ରାୟଗଡ଼ା : ଉତ୍ପାଦନ ଅବିଭକ୍ତ କୋରାପୁଟରୁ । କିନ୍ତୁ ଯୋଗାଣ ହେଉଛି ସାରା ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟକୁ । ଫଳରେ ୪ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ସତ୍ତ୍ବେ ନିଅଣ୍ଟିଆ ବିଦ୍ୟୁତ୍ ଯୋଗାଣର ଶିକାର ହୋଇ ଅସହ୍ୟ ଗରମ, ଗୁଳିଗୁଳିରେ ଦିନ କାଟିବା ସହ ଅନ୍ଧାରରେ ରାତି ବିତାଉଛନ୍ତି ଦକ୍ଷିଣ ଓଡ଼ିଶାବାସୀ । ସରକାର ଦୈନିକ ଘଣ୍ଟାଏ ବିଦ୍ୟୁତ୍ କାଟ କରିବାକୁ ଘୋଷଣା କରିଥିବା ବେଳେ ଦାୟିତ୍ବରେ ଥିବା ସଂସ୍ଥା ଅଘୋଷିତ ଭାବେ ୫ ରୁ ୬ ଘଣ୍ଟା ବିଦ୍ୟୁତ୍ କାଟୁଛନ୍ତି । ଯାହାକୁ ନେଇ ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।
ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ପରିଗଣିତ ହୋଇ ଆସୁଛି ଓଡ଼ିଶା । ଅବିଭକ୍ତ କୋରାପୁଟର କୋରାପୁଟ ଜିଲ୍ଲାରେ ରହିଛି ମାଛକୁଣ୍ଡ ଓ ଅପରକୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ । ମାଛକୁଣ୍ଡ ପ୍ରକଳ୍ପ ଦୈନିକ ୧୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରଖିଛି । ପ୍ରକଳ୍ପର ମରାମତି ଓ ପରିଚାଳନା ଦାୟିତ୍ବ ଆନ୍ଧ୍ର ସରକାରଙ୍କ ହାତରେ ନ୍ୟସ୍ତ ଥିବାରୁ ଉତ୍ପାଦିତ ବିଦ୍ୟୁତରୁ ସିଂହଭାଗ ଆନ୍ଧ୍ରକୁ ଯୋଗାଣ ହେଉଛି । ଅଧାଦିନ ଏହି ପ୍ରକଳ୍ପ ଅଚଳ ଅବସ୍ଥାରେ ରହୁଥିବାରୁ ଓଡ଼ିଶା ଠିକ୍ ଭାବେ ବିଦ୍ୟୁତ୍ ପାଇପାରୁନି । ମାଛକୁଣ୍ଡ ପ୍ରକଳ୍ପ ଉପରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାବାସୀ ନିର୍ଭର କରୁଥିବା ବେଳେ ବାରମ୍ବାର ୟୁନିଟ୍ ଅଚଳ ଯୋଗୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି । ସେହିପରି ଅପରକୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦୈନିକ ୩୨୦ ମୋଗୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରଖିଛି । ହେଲେ ପରିଚାଳନାଗତ ତ୍ରୁଟି ଯୋଗୁ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ ସ୍ବାଭାବିକ ହୋଇପାରୁନି । ଡ୍ୟାମ ପୋତିହେବା କାରଣରୁ ଜଳଧାରଣ କ୍ଷମତା କମୁଥିବାରୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି ।
ନବରଙ୍ଗପୁର ଜିଲ୍ଲାରେ ରହିଛି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ । ଦୈନିକ ୬୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଯୋଗୁ ଓଡ଼ିଶାର ଅଧା ଜିଲ୍ଲା ଆଲୋକିତ ହେଉଛି । ବିଶେଷକରି ଚାଷ ପାଇଁ ଇନ୍ଦ୍ରାବତୀ ଜଳକୁ ବ୍ୟବହାର କରାଯାଉଥିବାରୁ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁନି । ଯାନ୍ତ୍ରିକ ତ୍ରୁଟି ସାଙ୍ଗକୁ ଡ୍ୟାମ୍ରେ ଆବଶ୍ୟକ ପରିମାଣର ଜଳ ରହୁନଥିବାରୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ମାଲକାନଗିରି ଜିଲ୍ଲାରେ ଥିବା ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପର ଦୈନିକ ଉତ୍ପାଦନ କ୍ଷମତା ରହିଛି ୫୧୦ ମେଗାୱାଟ୍ । ଓଡ଼ିଶାର ପାଖାପାଖି ୫୦ ପ୍ରତିଶତ ବିଦ୍ୟୁତ୍ ଆବଶ୍ୟକତାକୁ ଅବିଭକ୍ତ କୋରାପୁଟର ଏହି ୪ ଜଳ ବିଦ୍ୟୁତ୍ ପ୍ରକଳ୍ପ ପୂରଣ କରି ଆସୁଥିବାବେଳେ ଦକ୍ଷିଣ ଓଡ଼ିଶାବାସୀ କିନ୍ତୁ ଠିକ୍ ଭାବରେ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ୪ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତକୁ ଜୟପୁର ଜୟନଗରରେ ଥିବା ହାଇପାୱାର ଗ୍ରିଡ୍ ଦ୍ବାରା ସାରାଓଡ଼ିଶାକୁ ବଣ୍ଟନ କରାଯାଇଛି । ମାଛକୁଣ୍ଡ ପ୍ରକଳ୍ପରୁ ରାୟଗଡ଼ା ଗ୍ରିଡ୍କୁ, ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୁବାଲି ଗ୍ରିଡ୍କୁ ବିଦ୍ୟୁତ୍ ଯୋଗାଣ ହୋଇଛି । ରାୟଗଡ଼ା ଗ୍ରିଡ୍ ଜିଲ୍ଲା ସଦର ମହକୁମା, କିଛି ଗ୍ରାମାଞ୍ଚଳ ସମେତ ରେଲୱେ ଗ୍ରିଡ୍ ଓ ଆଖୁସିଂ ଗ୍ରିଡ୍କୁ ବିଦ୍ୟୁତ୍ ଯୋଗାଣ କରୁଛି ।
