ଠିକା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ : ନୂଆ କରି ନିର୍ମାଣ ହେଉଥିବା ପୋଲ ତଳକୁ ଖସିଲା ବାଇକ । ଜଣକର ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ । ଏଭଳି ଘଟଣା ଘଟିଛି ଜାମୁଝାଡ଼ି-ବାସୁଦେବପୁର ରାସ୍ତାର ପଟାପୋଲ ନିକଟରେ । ମୃତକ ବାଷଠି ଗ୍ରାମର ନବକିଶୋର ବେହେରାଙ୍କ ପୁଅ ବିପିନ ବେହେରା ବୋଲି ଜଣାପଡିଛି । ବିପିନ ବାଇକ ଯୋଗେ ଭଦ୍ରକ ମେଡିକାଲରେ ପଡିଥିବା ବାପାଙ୍କୁ ଦେଖାକରି ଘରକୁ ଫେରୁଥିଲେ । ହେଲେ ପଟାପୋଲ ନିକଟରେ ରାସ୍ତାକାମ ଚାଲୁଥିବା ବେଳେ, ଡାଇଭର୍ଶନ ଜାଣିନପାରି ନୂଆ କରି ସେଠାରେ ତିଆରି ହେଉଥିବା ପୋଲ ତଳକୁ ଖସି ପଡ଼ିଥିଲେ । ତେବେ ଘଟଣା ସ୍ଥଳରେ ବିପିନର ମୃତ୍ୟୁ ହେଇଥିବାବେଳେ, ଆଉ ଜଣକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୀର୍ଘ ବର୍ଷ ଧରି ଜାମୁଝାଡ଼ି-ଧାମରା ରାସ୍ତା କାମ ଚଳୁଥିବା ବେଳେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ମୃତକଙ୍କ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି ଗାଁ ଲୋକ ।

Leave a Reply

Your email address will not be published. Required fields are marked *