ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଅନୁଦାନ, ଧାରକରଜ କରି ସମ୍ପୂର୍ଣ୍ଣ କରୁଛନ୍ତି ଘର କାମ

ହାଟଡିହି : ହାଟଡିହି ବ୍ଲକ୍‌ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଆବାସ ଯୋଜନାରେ ଘର ନିର୍ମାଣ କରିଥିବା ହିତାଧିକାରୀମାନେ ଅନୁଦାନ ପାଉନଥିବା ଅଭିଯୋଗ କରିଛନ୍ତି । ଧାରକରଜ କରି ଘର କାମ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀମାନେ ଏବେ ଲୋକଙ୍କ ଠାରୁ ନେଇ ଋଣ ପରିଶୋଧ ନକରିପାରି ଅଡ଼ୁଆରେ ପଡ଼ିଛନ୍ତି । ୩ ବର୍ଷ ହେଲା ହିତାଧିକାରୀମାନେ ଆବାସ ଅନୁଦାନ ପାଇଁ ବ୍ଲକ୍‌ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନାହାନ୍ତି ।

ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ୨୦୧୫-୧୬ ଆର୍ଥିକ ବର୍ଷରେ ୭୫୦ଟି ଖଣିକ୍ଷତିଗ୍ରସ୍ତ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିଲା । ଏଥିରୁ ୬୨୩ଟି ଘର କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଆଉ ୧୨୭ଟି ଅସମ୍ପୂର୍ଣ୍ଣ ରହିଛି । ଅନେକ ହିତାଧିକାରୀ ଆର୍ଥାଭାବରୁ ଘର କାମ ସମ୍ପୂର୍ଣ୍ଣ କରିପାରି ନାହାନ୍ତି । ଘର କାମ ସମ୍ପୂର୍ଣ୍ଣ କରିବାକୁ ବ୍ଲକ୍‌ ପକ୍ଷରୁ ପ୍ରଥମେ ରୁଙ୍ଗଟା ଓ ପରେ ଓଏମ୍‌ସିକୁ ନିର୍ଦେଶ ଦିଆଯାଇଥିଲା । କିନ୍ତୁ କୌଣସି ସଂସ୍ଥା ଏହି ଘର କାମ କରିନଥିଲେ । ପରବର୍ତ୍ତୀ ସମୟରେ ଅସମ୍ପୂର୍ଣ୍ଣ ଥିବା ୧୨୭ଟି ଘର ମଧ୍ୟରୁ କିଛି ହିତାଧିକାରୀ ଧାରକରଜ କରି କାମ ସମ୍ପୂର୍ଣ୍ଣ କଲେ । କାମ ସରିବା ବ୍ଲକ୍‌ ପକ୍ଷରୁ ଅନୁଦାନ ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଘର ବାବଦ ଅନୁଦାନ କିମ୍ବା ନିଅଁ ଖୋଳିବା ପାଇଁ ମନରେଗା ଯୋଜନାରେ ଆସୁଥିବା ଅନୁଦାନ ହିତାଧିକାରୀମାନେ ପାଇଲେ ନାହିଁ ।

ଆତୁରିକୋଣା ଗ୍ରାମର ଅହଲ୍ୟା ପଲେଇ ତିନି ବର୍ଷ ହେଲା ଘର କାମ ସମ୍ପୂର୍ଣ୍ଣ କରିଥିଲେ ବି ଅନୁଦାନ ରାଶି ୩୦ ହଜାର ଓ ମନରେଗା ଯୋଜନା ଅନୁଦାନ ୧୬ ହଜାର ଏପରି ୪୬ ହଜାର ଟଙ୍କା ପାଇନାହାନ୍ତି । ଏହି ଗରିବ ପରିବାର ପାଇଁ ପକ୍କାଘର ସ୍ୱପ୍ନ ଥିବାବେଳେ ସରକାର ଘର ଯୋଗାଇଦେଲେ, କିନ୍ତୁ ତାହା ଏବେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି ବୋଲି ଅହଲ୍ୟା କହିଛନ୍ତି । ଋଣ ଦେଇଥିବା ସାହୁକାରମାନେ ଆସି ଟଙ୍କା ମାଗୁଥିବା ବେଳେ, ମୂଲ ଲାଗି ପରିବାର ଚଳାଉଥିବା ଅହଲ୍ୟା ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ସେହିପରି ଏହି ଗାଁର ତନୁ ପାତ୍ର, ବଙ୍ଗାଳି ପାତ୍ର, ବିଶ୍ୱନାଥ ସାହୁ, ରମ୍ଭା ପାତ୍ର, ଗୀତାଞ୍ଜଳି ରାଉତଙ୍କ ମଧ୍ୟ ସମାନ ଅବସ୍ଥା । ସେମାନେ ଘର କାମ ସମ୍ପୂର୍ଣ୍ଣ କରିବା ପରେ କନିଷ୍ଠ ଯନ୍ତ୍ରୀ ବିଲ୍‌ କରିଦେଇଛନ୍ତି । ହେଲେ ଆବାସ ଯୋଜନା ସେକ୍ସନରେ କାମ କରୁଥିବା ଜଣେ କର୍ମଚାରୀ ଏହି ଫାଇଲଗୁଡିକ ପକାଇଦେଇ ସମୟ ଗଡ଼ାଇ ଚାଲିଛନ୍ତି ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ସେହିପରି ପଢ଼ିଆରିପଲ୍ଲୀ ଗ୍ରାମର ରଣଜିତ ରାଉତ ଘର କାମ ସମ୍ପୂର୍ଣ୍ଣ କରିଥିଲେ ବି ଲକ୍ଷେ ଟଙ୍କା ପାଇଛନ୍ତି । ବଳକା ୩୦ ହଜାର ଟଙ୍କା ପାଇଁ ବାରମ୍ବାର ବ୍ଲକ୍‌ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେହେଣି । ପୂର୍ବରୁ ଆଜିକାଲି ହେବ ବୋଲି କର୍ମଚାରୀ ଜଣଙ୍କ କହୁଥିଲେ । ଏବେ ଫାଇଲ୍‌ ମିଳୁନଥିବା କହୁଛନ୍ତି ।

ସେହିପରି ଗ୍ରାମର ପଦ୍ମାବତୀ ପଲେଇ ଆବାସ ଯୋଜନାରେ ଘର ପାଇବା ପରେ କାମ ଆରମ୍ଭ କରିଥିଲେ । ନିମଟାଲ୍‌ ପର୍ଯ୍ୟନ୍ତ ସେ କାମ କରିଛନ୍ତି । ତାଙ୍କୁ ମାତ୍ର ଦୁଇଟି କିସ୍ତିରେ ୫୫ ହଜାର ଟଙ୍କା ଦିଆଯାଇଛି । ସରକାରୀ ନିୟମ ଅନୁସାରେ ନିମଟାଲ୍‌ ପକାଇବା ପରେ ତାଙ୍କୁ ଆଉ ୪୫ ହଜାର ଟଙ୍କା ଦିଆଗଲେ ସେ ଛାତ ପକାଇବେ । ସେ ଟଙ୍କା ପାଉନଥିବାରୁ ଘରର ଛାତ ପକାଇପାରୁ ନାହାନ୍ତି । ଏକ ଭଙ୍ଗା ଚାଳିଆରେ ରହୁଛନ୍ତି । ଏହି ପଞ୍ଚାୟତର ୫୦ ରୁ ଊର୍ଦ୍ଧ୍ବ ବ୍ୟକ୍ତି ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *