ଭୁବନେଶ୍ୱର : ଯୁକ୍ତ୨ ଖାତା ମୂଲ୍ୟାୟନ ବିଳମ୍ବ ହେବ । ନିର୍ଧାରିତ ସମୟରେ ଖାତାଦେଖା ସରିବ ନାହିଁ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ଧାର୍ଯ୍ୟ ସମୟ ତଥା ଜୁନ୍ ୨୩ ଡେଇଁଯିବ । ଏମିତିକି ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଖାତା ଦେଖା ସରିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । କାରଣ ଜୁନ୍ ୧୩ ସୁଦ୍ଧା ସରିବାକୁ ଥିବା ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଏବେ ବି ଜାରି ରହିଛି । ତେଣୁ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ । ପାଖାପାଖି ୭ ଦିନ ବିଳମ୍ବରେ ମୂଲ୍ୟାୟନ ଚାଲୁଥିବାରୁ ସମସ୍ତ ବିଷୟର ଖାତା ଦେଖା ଶେଷ ହେଲା ବେଳକୁ ଜୁଲାଇ ମାସ ହୋଇଯିବା ନେଇ ସିଏଚ୍ଏସ୍ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଚାଲିଥିବା ଅଫ୍ଲାଇନ୍ ଖାତାଦେଖା ମଧ୍ୟରୁ ଅଧିକାଂଶ ବିଷୟର ମୂଲ୍ୟାୟନ ଇତି ମଧ୍ୟରେ ସରିଛି । ଦୁଇ ରୁ ତିନି ବିଷୟର ଖାତା ଦେଖା ଏବେ ବି ଜାରି ରହିଛି । ଅନ୍ଲାଇନ୍ ମୂଲ୍ୟାୟନ ମଧ୍ୟ ମନ୍ଥର ଗତିରେ ହେଉଛି । ଅଫ୍ଲାଇନ୍ରେ ଯେଉଁ କିଛି ବିଷୟର ମୂଲ୍ୟାୟନ ବାକି ରହିଛି, ତାହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ସମୟ ଆହୁରି ଡେରି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ଏପର୍ଯ୍ୟନ୍ତ ଶତ ପ୍ରତିଶତ ମୂଲ୍ୟାୟନକାରୀ ଆସୁନାହାନ୍ତି । ପ୍ରାୟ ୩୫% ଅଧ୍ୟାପକ ମୂଲ୍ୟାୟନ କେନ୍ଦ୍ରରେ ଅନୁପସ୍ଥିତ ରହୁଛନ୍ତି । ଅଧ୍ୟାପକ ଆସୁନଥିବାରୁ ଖାତା ଦେଖା ବହୁ ପରିମାଣରେ ପ୍ରଭାବିତ ହୋଇଛି । ଏମିତିକି କିଛି ମୂଲ୍ୟାୟନ କେନ୍ଦ୍ରରେ ୫୦ ପ୍ରତିଶତ ଅଧ୍ୟାପକ ବି ଆସୁନାହାନ୍ତି । ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ କରିବାକୁ ହେଲେ ମୂଲ୍ୟାୟନ କେନ୍ଦ୍ରରେ ଅଧିକ ସଂଖ୍ୟକ ମୂଲ୍ୟାୟନକାରୀ ନିୟୋଜିତ କରିବାର ଆବଶ୍ୟକତା ରହିଛି । ତେଣୁ ପରିଷଦ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମୂଲ୍ୟାୟନକାରୀଙ୍କୁ ଛାଡ଼ିବା ଲାଗି କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି ।
