ଚିକିଟି : ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅହେତୁକ ବୃଦ୍ଧି ପାଉଛି । ଏତିକି ବେଳେ ପୋଡା ଇଟାଭାଟିର ନିଆଁ ଆହୁରି ଗରମକୁ ବୃଦ୍ଧି କରିଛି । ସକାଳୁ ସନ୍ଧ୍ୟା ସବୁବେଳେ ଝାଞ୍ଜି ପବନ ବହୁଛି । ଗୋଟିଏ ପଟେ ଟାଙ୍ଗରା ବଣ ପାହାଡ଼ ପଥରର ସୂର୍ଯ୍ୟକିରଣର ପ୍ରତିଫଳନ ରଶ୍ମି ତ ଅନ୍ୟପଟେ ପୋଡା ଇଟାଭାଟିର ନିଆଁ ଝାସ ପବନ ସାଧାରଣରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଇଟାଭାଟି ଚିମିନିରୁ ବାହାରୁଥିବା ଧୂଆଁରେ ଲୋକେ ଅଣନିଃଶ୍ଵାସୀ ହୋଇଯାଉଥିବା ବେଳେ ତା’ର ପାଉଁଶ ଘର ବାହାର ସବୁଠି ଭର୍ତ୍ତି ହେଉଛି । ଏପରି ଅଭିଯୋଗ ଆସିଛି କେ ନୂଆଗାଁ ଅଂଚଳରୁ । ପୁଲିସ ଥାନା ଠାରୁ ଅନତି ଦୂରରେ ଦୀର୍ଘ ବର୍ଷ ହେଲା ଗଢି ଉଠିଛି ଦୁଇଟି ବେଆଇନ ଇଟାଭାଟି । ପୋଡା ଇଟା ଭାଟିକୁ ଏନଜିଟି ବେଆଇନ କରିଥିବା ବେଳେ ପ୍ରଶାସନର ଗଳା ବାଟରେ ଚାଲିଛି ଏହି ଇତାଭାଟି ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚିକିଟି ତହସିଲ ଅଧିନ ବାହୁଦା ନଦୀ ଉପକୂଳକୁ ଇଟା ମାଫିଆମାନେ ନିଜର ଭୂସ୍ୱର୍ଗ ଭାବିନେଇ ଅବୈଧ ମାଫିଆ ସାମ୍ରାଜ୍ୟ ଚଳାଇଛନ୍ତି । ଗୋଟିଏ ପଟେ କରୋନାରେ ଆକ୍ରାନ୍ତ ହୋଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସି ନଥିବା ବେଳେ ଇଟା ଭାଟିର ଧୂଆଁ ପାଉଁଶରେ ଅଂଚଳରେ ପୁଣି ଶ୍ୱାସ ଜନିତ ରୋଗ ବୃଦ୍ଧି ପାଉଛି । ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ର ତାପରେ ତୃଣମୂଳ ସ୍ତରର ଅଧିକାରୀଙ୍କୁ ହାତବାରିଷୀ କରି ଚାଲିଛି ବେଆଇନ ବେଧଡ଼କ ଇଟାଭାଟି ।ଆଇନର ଗଳା ବାଟକୁ ଆୟୁଧ କରି ସବୁ ଜାଣିମଧ୍ୟ ରାଜସ୍ୱ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ନିରବ ଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ବିଭାଗୀୟ ଅଧିକାରୀଙ୍କ ନିର୍ବଦ୍ରଷ୍ଟା ଇଟା ମାଫିଆ ଓ ସ୍ଥାନୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ଇଙ୍ଗିତ କରୁଛି । ଏହାକୁନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବେଳହୁଁ ସାବଧାନ ନହେଲେ ଆଗକୁ ଗ୍ରୀଷ୍ମ ପ୍ରକୋପ ଅତି ଭୟଙ୍କର ହେବା ସହ ଧନ ଜୀବନ ହାନୀହେବ ଏଥିରେ ସନ୍ଦେହ ନାହିଁ । ଏନେଇ ଚିକିଟି ରାଜସ୍ବ ଅଧିକାରୀ କୌଣସି ପ୍ରତକ୍ରିୟା ଦେଇନାହାନ୍ତି । ଦେଖାଯାଉ ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।
