ମଧ୍ୟାହ୍ନ ଭୋଜନ ବାଣ୍ଟିବାକୁ ଏସ୍‌ଏଚ୍‌ଜି ଅମଙ୍ଗ, ଆଗୁଆ ଟଙ୍କା ପୈଠ କରିବାକୁ ନାପସନ୍ଦ

ରାଉରକେଲା : ମହିଳାମାନଙ୍କୁ ସ୍ବାବଳମ୍ବୀ କରିବାକୁ ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠି(ଏସ୍‌ଏଚ୍‌ଜି) ଗୁଡ଼ିକୁ ପ୍ରାଥମିକତା ଦେଉଛନ୍ତି । ଏହି କ୍ରମରେ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ବଣ୍ଟନ ମଧ୍ୟ ଏସ୍‌ଏଚ୍‌ଜିକୁ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର ଅଢ଼େଇ ବର୍ଷରୁ ଅଧିକ ସମୟ ବିତିଲାଣି; ତଥାପି ଏହା ଦିବାସ୍ବପ୍ନ ପାଲଟିଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଖୋଦ୍‌ ରାଜ୍ୟ ସରକାରଙ୍କ କଠୋର ମାନଦଣ୍ଡ । ମଧ୍ୟାହ୍ନ ଭୋଜନ ପାଇଁ ଆଗୁଆ ତିନି ମାସର ସିକ୍ୟୁରିଟି ବାବଦକୁ ଅର୍ଥଜମା କରିବା ବାଧ୍ୟତାମୂଳକ ଥିବାରୁ ଏସ୍‌ଏଚ୍‌ଜି ଗୁଡ଼ିକ ଏହି ଦାୟିତ୍ବ ମୁଣ୍ଡେଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଫଳସ୍ବରୂପ ପୂର୍ବଭଳି ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ହାତରେ ମଧ୍ୟାହ୍ନ ଭୋଜନ ବିତରଣ ଦାୟିତ୍ବ ରହୁଥିବାରୁ ବାଟମାରଣା ହେବାର ଆଶଙ୍କା ରହୁଛି ।

କରୋନା ମହାବାରୀ ପୂର୍ବରୁ, ଅର୍ଥାତ୍‌ ୨୦୧୯ ନଭେମ୍ବର ଶେଷ ଆଡ଼କୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ । ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ଶିକ୍ଷାବିଭାଗ, ସିଡିପିଓ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସହଯୋଗରେ ଯୋଗ୍ୟ ଏସ୍‌ଏଚ୍‌ଜିମାନଙ୍କୁ ଚୟନ କରି ସେମାନଙ୍କ ମାଧ୍ୟମରେ ମଧ୍ୟାହ୍ନଭୋଜନ ବଣ୍ଟନ କରାଯିବାର ନିର୍ଦ୍ଦେଶ ରହିଥିଲା । ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍‌ ୨୩୨୪ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥିମକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଉଛି । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏସ୍‌ଏଚ୍‌ଜି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସ୍କୁଲ ପାଇଁ ମୋଟ୍‌ ୨୪୧ଟି ଏସ୍‌ଏଚ୍‌ଜିକୁ ଚୟନ କରାଯାଇଥିବାବେଳେ ମାତ୍ର ୯୭ଟି ଏସ୍‌ଏଚ୍‌ଜି ଏଥିରେ ସହମତି ପ୍ରକାଶ କରିବାସହ ରାଜିନାମା‌ କରିଥିଲେ । ଅବଶ୍ୟ, ଏହାପରେ କୋଭିଡ୍‌ ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହେବାରୁ ଏ ଦିଗରେ ଆଉ ପ୍ରଶାସନ ଦୃଷ୍ଟି ଦେଇନଥିଲା । ଇତିମଧ୍ୟରେ କୋଭିଡ୍‌ ମହାମାରୀ ଶିଥିଳ ପଡ଼ିଯାଇଥିବାବେଳେ ସ୍କୁଲଶିକ୍ଷା ବି ଆରମ୍ଭ ହୋଇଗଲାଣି । ତେବେ, ଏବେ ମଧ୍ୟ ଏହି ପ୍ରକ୍ରିୟା ଆଗେଇ ପାରୁନି । ଦାୟିତ୍ବ ନେବାକୁ ନୂଆ ଏସ୍‌ଏଚ୍‌ଜି ପଛଘୁଞ୍ଚା ଦେଉଥିବାବେଳେ ପୂର୍ବରୁ ଚୁକ୍ତି କରିଥିବା କିଛି ଏସ୍‌ଏଚ୍‌ଜି ମଧ୍ୟ ଏଥିରୁ ଓହରିଗଲେଣି । ଏହାର ଏକମାତ୍ର କାରଣ ହେଲା, ତିନିମାସର ଅଗ୍ରୀମ ଟଙ୍କା ପୈଠ କରିବାର କଠୋର ନିୟମ । ନିୟମାନୁଯାୟୀ, ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ଅନୁସାରେ ସରକାରଙ୍କ ପକ୍ଷରୁ ଚାଉଳ ଆବଣ୍ଟିତ ହୋଇଥାଏ । ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ଶହେ ଗ୍ରାମ ଓ ୬ ରୁ ୮ ଶ୍ରେଣୀ ପିଲାଙ୍କ ପାଇଁ ୧୫୦ ଗ୍ରାମ ଚାଉଳ ଦିଆଯାଏ । ଏତଦ୍‌ବ୍ୟତୀତ ଡାଲି, ତେଲ, ପନିପରିବା, ଅଣ୍ଡା ଆଦି ବାବଦକୁ ୧-୫ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫ ଟଙ୍କା ୪୨ ପଇସା ଓ ୬-୮ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୮ ଟଙ୍କା ୧୦ ପଇସା ଅନୁଦାନ ଆସିଥାଏ । ତେବେ ସାମଗ୍ରୀ ନେବା ପୂର୍ବରୁ ସିକ୍ୟୁରିଟି ବାବଦକୁ ଏସ୍‌ଏଚ୍‌ଜିଗୁଡ଼ିକୁ ତିନିମାସର ଆଗୁଆ ଟଙ୍କା ପୈଠ କରିବା ବାଧ୍ୟତାମୂଳକ । ଅର୍ଥାତ୍‌, ହିତାଧିକାରୀ ସଂଖ୍ୟା ଅନୁଯାୟୀ ଏସ୍‌ଏଚ୍‌ଜିଗୁଡ଼ିକୁ ୪୦/୫୦ ହଜାରରୁ ଆରମ୍ଭକରି ଲକ୍ଷେ ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ଏତେ ପରିମାଣର ଅଗ୍ରୀମ ଅର୍ଥ ପୈଠ କରିବାକୁ ଅସମର୍ଥ ପ୍ରକାଶ କରି ଏସ୍‌ଏଚ୍‌ଜିଗୁଡ଼ିକୁ ଏଥିରୁ ପଛଘୁଞ୍ଚା ଦେଉଛନ୍ତି ।

ଏସ୍‌ଏଚ୍‌ଜିଗୁଡ଼ିକ ଏମ୍‌ଡିଏମ୍‌ ବଣ୍ଟନ କରିବାକୁ ଅମଙ୍ଗ ହେଉଥିବାରୁ ସ୍କୁଲ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ମାର୍ଫତରେ ମଧ୍ୟାହ୍ନ ଭୋଜନ ବଣ୍ଟନ ହେଉଛି । ଉଲ୍ଲେଖଯୋଗ୍ୟ, ସ୍କୁଲ କର୍ତୃପକ୍ଷ-ପରିଚାଳନା କମିଟି ପାଇଁ କିନ୍ତୁ ଆଗୁଆ ଟଙ୍କା ଜମା କରିବାକୁ ପଡ଼ୁନି । ଏମାନେ ପୂର୍ବ ଢ଼ାଞ୍ଚାରେ ନିଜ ମନ ମୁତାବକ ବଣ୍ଟନ କରୁଛନ୍ତି । ଫଳରେ ଭିନ୍ନ ଭିନ୍ନ ସମୟରେ ଏମ୍‌ଡିଏମ୍‌ ଅର୍ଥ, ସାମଗ୍ରୀ ବାଟମାରଣା ହେଉଥିବାର ଅଭିଯୋଗ ହେଉଛି । ବିଗତ ଦିନରେ ସରସ୍ବତୀ ପୂଜା ଭଳି ଛୁଟି ଦିନରେ ମଧ୍ୟ ମଧ୍ୟାହ୍ନ ଭୋଜନ ବଣ୍ଟାଯାଇଥିବା ଦର୍ଶାଇ ଏକ ସ୍କୁଲ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିଲେ । ଆମ ପାଖରେ ଅର୍ଥାଭାବ ରହିଛି । ଏଭଳି ସ୍ଥିତିରେ ଆମେ ଏତେ ଟଙ୍କା କେଉଁଠୁ ଆଣି ଜମା କରିବୁ ? ଆଗୁଆ ଜମା କରିବା ନିୟମକୁ କୋହଳ କଲେ ସ୍ବେଚ୍ଛାକୃତଭାବେ ମଧ୍ୟାହ୍ନଭୋଜନ ବଣ୍ଟନ କରିବୁବୋଲି କିଛି ଏସ୍‌ଏଚ୍‌ଜି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *