ଗଞ୍ଜେଇ ଚାଷ ପାଇଁ ହାତୀ ହତ୍ୟା, ସୁପାରି ଦେଇଥିଲେ ମାଫିଆ !

ବୌଦ୍ଧ : ସାଧାରଣତଃ ପ୍ରତିଶୋଧ ଅଥବା ପତିଆରାରେ ବାଧକ ସାଜୁଥିବା ବ୍ୟକ୍ତିଙ୍କୁ ସୁପାରି କିଲର୍‌ ସାହାଯ୍ୟରେ ହତ୍ୟା କରିବା ଶୁଣାଯାଏ । ହେଲେ, ବୌଦ୍ଧ ଜିଲ୍ଲାରେ କୌଣସି ବ୍ୟକ୍ତି ପାଇଁ ନୁହେଁ ବରଂ ହାତୀଙ୍କୁ ହତ୍ୟା କରିବା ପାଇଁ ସୁପାରି କିଲର୍‌ଙ୍କ ସାହାଯ୍ୟ ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗଞ୍ଜେଇ କିଆରି ନଷ୍ଟ କରିଥିବାରୁ ସୁପାରି ଦେଇ ଶିକାରୀ ମଗାଇ ହତ୍ୟା କରାଯାଇଥିବା ଜଣାଯାଇଛି ।

ଧାନ ଚାଷକୁ ବାଦ ଦେଲେ ବୌଦ୍ଧ ଜିଲ୍ଲାରେ ବହୁଳ ଭାବରେ ଗଞ୍ଜେଇ ଚାଷ ହୁଏ । ଏଥିପାଇଁ ସମଗ୍ର ବନାଞ୍ଚଳକୁ କବ୍‌ଜା କରି ରଖିଛନ୍ତି ଗଞ୍ଜେଇ ମାଫିଆ । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ବିସ୍ତୀର୍ଣ୍ଣ ସମତଳ ଭୂମିରୁ ଗଛ କାଟି ଚ‌ାଷୋପଯୋଗୀ କରନ୍ତି । ବୈଜ୍ଞାନିକ ଜ୍ଞାନ କୌଶଳରେ ଗଞ୍ଜେଇ ଚାଷ ହୁଏ । ଅଧିକ ଅମଳ ପାଇଁ ଶ୍ରୀପଦ୍ଧତିରେ ଗଛରୋପଣ କରି ଜଳସେଚନର ବ୍ୟବସ୍ଥା କରାଯାଏ । ଗୋବର ଖତ, ରାସାୟନିକ ସାର ଓ ଜୈବିକ ସାର ପ୍ରୟୋଗ କରି ଅତି ଯତ୍ନ ସହକା‌ରେ ଚାଷ କରାଯାଏ । ସ୍ଥାନୀୟ ଲୋକଙ୍କ ସହାୟତାରେ ମାଫିଆମାନେ ଗଞ୍ଜେଇ ଚାରା ରୋପଣରୁ ଅମଳ ହେବା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଏଥିରୁ କୋଟି କୋଟି ଟଙ୍କା ଆୟ ‌ହୁଏ । ତେଣୁ ଚାଷ ଓ ଅମଳ ସମୟରେ କେହି ବାଧା ସୃଷ୍ଟି କରିବା ମାନେ ମାଫିଆଙ୍କ ଟାର୍ଗେଟ୍‌କୁ ଆସିବା ସାର। ବାହର ଲୋକ ଜଙ୍ଗଲ, ପାହାଡ଼ ଅତିକ୍ରମ କରି ଚାଷ ହେଉଥିବା ସ୍ଥାନକୁ ପହଞ୍ଚିବା ଅସମ୍ଭବ । ସଂଘବନ୍ଧ ଭାବରେ ପର୍ଯ୍ୟାପ୍ତ ପୁଲିସ ବଳ ନେଇ ନଗଲେ ଜୀବନ ଧରି ଫେରିବା ମୁସ୍କିଲ । ଜଙ୍ଗଲରେ ମାଫିଆଙ୍କ ରାଜ୍‌ ଚାଲିଛି । ଏପରି ସ୍ଥଳରେ ଅଧିକାଂଶ ସ୍ଥାନକୁ ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ପହଞ୍ଚି ପାରୁନାହାନ୍ତି ।

ଚଳିତ ମାସ ତିନି ଦିନରେ ଦୁଇଟି ଦନ୍ତା ହାତୀଙ୍କ ମୃତ୍ୟୁ ହେବା ଘଟଣା ପରେ ହାତୀ ମୃତ୍ୟୁର କାରଣ ନେଇ ଏକ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ଅନୁସାରେ ଜଙ୍ଗଲ ମଧ୍ୟରେ ଥିବା ଗଞ୍ଜେଇ କିଆରିକୁ ହାତୀପଲ ପ୍ରତି ବର୍ଷ ନଷ୍ଟ କରୁଛନ୍ତି । ଚଳିତ ବର୍ଷ ଠିକ୍‌ ଅମଳ ସମୟରେ ହାତୀପଲ ମାଡ଼ି ଦଳି ଅନେକ କିଆରି ନଷ୍ଟ କରିଛନ୍ତି । ଫଳରେ ମାଫିଆଙ୍କ କୋଟି କୋଟି ଟଙ୍କାର କ୍ଷତି ହୋଇଛି । ଦନ୍ତା ହାତୀଙ୍କ ନିୟନ୍ତ୍ରଣରେ ହାତୀପଲ ଯାତାୟତ କରୁଥିବାରୁ କିଆରି ନଷ୍ଟ କରିବାରେ ମୁଖ୍ୟତଃ ଦନ୍ତା ହାତୀ ଦାୟୀ । ତେଣୁ ଦନ୍ତା ହାତୀଙ୍କୁ ମାରିବା ପାଇଁ ସୁପାରି ଦେଇ ଶିକାରୀଙ୍କୁ ଡକାଇଥିବା ଚର୍ଚ୍ଚା ହେଉଛି । ପଡ଼ୋଶୀ ଜିଲ୍ଲାର ନାମକରା ଶିକାରୀମାନେ ଆସି ଜଙ୍ଗଲ ଗାଁମାନଙ୍କରେ ଆତ୍ମୀୟ ଭଳି ରହିଥିବା ଜଙ୍ଗଲ ସଂଲଗ୍ନ କିଛି ଗାଁରେ ଆଲୋଚନା ହେଉଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ହାତୀଙ୍କ ଗତିବିଧି ଉପରେ ନଜର ରଖି ସୁଯୋଗ ଦେଖି ଶିକାର କରିଥିବା ସୂଚନା ମିଳିଛି ।

ଏ ବିଷୟରେ ଡିଏଫ୍‌ଓ ଦେବପ୍ରିୟ କମ୍ପଙ୍କ ମତାମତ ଲୋଡ଼ା ଯିବାରେ ହାତୀ ମୃତ୍ୟୁ ଘଟଣା ତଦନ୍ତ ପରିସରରେ ରହିଛି ବୋଲି କହିଛନ୍ତି । ତିନି ଜଣ କର୍ମଚାରୀ ନିଲମ୍ବିତ ହେବା ସହ ହାତୀ ଶିକାରରେ ସଂପୃକ୍ତ ଥିବା ୩ ଜଣଙ୍କୁ ଜେଲ ପଠା ହୋଇଛି । ଅନ୍ୟ ଜିଲ୍ଲାରୁ ଶିକାରୀ ଆସିଥିବା ସୂଚନା ଆମ ପାଖରେ ରହିଛି । ତଦନ୍ତ ଶେଷ ହେବା ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *