିଭାଗର ବରିଷ୍ଠ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ପ୍ରସ୍ତାବିତ ବ୍ୟାଘ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଲୋଚନା କରିଥିଲେ । ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା ପାଇଁ ମଞ୍ଜୁରି ଦେଇସାରିଥିବା ବେଳେ ରାଜ୍ୟ ସରକାରଙ୍କଠାରେ ପ୍ରସ୍ତାବ ଅଟକି ରହିଛି ।
ଅନ୍ୟପକ୍ଷରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ଅନ୍ତଃରାଜ୍ୟ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ପରିଣାମ ସ୍ବରୂପ ଅଭୟାରଣ୍ୟର ବନ୍ୟପ୍ରାଣୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ନଦେଲେ ସୁନାବେଡ଼ା ଅଭୟାରଣ୍ୟ ବାଘ ଶୂନ୍ୟ ହୋଇଯିବ ବୋଲି ପରିବେଶବିତ୍ମାନେ ଉଦବେଗ ପ୍ରକାଶ କରିଛନ୍ତି । ବନ୍ୟପ୍ରାଣୀ ବିଭାଗର ନିରବତା ଯୋଗୁଁ ସିନାପାଲି ଓ ଗରିଆବନ୍ଧ ଜିଲ୍ଲା ସୀମାନ୍ତରେ ବାଘ ସହ ଅନ୍ୟ ବନ୍ୟପ୍ରାଣୀଙ୍କ ଅଂଗ ପ୍ରତ୍ୟଙ୍ଗ ଚାଲାଣ ଚାଲିଛି । ଗତ ବର୍ଷ ଜୁନ ୭ ତାରିଖ ଦିନ ଗରିଆବନ୍ଧ ଜିଲ୍ଲା ଉଦନ୍ତୀ ସୀତାନଦୀ ଅଭୟାରଣ୍ୟ ଅଧୀନ ଇନ୍ଦାଗାଁ ଥାନା କୁଲିହାଡ଼ିହି ଗାଁ ଧେଲେନ ନାଳ ନିକଟରୁ ଏକ କଲରାପତରିଆ ବାଘକୁ ଦରପୋଡ଼ା ଅବସ୍ଥାରେ ଛତିଶଗଡ଼ ବନ ବିଭାଗ ଜବତ କରିଥିଲା । ବର୍ଷକ ଭିତରେ ସୀମାନ୍ତ ଅଞ୍ଚଳରେ ଗରିଆବନ୍ଧ ଜିଲ୍ଲା ବନ ବିଭାଗ ଏବଂ ଓଡ଼ିଶା ସ୍ପେସାଲ ଟାକ୍ସଫୋର୍ସ ଟିମ୍ ଅନେକ ସ୍ଥାନରେ ଚଢ଼ଉ କରି ବାଘଛାଲ, ନଖ, ବଜ୍ରକାପ୍ତା କାତି ଭଳି ବନ୍ୟଜନ୍ତୁ ଦେହାବଶେଷକୁ ଜବତ କରିଛି । ମାତ୍ର ନୂଆପଡ଼ା ଜିଲ୍ଲାରେ ବନ ବିଭାଗ କୌଣସି ବନ୍ୟଜନ୍ତୁଙ୍କ ଦେହାବଶେଷ ଜବତ କରିପାରି ନାହିଁ । ଏଭଳି ଛତିଶଗଡ଼ ବନ ବିଭାଗକୁ ବହୁ ସଫଳତା ମିଳିଥିବା ବେଳେ ଓଡ଼ିଶା ବନ ବିଭାଗର ଅପାରଗତା ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଛି । ସେ ଯାହା ହେଉନା କାହିଁକି ବର୍ତ୍ତମାନ ସୁନାବେଡ଼ା ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଇଛି । ନଚେତ ଆଗାମୀ ଦିନରେ ଅଭୟାରଣ୍ୟ ବନ୍ୟପ୍ରାଣୀ ଶୂନ୍ୟ ବିଶେଷ କରି ବାଘଶୂନ୍ୟ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି ।
