ନୀଳଗିରି : ଗୋଟିଏ ଜୁଏଲାରୀରୁ ଗହଣା ଚୋରାଇବା ପରେ ତାକୁ ପାଖରେ ଥିବା ଅନ୍ୟ ଏକ ଦୋକାନୀକୁ ବିକ୍ରି କରାଯାଇଥିଲା । ଚୋରା ପାଉଁଜି କିଣିବା ଘଟଣାରେ ଫସି ଚୋର ସହ ଜୁଏଲାରୀ ମାଲିକ ଜେଲ ଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରରେ ଥିବା ଜୁଏଲାରୀରୁ ଅଙ୍କୁରଖୁଣ୍ଟା ଗାଁର ଲକ୍ଷ୍ମୀଧର ନାୟକ(୩୮) ଅନ୍ୟ ଜଣେ ସହଯୋଗୀଙ୍କ ସହ ଯାଇ ଗହଣା ଦେଖିବା ବାହାନାରେ ଏକ ପାଉଁଜି ଚୋରି କରିଥିଲେ । ପରେ ସେହି ବଜାରରେ ଥିବା ଜୁଏଲାରୀକୁ ଏହି ପାଉଁଜିଟି ୧୨ ଶହ ଟଙ୍କାରେ ବିକ୍ରି କରିଥିଲେ । ସିସି କ୍ୟାମେରାରେ ଏହି ଘଟଣା ଦେଖିବା ପରେ ଜୁଏଲାରୀ ମାଲିକ ନୀଳଗିରି ଥାନାରେ ଏକ ଏତଲା ଦେଇଥିଲେ ।
ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ଉକ୍ତ ଘଟଣାରେ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ପରେ ନିର୍ଦେଶ ପାଇ ଈଶ୍ୱରପୁର ଫାଣ୍ଡି ଏଏସଆଇ ଖଗେନ ମହାଳିକ ଅନ୍ୟ ଏକ ଜୁଏଲାରୀ ମାଲିକ ଚନ୍ଦନ ରଣା(୩୧)କୁ ଗିରଫ କରି ଉଭୟ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଛନ୍ତି । ଉକ୍ତ ଚୋରି ଘଟଣାରେ ଅନ୍ୟତମ ସହଯୋଗୀ ଜଣକ ଫେରାର ଅଛି । ପୁଲିସ ପକ୍ଷରୁ ଚୋରି ପାଉଁଜି ଉଦ୍ଧାର କରାଯାଇଥିବା ବେଳେ, ଜୁଏଲାରୀ ଉକ୍ତ ଘଟଣାରେ କୌଣସି କାଗଜପତ୍ର ଦେଖାଇ ପାରିନାହିଁ । ଏହି ଜୁଏଲାରୀ ବିଭିନ୍ନ ସମୟରେ ଚୋରା ଗହଣା କିଣି ବିକ୍ରି କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେହିପରି ସରକାରଙ୍କୁ ଜିଏସଟି ଫାଙ୍କି ଗରାଖଙ୍କୁ କମ ଦରରେ ଗହଣା ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ଖୋଳତାଡ଼ ଆରମ୍ଭ କରିଥିବା ସୂଚନା ମିଳିଛି ।
