ବାଲେଶ୍ବର : ଗୁରୁବାର ବିଳମ୍ବିତ ରାତିରେ ରେମୁଣା ଥାନା ଘେରାଉ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ଥାନା ଘେରାଉ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ମିଳିଥିବା ସୂଚନା ମୁତାବକ ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ ରେମୁଣାରେ ଏକ ଶୋଭାଯାତ୍ରା ବାହାରିଥିଲା । ହେଲେ ୨ ନମ୍ବର ୱାର୍ଡର ବଗଲପୁରଠାରେ ଶୋଭାଯାତ୍ରାରେ ଯାଉଥିବା କିଛି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପତ୍ତିଜନକ ଓ ଅଶୋଭନୀୟ ଥିଲା । ଯାହାକୁ ନେଇ ପୁଲିସ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି । ଘଟଣା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ ନମ୍ବର ୱାର୍ଡ ସମେତ ବିଭିନ୍ନ ସ୍ଥାନରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପୁଲିସ ପ୍ରଶାସନ ଏହା ଉପରେ କଡ଼ା ନଜର ରଖିଥିବା ଜଣାଯାଇଛି । ତେବେ ରେମୁଣା ଥାନା ପକ୍ଷରୁ ଏ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।
