କଟକ : ଅବକାରୀ ବିଭାଗରେ ୨୦୦୭ ପୂର୍ବରୁ ଅଧିକାରୀଙ୍କ ହାତରେ ବନ୍ଧୁକ ଥିଲା, କିନ୍ତୁ ଗୁଳି ନଥିଲା । ପରେ ଗୁଳି ସହିତ ବନ୍ଧୁକ ବି ମିଳିଲା । ଏବେ ବନ୍ଧୁକ ସଂଖ୍ୟା ୨୦୦ କୁ ଅଧିକାରୀ ସଂଖ୍ୟା ୪୧୯ । ଅର୍ଥାତ୍ ରାଜ୍ୟରେ ଅଧା ଅଧିକାରୀଙ୍କ ହାତରେ ବନ୍ଧୁକ ନାହିଁ । ଯେଉଁ ଅଧିକାରୀଙ୍କ ହାତରେ ବନ୍ଧୁକ ରହିଛି, ସେମାନଙ୍କୁ ୨୦୧୨ ପରଠାରୁ ବନ୍ଧୁକ ଫୁଟାଇବା ତାଲିମ ନିୟମିତ ବି ମିଳୁନାହିଁ । ଗୋଟିଏପଟେ ତାଲିମ ହେଉନଥିବା ବେଳେ ଅନ୍ୟପଟେ ବନ୍ଧୁକ ନଳୀରେ ବି କଳଙ୍କି ଲାଗିଗଲାଣି । ବନ୍ଧୁକ ଭିତରେ ଗୁଳି ଫୁଟିଯିବାର ଯଥେଷ୍ଟ ଆଶଙ୍କା ଥିବାରୁ ଅବକାରୀ ଅଧିକାରୀମାନେ ତାହାକୁ ନିଜ ପାଖରେ ରଖିବାକୁ ବି ଭୟ କରୁଥିବା ଶୁଣିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ଅବକାରୀ ଅଧିକାରୀମାନେ ନିଜ ଜୀବନକୁ ବାଜିରେ ଲଗାଇ ନିଶା ମାଫିଆଙ୍କୁ ମୁକାବିଲା କରିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି ।
କଟକରେ ୧୯୯୨ ମେରେ ବହୁଚର୍ଚ୍ଚିତ ସୁରେନ୍ଦ୍ରନାଥ ଦାସ ଓରଫ ବେଲୁ ମଦ ମୃତ୍ୟୁ ଘଟଣାରେ ପ୍ରାୟ ୨୦୦ ଲୋକଙ୍କ ଜୀବନ ଯିବା ପ୍ରସଙ୍ଗରେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । କୁହାଯାଏ ଏହି ଘଟଣା ପରଠାରୁ ଅବକାରୀ ବିଭାଗରେ ପ୍ରଥମଥର ପାଇଁ କଟକ ସମେତ ସମ୍ବଲପୁର, ବ୍ରହ୍ମପୁରର ତିନୋଟି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଏବଂ ପ୍ରବର୍ତ୍ତନ ବିଭାଗ, କଟକରେ ଥିବା ରାଜ୍ୟ ଫ୍ଲାଇଂ ସ୍କ୍ବାଡକୁ ପ୍ରାୟ ୪୦ଟି ରିଭଲଭର୍ ମଞ୍ଜୁର କରାଯାଇଥିଲା । ମାତ୍ର, ବଡ଼ ବିଚିତ୍ର ଢଙ୍ଗରେ କୌଣସି ବନ୍ଧୁକ ପାଇଁ ରାଜ୍ୟ ସରକାର ଗୁଳି ମଞ୍ଜୁର କରି ନଥିଲେ । ୨୦୦୬ରେ ତତ୍କାଳୀନ ଆଇଏଏସ୍ ଅଫିସର ସୁଦର୍ଶନ ନାୟକ ଅବକାରୀ କମିସନର ଭାବେ ଦାୟିତ୍ବ ନେବାପରେ ଏସଆଇରୁ ଇନ୍ସ୍ପେକ୍ଟର ପାହ୍ୟାର ସବୁ ଅବକାରୀ ଅଧିକାରୀଙ୍କୁ ରିଭଲଭର୍ ଦେବାକୁ ନିଷ୍ପତ୍ତି ହୋଇଥିଲା । ସେହି ବର୍ଷ ୫୦ ଜଣ ଇନ୍ସ୍ପେକ୍ଟର ଓ ୧୫୦ ଜଣ ଏସ୍ଆଇ ଥିଲେ । ଏହି ସଂଖ୍ୟା ଆଧାରରେ ୨୦୦୭ ମସିହାରେ କଟକ ଓଏମ୍ପି ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟଙ୍କ ମାଧ୍ୟମରେ ରିଭଲଭର ପିଛା ୪୦ ହଜାର ଟଙ୍କା ବ୍ୟୟରେ ୧୭୦ଟି କିଣାଯାଇଥିଲା । ମୋଟ ରିଭଲଭର ସଂଖ୍ୟା ୨୦୦ରେ ପହଞ୍ଚିଥିଲା । ପ୍ରତ୍ୟେକ ରିଭଲଭର୍ ପିଛା ୧୦ ରୁ ୨୦ଟି ଲେଖାଏ ଗୁଳି ବି ଦିଆଯାଇଥିଲା ।
ଏଥିସହିତ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରେ ବନ୍ଧୁକ ଫୁଟାଇବା ତାଲିମ ମିଳିବାପରେ ସେହିବର୍ଷ ଅଧିକାରୀଙ୍କୁ ନିଜ ପାଖରେ ବନ୍ଧୁକ ରଖିବାକୁ ପ୍ରଥମଥର ଅନୁମତି ଦେଇଥିଲେ ଅବକାରୀ କମିସନର । ୨୦୧୨ମସିହାରେ ଶେଷଥର ପାଇଁ ତାଲିମ୍ ପ୍ରଦାନ କରାଯାଇଥିଲା । ତା’ ପରଠାରୁ ବନ୍ଧୁକ ତାଲିମ ନିୟମିତ ହୋଇନାହିଁ କି ନୂଆ ବନ୍ଧୁକ କିଣାଯାଇନାହିଁ । ୨୦୦୬ ରୁ ୨୦୧୨ ଯାଏ କନଷ୍ଟେବଳ ଓ ଏଏସ୍ଆଇ ପାହ୍ୟାର ଅଧିକାରୀଙ୍କ ଅନୁଗୁଳ ପୁଲିସ ଟ୍ରେନିଂ କଲେଜରେ ତାଲିମ ଦିଆଯାଇଥିଲା । ଅଧିକାରୀଙ୍କୁ ଓଡ଼ିଶା ଅବକାରୀ ଆଇନ, ଏନଡିପିଏସ୍ ଆକ୍ଟ, ଆଇପିସି, ସିଆରପିସି ସମେତ ପୁଲିସ କମାଣ୍ଡାଣ୍ଟଙ୍କ ମାଧ୍ୟମରେ ରିଭଲଭର ଚଳାଇବା ତାଲିମ ଦିଆଯାଉଥିଲା । ଅଫିସରମାନେ ଅଭିଯୁକ୍ତଙ୍କ ଗୋଡ଼କୁ ଲକ୍ଷ୍ୟକରି କିଭଳି ଗୁଳି ଫୁଟାଇପାରିବେ, ସେ ନେଇ ସ୍ବତନ୍ତ୍ର ତାଲିମ୍ ଦିଆଯାଉଥିଲା । ୨୦୧୨ ପରଠାରୁ ବନ୍ଧୁକ ଫୁଟାଇବା ତାଲିମ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ, ୨୦୨୨ ମସିହାରେ ଅବକାରୀ ଏସଆଇ ସଂଖ୍ୟା ୨୭୮ ଥିବା ବେଳେ ଇନସ୍ପେକ୍ଟର ୧୪୧ରେ ପହଞ୍ଚିଲାଣି । ମୋଟ ପଦବି ସଂଖ୍ୟା ୪୧୯ । ୫ ବର୍ଷରେ ଅବକାରୀ ଏସଆଇ ଓ ଇନସ୍ପେକ୍ଟରଙ୍କ ସଂଖ୍ୟା ଦୁଇଗୁଣା ହେଲାଣି । କିନ୍ତୁ ବନ୍ଧୁକ ସଂଖ୍ୟା ୨୦୦ରେ ଅଟକି ରହିଛି । ଓଡ଼ିଶା ପୁଲିସ ଏବେ ଅତ୍ୟାଧୁନିକ ବନ୍ଧୁକ ବ୍ୟବହାର କରୁଥିବା ବେଳେ ଅବକାରୀ ଅଧିକାରୀ ଏବେ ସେହି ୨୦୦୭ ମସିହାରେ କିଣାଯାଇଥିବା ରିଭଲଭରରେ ଅଟକି ଯାଇଛି ।
