ତୁଷୁରା ଫେଭର ରାସ୍ତା ନିର୍ମାଣରେ ଦୁର୍ନୀତି ; ଯନ୍ତ୍ରୀ ଜାଣିନାହାନ୍ତି ଅନୁଦାନ ଆସିଛି କେତେ ?

ଗୁଡଭେଲା : ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ କାମରେ ଖୁଲମଖୁଲା ଚାଲିଛି ପିସି କାରବାର । ପିସି ପାଇଁ ବିକାଶର ପ୍ରକଳ୍ପରେ ହେଉଛି ନିମ୍ନମାନର କାମ । ଫଳରେ ନିର୍ମାଣ ନସରି ରାସ୍ତାଗୁଡିକ ଫାଟିଚୁରମାର ହେଉଛି । ରାଜନେତା-ଯନ୍ତ୍ରୀ-ଠିକାଦାରଙ୍କ ଗୁପ୍ତ ବୁଝାମଣା ଥିବାରୁ ଯେତେ ନିମ୍ନମାନର କାମହେଲେ କେହି ପାଟି ଖୁଲୁନାହାନ୍ତି ବୋଲି ସହରବାସୀ ଅଭିଯୋଗ କରିଛନ୍ତି । ତୁଷୁରା ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡର ନଅଗାଁରୁ ନୂଆବସ୍ତିକୁ ଯିବା ପାଇଁ ତୁଷୁରା ବିଜ୍ଞାପିତ ପରିଷଦ ପକ୍ଷରୁ ଏକ ଫେଭର୍ ବ୍ଳକ ରାସ୍ତା ନିର୍ମାଣ ହୋଇଛି । ରାସ୍ତା ନିର୍ମାଣ କାମରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବାରୁ ନିର୍ମାଣ ନସରି ଭାଙ୍ଗିବା ଆରମ୍ଭ ହେଲାଣି । ତଥାପି ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଏନଏସି କର୍ତ୍ତୃପକ୍ଷ ।

ରାସ୍ତା ନିର୍ମାଣଟି କେଉଁ ଯୋଜନାରୁ ତିଆରି ହେଉଛି କେତେ ଟଙ୍କାର ଅନୁଦାନ ଆସିଛି ବୋଲି ଜେଇଙ୍କୁ ପଚାରିଲେ କେତେ ଏଷ୍ଟିମେଟ ହୋଇଛି ଜାଣିନି ବୋଲି କହୁଥିବାରୁ ଏନଏସିର ବିକାଶ ପ୍ରକଳ୍ପକୁ ଯନ୍ତ୍ରୀ ମାନେ କେମିତି ଭାବେ ତଦାରଖ କରୁଛନ୍ତି ତାହା ବାରି ହେଉଛି । ଖାଲି ଏହି ଗୋଟିଏ ରାସ୍ତା ନୁହେଁ ଟିକିରିପଡ଼ାରେ ନିର୍ମାଣ ହୋଇଥିବା ଫେଭର ରାସ୍ତା ବି ଭାଙ୍ଗି ଚୁରମାର ହେଉଥିବାରୁ କେଉଁ ଧରଣର ରାସ୍ତା ଦୁର୍ନୀତି ହେଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ହେଲେ ନିମ୍ନମାନ କାମ ଯୋଗୁ ରାସ୍ତାରେ ପାର୍ଶ୍ୱରେ ଦିଆଯାଇଥିବା ପାଚେରୀ ଭାଙ୍ଗିଯାଇ ପେଭର୍ ଦବି ଗଲାଣି । ଏହି ବିଷୟରେ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରାଙ୍କୁ ପଚରାଯିବାରୁ ନିର୍ବାଚନ ପୂର୍ବରୁ କାମ ହୋଇଥିଲା । ବର୍ତ୍ତମାନ କାମ ଶେଷ ହୋଇନାହିଁ । ସୂଚନା ଫଳକ ନିର୍ମାଣ ହୋଇଛି ସୂଚନା ଲେଖାହୋଇ ନାହିଁ ବୋଲି କହିଛନ୍ତି । ଜିଲ୍ଲା ପ୍ରରଶାସନ ଏ ଦିଗରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *