କାମ ଦେଉନି ସରକାରୀ କୋଚିଂ ସେଣ୍ଟର

ଭୁବନେଶ୍ବର : ୟୁନିଅନ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ୨୦୨୧ ବର୍ଷ ପାଇଁ ଆୟୋଜିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି । କିନ୍ତୁ ଏହି ଫଳାଫଳ ଓଡ଼ିଶା ପାଇଁ ସେତେଟା ଉତ୍ସାହଜନକ ନୁହେଁ । କେବଳ ଚଳିତଥର ନୁହେଁ ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ସିଭିଲ ସର୍ଭିସ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହୁଥିବା ଲକ୍ଷ୍ୟ କରାଯାଉଛି ।

ଗତ ପାଞ୍ଚ ବର୍ଷର ଫଳାଫଳକୁ ଯଦି ତର୍ଜମା କରାଯାଏ ତେବେ ଓଡ଼ିିଶାରୁ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସଫଳତା ହାର ୨ ରୁ ୩% ଭିତରେ ରହୁଛି । ୨୦୧୭ରେ ୧୩ ଜଣ ସିଭିଲ ସର୍ଭିସ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା‌େ‌ବଳେ ୨୦୧୮ରେ ୧୫, ୨୦୧୯ରେ ୨୦, ୨୦୨୦ରେ ୧୧ ଏବଂ ୨୦୨୧ରେ ୧୪ ଜଣଙ୍କୁ ସଫଳତା ମିଳିଥିବା ଜଣାପଡିଛି ।

ପରୀକ୍ଷା ପାଇଁ ପ୍ରସ୍ତୁତି ଓ ପ୍ରୋତ୍ସାହନ ଅଭାବ ଯୋଗୁଁ ଓଡ଼ିଶାର ଛାତ୍ରଛାତ୍ରୀ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରତିଦ୍ବନ୍ଦ୍ବିତାରେ ପଛରେ ପଡିଯାଉଛନ୍ତି । ବିଶେଷ କରି ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା, ବିହାର ଭଳି ରାଜ୍ୟର ଛାତ୍ରଛାତ୍ରୀଙ୍କ ତୁଳନାରେ ଓଡ଼ିଶାର ସଫଳତା ହାର ଢେର ପଛରେ । ଆମ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମର ମାନ ପ୍ରତିଦ୍ବନ୍ଦ୍ବିତାକୁ ସାମ୍ନା କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟୋପଯୋଗୀ ହୋଇପାରୁନି । ଏହା ଛଡ଼ା ପ୍ରତିଦ୍ବନ୍ଦ୍ବୀ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ କୋଚିଂର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ ସର୍ଭିସରେ ଅବତୀର୍ଣ୍ଣ ହେବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ରାଜ୍ୟ ସରକାର କ୍ୟାରିୟର କାଉନସେଲିଂ ଯୋଜନା ପ୍ରଚଳନ କରିଥିଲେ ହେଁ ତାହା ଏ ପର୍ଯ୍ୟନ୍ତ କ୍ରିୟାଶୀଳ ହୋଇପାରିନି । ପ୍ରତି ବର୍ଷ ୧୦୦ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ନିମନ୍ତେ ସ୍ବତନ୍ତ୍ର କୋଚିଂ ଦେବାର ବ୍ୟବସ୍ଥା ହୋଇଛି । ୨୦୧୯-୨୦ରେ ଉଚ୍ଚଶିକ୍ଷା ବିଭାଗ ୯୯ ଛାତ୍ରଛାତ୍ରୀଙ୍କୁ କୋଚିଂ ପାଇଁ ମନୋନିତ କରିଥିଲେ । ବର୍ଷେ କାଳ କୋଚିଂ ନେବା ପରେ ସେମାନେ ପ୍ରାଥମିକ (ପ୍ରିଲିମିନାରୀ) ପରୀକ୍ଷା ଦେଇଥିଲେ ହେଁ ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମ ବର୍ଷରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କୋଚିଂ ସେଣ୍ଟର ବ୍ୟବସ୍ଥାରୁ ଆଶାନୁରୂପ ସଫଳତା ମିଳିନାହିଁ । ଶିକ୍ଷାବିତ୍‌ଙ୍କ ମତ ହେଲା ପୂର୍ବରୁ ବିଶ୍ବବିଦ୍ୟାଳୟଗୁଡିକର ଆଇଏଏସ୍‌ ପରୀକ୍ଷା ଦେବା ପାଇଁ ଯେଭଳି ଶୈକ୍ଷିକ ବାତାବରଣ ଥିଲା ତାହା ଏବେ ଦେଖିବାକୁ ମିଳୁନାହିଁ । ଓଡ଼ିଶାରେ ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଅଭାବରୁ ଅଧିକାଂଶ ଛାତ୍ରଛାତ୍ରୀ ଦିଲ୍ଲୀ ଏବଂ ଅନ୍ୟାନ୍ୟ ମହାନଗରୀକୁ ଯାଉଛନ୍ତି । କିନ୍ତୁ ଅର୍ଥାଭାବରୁ ଗରିବ ମେଧାବୀ ଛାତ୍ରଛାତ୍ରୀ କୋଚିଂ ନେବା ସମ୍ଭବ ହେଉନାହିଁ । ଗତ ୫ ବର୍ଷର ପରୀକ୍ଷା ଫଳ ଅନୁଧ୍ୟାନ କଲେ କେବଳ ୨୦୧୯ରେ ସର୍ବାଧିକ ୨୦ଜଣ ସଫଳ ହୋଇଥିବା‌େ‌ବଳେ ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରଥମ ୧୦ ଜଣଙ୍କ ଭିତରେ ସ୍ଥାନ ପାଇଥିଲେ ।

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଉଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଦେଖାଯାଇଛି ଯେ ୨୦୦୨ ରୁ ୨୦୧୨ ମଧ୍ୟରେ ୪୫୦ ପ୍ରାର୍ଥୀ ସାକ୍ଷାତକାର ପାଇଁ ମନୋନୀତ ହୋଇଥିଲେ ହେଁ ସେମାନଙ୍କ ଭିତରୁ ୪୧ ଜଣ ପରୀକ୍ଷାରେ ସଫଳ ହୋଇଥିଲେ । ୨୦୧୨ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧.୪୩% ସଫଳ ହୋଇଥିବାବେଳେ ୨୦୧୩ରେ ୧.୮, ୨୦୧୪ରେ ୧.୯ ଏବଂ ୨୦୧୫ରେ ୨.୪% ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ଗତ କିଛି ବର୍ଷ ମଧ୍ୟରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାର କମୁଥିବାବେଳେ ରାଜ୍ୟରେ କିନ୍ତୁ କୋଚିଂ ସେଣ୍ଟର ସଂଖ୍ୟା ବଢିଛି । ହେଲେ ଏସବୁ କୋଚିଂ ସେଣ୍ଟରରୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କ୍ବଚିତ ପରୀକ୍ଷାରେ ସଫଳ ହେଉଛନ୍ତି । ତେଣୁ ସେସବୁ କୋଚିଂ ସେଣ୍ଟର ଶିକ୍ଷାଦାନ ଏବଂ ପ୍ରଶିକ୍ଷଣର ମାନ ଓ ଶୈଳୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଆଇଏଏସ୍‌ କୋଚିଂ ସେଣ୍ଟର ଗତ ଦୁଇ ବର୍ଷ ମଧ୍ୟରେ କରୋନା କାରଣରୁ ଆଖିଦୃଶିଆ ଭାବେ ସକ୍ରିୟ ହୋଇପାରିନାହିଁ । ବର୍ଷକୁ ବର୍ଷ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ପ୍ରତିଦ୍ବନ୍ଦ୍ବିତା ସ୍ତରକୁ ଆସିପାରୁନଥିବାରୁ ଉଚ୍ଚଶିକ୍ଷା ବିଭାଗ ସେ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କୋଚିଂ ସେଣ୍ଟର ସଫଳତା ହାର କେତେ ସେ ସମ୍ପର୍କରେ ବର୍ଷୱାରୀ ତାଲିକା ମଧ୍ୟ ନାହିଁ । ଉଚ୍ଚଶିକ୍ଷା ମନ୍ତ୍ରୀ ବିଧାନସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେବାବେଳେ କହିଥିଲେ ଯେ ୨୦୧୬-୧୭ ରୁ ସିଭିଲ ସର୍ଭିସ କୋଚିଂ ସେଣ୍ଟର ସରକାରଙ୍କ ପକ୍ଷରୁ ଖୋଲାଯାଇଛି । ୨୦୧୯ରେ ଉଚ୍ଚଶିକ୍ଷା ବିଭାଗ କୋଚିଂ ପାଇଁ ଏକ ଶିକ୍ଷାନୁଷ୍ଠାନ ସହିତ ଚୁକ୍ତି କରିଛନ୍ତି । ଏସବୁ ସତ୍ତ୍ବେ ଛାତ୍ରଛାତ୍ରୀଙ୍କୁ ଠିକଣା ଢଙ୍ଗରେ କୋଚିଂ ଦିଆଯାଇପାରୁନି ।

Leave a Reply

Your email address will not be published. Required fields are marked *