‘ବିଦ୍ୟୁତ୍ ଦର କମ କର, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଅ’

ଭୁବନେଶ୍ବର : ଓଡ଼ିଶାକୁ ବଳକା ରାଜ୍ୟ ବୋଲି କହୁଛନ୍ତି, ହେଲେ ବିଦ୍ୟୁତ କାଟ କଥା କହିଲେଣି । କୋଟି କୋଟି ଟଙ୍କା ଭିତ୍ତଭୂମି ପ୍ରସ୍ତୁତିରେ ଖର୍ଚ୍ଚ ହେଉଛି ହେଲେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇ ପାରୁନାହିଁ । ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ, ସରବରାହ ଓ ବଣ୍ଟନ କରୁଥିବା ସଂସ୍ଥାମାନଙ୍କର ଆୟ ବ୍ୟୟର ଅଡିଟ୍ ନ କରି ଓଇଆରସି(ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ) ଗତ ଦୁଇ ଦଶନ୍ଧି ଧରି ତାରିଫ୍ ବଢ଼ାଇ ଚାଲିଛନ୍ତି । ଆନୁମ‌ାନିକ ଖର୍ଚ୍ଚକୁ ହିସାବକୁ ନନେଇ ପ୍ରକୃତ ଖର୍ଚ୍ଚକୁ ଅନୁଧ୍ୟାନ କରି ତାରିଫ ନିର୍ଦ୍ଧାରଣ କଲେ ଓଡ଼ିଶା ଭଳି ଏକ ବିଦ୍ୟୁତ୍ ବଳକା ରାଜ୍ୟରେ ୟୁନିଟ୍ ପିଛା ଦର ପ୍ରାୟ ୧ ଟଙ୍କା କମ ହୋଇ ପାରିବ । ଏଣୁ ବିଦ୍ୟୁତ ଦର କମ୍‌ କର ଓ ନିରବଚ୍ଛିନ୍ନ ବିଜୁଳି ଯୋଗାଅ ବୋଲି କହିଛି ଓଡ଼ିଶା ଜନଶକ୍ତି ମଞ୍ଚ(ଓଜେଏମ୍) । ଏ ନେଇ ଆଜି ମାଷ୍ଟରକ୍ୟାଣ୍ଟିନ୍ ଠାରେ ସଂଘ ପକ୍ଷରୁ କରାଯାଇଥିବା ବିକ୍ଷୋଭରେ ଏଭଳି ଦାବି କରିଛନ୍ତି ଓଜେଏମ୍ ଆବାହକ ଅଶୋକ ନନ୍ଦ। ତା’ ସହ ଗତ ଦୁଇ ଦଶନ୍ଧି ଧରି ଯେଉଁ ଅଧିକ ଶୁକ୍ଳ ଜନସାଧାରଣ ମାନଙ୍କ ଠାରୁ ଆଦାୟ କରାଯାଇଛି, ତାହା ଫେରାଇବାକୁ ମଧ୍ୟ ସେ ଦାବି କରିଛନ୍ତି । ସେ ହକିଛନ୍ତି, ଓଡ଼ିଶାରେ କୃଷି ଉନ୍ନତି ପାଇଁ ମାଗଣାରେ କୃଷି କ୍ଷେତ୍ରକୁ ଓ କୃଷିଭିତ୍ତିକ ଶିଳ୍ପକୁ ବିଦ୍ୟୁତ ସଂଯୋଗ କରାଯାଉ ।

ଗ୍ରିଡ୍‌କୋ ଦ୍ବାରା କରାଯାଇଥିବା ବିଦ୍ୟୁତ କଳାବଜାରୀ ପାଇଁ ରାଜ୍ୟ ସରକାର ଉପଭୋକ୍ତାଙ୍କ ଉପରେ ଲଦୁଥିବା ବିଦ୍ୟୁତ୍ ଦର ବୃଦ୍ଧି ବନ୍ଦ କରାଯାଉ । ରାଜ୍ୟ ସରକାର ସୌର ଶକ୍ତି ଉପରେ ପ୍ରାଧାନ୍ୟ ଦେବା ସହ ଉପଭୋକ୍ତାମାନଙ୍କୁ ସୌର ଶକ୍ତି ଉତ୍ପାଦନ ପାଇଁ ପ୍ରତ୍ସାହନ ଦିଅନ୍ତୁ । ଏହା ଫଳରେ ପରିବେଶ ମଧ୍ୟ ରକ୍ଷା କରାଯାଇ ପାରିବ । ମନମୁଖୀ ଅଧିକ ବିଦ୍ୟୁତ୍ ବିଲ ଦେବା ଓ ଗ୍ରୀଷ୍ମ କାଳରେ ବିଦ୍ୟୁତ୍ କାଟ ପାଇଁ ଊପଭୋକ୍ତାମାନେ ହନ୍ତସନ୍ତ ହେଉଛନ୍ତି । ଏଭଳି ଅବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରାଯାଇ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବା ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି । ଏହି ବିକ୍ଷୋଭରେ ବିହାରୀ ପଲାଇ, କ୍ଷୀରୋଦ ରାଉତ, ରୋହନ ମହାନ୍ତି, କପିଳ ଚରଣ ନାୟକ, ଅଶୋକ କୁମାର ନାଥ, ସୁଦର୍ଶନ ପ୍ରଧାନ, ମହେନ୍ଦ୍ର ପରିଡ଼ା, ତୁଷାର ରାୟ, ସଞ୍ଜୟ କୁମାର ପରିଡ଼ା, ଏସ୍ ଜାନକୀ ରାୟ, ସୁଭାଷ ଚନ୍ଦ୍ର ଜେନା, ଜୟରାମ ଦାସ, ସୁରଥ ଜେନା, ବିଦ୍ୟ‌ାଧର ପଲ‌େଇ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *