ପୁରୀ : ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ଖୋଲା ଥିଲା । ବାହାରୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ବି ବୁଲି ଘରକୁ ଫେରୁଥିଲେ । କିନ୍ତୁ କୋଭିଡ୍ ପାଇଁ ୩ ବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି । ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲେ ବି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ଅନ୍ୟପଟେ ଏପରି କରି ଶ୍ରୀମନ୍ଦିର ପ୍ରଶାସନ ଦୁର୍ନୀତିର ବାଟ ଖୋଲିଦେଇଛି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହାର ପୂର୍ଣ୍ଣ ଫାଇଦା ଉଠାଉଛନ୍ତି । ହାତଗୁଞ୍ଜା ନେଇ ବାହାରୁ ଆସୁଥିବା ଅଜଣା ଭକ୍ତମାନଙ୍କୁ ଗଳିଆ ବାଟରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଛାଡ଼ୁଛନ୍ତି । ଏ ସଂପର୍କରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହିଁ ।
ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ବିଭିନ୍ନ ମହଲରୁ ଦାବି ପରେ କିଛି ମାସ ତଳେ ଶ୍ରୀମନ୍ଦିର ପରିଚାଳନା କମିଟି ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଥିଲା । ଏ ଭିତରେ ତିନିମାସ ବିତିଥିଲେ ବି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନି । ଏବେବି ଶ୍ରୀଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି । କିଛି ଜେଟିପିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଫାଟକରେ ଜଗାରଖା ପାଇଁ ନିୟୋଜିତ କରାଯାଇଛି । ଏମାନେ ଜଗିବା ବଦଳରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଛୋଟଦ୍ବାର ଦେଇ ବାହାରୁ ଆସୁଥିବା ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଛାଡ଼ୁଛନ୍ତି । ଯେଉଁଠି ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିଛି, ସେଠି ନିର୍ଦ୍ଧିଷ୍ଟ ଭକ୍ତଙ୍କୁ ଛୋଟ ଦ୍ବାର ମନ୍ଦିର ଦେଇ ଛାଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏହି ଭକ୍ତମାନେ ହାତଗୁଞ୍ଜା ଦେଇ ମନ୍ଦିର ଭିତରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଦାବି ହୋଇଛି ।
