ଜବରଦଖଲରେ ୬୦ ଏକରରୁ ଅଧିକ ସରକାରୀ ଜମି, ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପାଇଁ ମିଳୁନି ଜମି

କଟକ : କଟକ ମହାନଗର ନିଗମ ୫୫ ନମ୍ବର ୱାର୍ଡ ଅନ୍ତର୍ଗତ ବିଦ୍ୟାଧରପୁର, କହ୍ନେଇପୁର ମୌଜାରେ ୬୦ ଏକରରୁ ଅଧିକ ମୂଲ୍ୟବାନ ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ । ହୋମିଓପାଥିକ୍‌ କଲେଜ ବି ଜବରଦଖଲରୁ ବାଦ୍‌ପଡ଼ିନି । ଅନ୍ୟପକ୍ଷରେ, ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ମିଳୁନି । ଏଥିପାଇଁ ଭଡ଼ାଘର ଖୋଜା ଚାଲିଛି ।

ବିଦ୍ୟାଧରପୁର, କହ୍ନେଇପୁର, କଣ୍ଟିଲୋ ରାଜସ୍ବ ଗ୍ରାମ ଅଞ୍ଚଳରେ ରହିଥିବା ଏହି ସରକାରୀ ଜମିର ବର୍ତ୍ତମାନ ବଜାର ଦର ୫୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । କିନ୍ତୁ, ଅନେକ ସରକାରୀ ବାବୁ ଓ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ଦଖଲରେ ରଖିଛନ୍ତି । ଘର ତିଆରି କରିବା ସହ ଲୋକଙ୍କୁ ଭଡ଼ାଦେଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏହି ଅଞ୍ଚଳରେ ୪୦ ବର୍ଷର ପୁରୁଣା କଟକ ହୋମିଓପାଥି କଲେଜ ଓ ହସ୍ପିଟାଲ ରହିଛି । କଲେଜ ନାମରେ ତିନି ଏକର ଜମି ରହିଛି । କିନ୍ତୁ କେବଳ କଲେଜର କୋଠା ବ୍ୟତୀତ ବାକି ସବୁ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ । କଲେଜର ଭିତ୍ତିଭୂମି ଅଭାବରୁ କଲେଜକୁ ଆୟୁଷ ମନ୍ତ୍ରାଳୟ ସ୍ଵୀକୃତି ପ୍ରଦାନ କରୁନାହିଁ । ଅନ୍ୟପଟେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନାରେ କଟକ ସହରାଞ୍ଚଳରେ ୧୨ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ମାଣ ଯୋଜନା ରହିଛି । ଏହି ଆରୋଗ୍ୟ କେନ୍ଦ୍ରରେ ଯୋଗ ସହିତ ୧୦ ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେବେ ବୋଲି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଗୈାତମ ସାମଲ କହିଛନ୍ତି । ଏହି ଯୋଜନାରେ କହ୍ନେଇପୁରରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ହେବ ବୋଲି ଯୋଜନା ରହିଛି । କିନ୍ତୁ, ଏପଟେ ୬୦ ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ ଥିଲେ ବି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ କିନ୍ତୁ ଏଯାଏ ଜମି ଚିହ୍ନଟ ହୋଇପାରୁ ନାହିଁ । ଭଡ଼ାଘରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ଯୋଜନା ହୋଇଛି ।

କହ୍ନେଇପୁର ସିଟ୍ ନ° ୨ର ୨୧୯ ପ୍ଲଟ୍‌ ହେଉଛି ସରକାରୀ ଜମି । ଏଠି ତିଆରି ହୋଇଥିବା ଘରେ ଘରଭଡ଼ା ଦେଇ ରହୁଥିବା ଗନ୍ଧର୍ବ ବେହେରା ଓ ତାଙ୍କ ସ୍ତ୍ରୀ ସୁଲୋଚନା କହିବା ଅନୁଯାୟୀ ସେମାନେ ଦୀର୍ଘ ବର୍ଷ ଧରି ଗୋଟିଏ ବଖରା ଘରକୁ ଦୁଇ ହଜାର ଟଙ୍କା ଭଡା ଦେଉଛନ୍ତି । ପୂର୍ବରୁ ବିଦ୍ୟାଧରପୁର ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ବି ଜାଗା ମିଳିନଥିଲା । ବିଦ୍ୟାଧରପୁର ପୂଜା କମିଟି ଓ ଗ୍ରାମବାସୀମାନେ ଜାଗୁଳାଇ ମନ୍ଦିର ପରିସରରେ ସଭାକରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ନିକଟରେ ଦାବି ରଖିଥିଲେ । ସେତେବେଳେ କଟକ ସଦର ତହସିଲଦାର ସଂଜୀବିତା ରାୟ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲେ । ସେତେବେଳେ ୪୦ ଜଣଙ୍କୁ ଉଚ୍ଛେଦ କରିବାକୁ ନୋଟିସ ଜାରିହେଲା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି । କହ୍ନେଇପୁର ଅଧିକାରୀ ବିକାଶ ପଣ୍ଡା, ମହନ୍ତ ଜ୍ଞାନ ରଞ୍ଜନ ପଣ୍ଡା, ସୂର୍ଯ୍ୟମଣି ପଣ୍ଡା, ଗିରିଜା ପ୍ରସାଦ ମିଶ୍ର, କଟକ ନଗର ମହିଳା ବିଜେଡି ସହ-ସ°ପାଦିକା ରଶ୍ମୀ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ ୧୯୮୪ ମସିହାରେ କହ୍ନେଇପୁର ଓ ଭଦିମୂଳ ଗ୍ରାମ ପୌର ପରିଷଦରେ ମିଶିବା ଦିନ ଠାରୁ ବିଶେଷ ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହୋଇନାହିଁ । ଅଞ୍ଚଳରେ ଖେଳ ପଡିଆ ନାହିଁ । ୬୦ ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ ଥିବାବେଳେ ତାହାକୁ ମୁକ୍ତ କରି ଖେଳ ପଡ଼ିଆ, ହସ୍ପିଟାଲ, ମୁକ୍ତ ବ୍ୟାୟାମ ଶାଳା, ସ୍କୁଲର ପାଠାଗାର ନିର୍ମାଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *