ବାଟ ହୁଡ଼ିଛି ସହରର ବିକାଶ, ଭଙ୍ଗାଗଢ଼ାରେ ସୀମିତ ରାସ୍ତା ଓ ଡ୍ରେନ୍ କାମ

ବାଲେଶ୍ୱର : ବାଲେଶ୍ବର ସହରର ମୁୁଖ୍ୟରାସ୍ତା ଓଟିରୋଡ ସମେତ ଅନ୍ୟ ପ୍ରମୁଖ ରାସ୍ତାଗୁଡ଼ିକୁ ଏବେ ଉନ୍ନତୀକରଣ କରାଯାଉଛି । କୋଟି କୋଟି ଟଙ୍କ‌ା ବ୍ୟୟରେ ରାସ୍ତା ଓ ଜଳ ନିଷ୍କାସନ କ‌ାମ ଚାଲିଛି । ଗୋଟିଏ ରାସ୍ତା ତଥା ଡ୍ରେନ୍‌କୁ ଏକାଧିକବାର ନିର୍ମାଣ କରି ସରକାରୀ ଅର୍ଥର ଖୁଲମଖୁଲା ବାଟମାରଣା କରାଯାଉଥିବା‌ ଅଭିଯୋଗ ହୋଇଛି ।

ସହରର ତାମୁଳିଆ ଓଭରବ୍ରିଜ ଠାରୁ ଷ୍ଟେସନଛକ ପର୍ଯ୍ୟନ୍ତ ୨.୯ କିଲୋମିଟର ମିଟର ରାସ୍ତାକୁ ୬ ଥାକିଆ କରିବା ପାଇଁ ରାଜ୍ୟ ଯୋଜନା ପାଣ୍ଠିରୁ ୯‌ କୋଟି ୯୧ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ କରାଯାଉଛି । ୨୦୨୧ ମସିହା ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ପ୍ରକଳ୍ପର ଯେତେବେଳେ ଶିଳାନ୍ୟାସ ହେଲା ସହରବାସୀଙ୍କ ତରଫରୁ ଏହାକୁ ସ୍ବାଗତ କରାଯାଇଥିଲା । କିନ୍ତୁ ଏହି ରାସ୍ତାକାମ ମନ୍ଥରଗତିିରେ ଚାଲୁଛି । ଆଗକୁ ବର୍ଷାଦିିନ ଆସୁୁଥିବା ବେଳେ ଜାଣିଶୁଣି ଠିକାସଂସ୍ଥା ଏପରି ବିଳମ୍ବ କରୁଥିବା ଜଣାଯାଇଛି ।

ବର୍ତ୍ତମାନ ଆଇଟିଆଇଛକ ଠାରୁ‌ ଭେନ୍ୟା ପାରାଡାଇଜ୍‌ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ବ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଅପରପାର୍ଶ୍ବ ରାସ୍ତାର ସମ୍ପ୍ରସାରଣ କାମ କେବେ ଆରମ୍ଭ ହେବ ତାହା ଜଣାପଡ଼ିିନାହିଁ । ସେହିପରି ରାସ୍ତା ସମ୍ପ୍ରସାରଣ ପୂର୍ବରୁ ଡ୍ରେନ୍‌ କାମ ଆରମ୍ଭ ହେବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ଡ୍ରେନ୍‌ ଅଧାପନ୍ତରିଆ ହୋଇ ପଡ଼ିରହିିଛି । ୨୦୧୮-୧୯ ସମିହାରେ ତାମୁଳିଆରୁୁ ଆଇଟିଆଇ ଛକ ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା ସହ ଡ୍ରେନ୍‌ ନିର୍ମାଣ ପାଇଁ ୫ କୋଟି ୮୪ ଲକ୍ଷ ୨୮ ହଜାର ଟଙ୍କା ମଂଜୁର କରାଯାଇ ପୂର୍ତ୍ତ ବିଭାଜନ-୧ ଓ ଡ୍ରେନେଜ୍‌ ବିଭାଗକୁ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା । ହେଲେ ରାସ୍ତା ପାର୍ଶ୍ବରେ ଜବରଦଖଲ ନହଟି ପାରିବାରୁ ଡ୍ରେନ କାମ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ହେଁ ରାଜନୈତିକ ଦଳ ଓ ଜିଲ୍ଲା ପ୍ରଶାସନର ସମନ୍ବୟ ଅଭାବରୁ ନିର୍ମାଣ ଅଧାରେ ଅଟକିି ରହିଗଲା । କେବଳ ରାସ୍ତା ନିର୍ମାଣ କାର୍ଯ୍ୟ ‌ଶେଷ କରାଯାଇଥିଲା । ଅବଶ୍ୟ ପାଦଚଲା ରାସ୍ତା ପାଇଁ ୧୫ ଲକ୍ଷ ଟଙ୍କା ବ୍ୟୟରେ ପେବ୍ଲରବ୍ଲକ ପକାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ୬ ଥାକିଆ ରାସ୍ତା ନିର୍ମାଣ ଆରମ୍ଭ ହୋଇଯାଇଥିବା ବେଳେ ବର୍ଷେ ପୂର୍ବରୁ ହୋଇଥିିବା ଏହି ପେଭରବ୍ଲକ ପାଦଚଲା ରାସ୍ତାକୁ ଜେସିବିରେ ତାଡ଼ି ଅନ୍ୟଆଡ଼େ ସ୍ଥାନାନ୍ତର କରାଯାଉଥିବାରୁ ପୂର୍ତ୍ତବିଭାଗର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।

ପୂର୍ବରୁ ରାସ୍ତାରେ ବ୍ୟବହୃତ ଫ୍ଲେବରବ୍ଲକକୁ ନିର୍ମାଣ ହେଉଥିବା ୬ ଥାକିଆ ରାସ୍ତାରେ ପୁଣିଥରେ ବ୍ୟବହାର କରିବାରେ ଅସୁବିଧା ରହୁଛି କେଉଁଠି ବୋଲି ସ୍ଥାନୀୟ ଲୋକେ ପ୍ରତିକ୍ରିୟା ଦେଇଥିବା ବେଳେ ସହରର ରାସ୍ତାଘାଟକୁ ଏମିତି ଭାଙ୍ଗିବା ଓ ଗଢ଼ିବାରେ ସରକାରଙ୍କ କୋଟିକୋଟି ଟଙ୍କା ଅପଚୟ ହେଉଥିବା ଅଭିଯୋଗ କରାଯାଇଛି । ଏଭଳି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ କିମ୍ବା ଲୋକ ପ୍ରତିନିଧିମାନେ ଦେଖି କେମିତି ଚୁପ୍‌ ରହୁଛନ୍ତି ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ । ଏ ସଂପର୍କରେ ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କୁ ପଚାରିବାରୁ ରାସ୍ତା କାମ ମନ୍ଥର ଗତିରେ ଚାଲିବାକୁ ସେ ସ୍ବୀକାର କରିଛନ୍ତି । ସେ କହିଛନ୍ତି ଜବରଦଖଲ ଉଚ୍ଛେଦ ପ୍ରକିୟା ବିଳମ୍ବ ହେଉଛି । ପଞ୍ଚାୟତ ଓ ପୌରନିର୍ବାଚନ କାମରେ ପ୍ରଶାସନ ବ୍ୟସ୍ତ ଥିବାରୁ ଏହା ହୋଇ ପାରିନଥିଲା । ତେବେ ଖୁବଶୀଘ୍ର ଏହି କାମ ତ୍ବରାନ୍ବିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *