ଗଞ୍ଜାମରେ ଇକୋ-ରିଟ୍ରିଟର ପ୍ରହସନ

ଚିକିଟି : ଏକାଦିନରେ ରାଜ୍ୟର ୭ ଟି ସ୍ଥାନରେ ଉଦଘାଟନ ହୋଇଥିବା ଇକୋ-ରିଟ୍ରିଟ ବ୍ୟବସ୍ଥା ଏବେ ଗଞ୍ଜାମରେ ଏକପ୍ରକାର ପ୍ରହସନ ପାଲଟିଛି । ଉଦଘାଟନ ପରଠୁ ଗଞ୍ଜାମ ଜିଲାର ପାତିସୁନାପୁର ଇକୋ-ରିଟ୍ରିଟରେ ପର୍ଯ୍ୟଟକ ରହିବା ତ ଦୂରର କଥା ବର୍ତ୍ତମାନ ସୁଦ୍ଧ।​‌​‌ କାମ ଶେଷ ହୋଇନି । ପ୍ରଶାସନ ତରବରିଆ ଭାବେ କାମ ନସରୁଣୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଇଦେଇଥିଲେ; କିନ୍ତୁ ପ୍ରକୃତରେ ଏହି ପ୍ରକଳ୍ପ ଆଜି ସୁଦ୍ଧା ଅସମ୍ପୂର୍ଣ୍ଣ ରହିଛି । ଜିଲା ପ୍ରଶାସନ ଘନଘନ ପରିଦର୍ଶନ କରି ସମୀକ୍ଷା କରୁଛି । କିନ୍ତୁ କାର୍ଯ୍ୟରେ ଅଗ୍ରଗତି ହେଉନି କି କାମ ଶେଷ ହେବାର ନା ଧରୁନି । ଏହା ପଛରେ କି ରହସ୍ୟ ରହିଛି ତାହା ଅଜଣା । ଏଠାରେ ରହିବାକୁ ଚାହୁଁଥିବା ପର୍ଯ୍ୟଟକ ବୁକିଂ ମଧ୍ୟ କରି ପାରୁ ନାହଁ।ନ୍ତି । ଉଦ୍‌ଘାଟନ ଦିନ ଜଣେ ପର୍ଯ୍ୟଟକ ବୁକିଂ କରି ଏଠାକୁ ରହିବାକୁ ଆସିଥିଲେ । ହେଲେ କାର୍ଯ୍ୟଶେଷ ହୋଇନଥିବା କାରଣରୁ ତାଙ୍କୁ ଅନ୍ୟ ଏକ ଇକୋ-ରିଟ୍ରିଟକୁ ପଠାଇ ଦିଆଯାଇଥିଲା । ତୁରନ୍ତ କାର୍ଯ୍ୟ ସାରିବାକୁ ଗଞ୍ଜାମ ଜିଲାପାଳ ତାଗିଦ କରିଥିଲେ ସୁଦ୍ଧା କିଛି ଫରକ ପଡ଼ିନି । ଉଦଘାଟନକୁ ୨୦ ଦିନ ବିତି ଯାଇଛି । ତଥାପି ଏହା ବ୍ୟବହାର ଉପଯାଗୀ ହୋଇନାହିଁ । ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ଏହି ବ୍ୟବସ୍ଥାର ଏଭଳି ବିକଳ ଚିତ୍ରକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଠିକାଦାର ପ୍ରୀତିରୁ ପାତିସୁନାପୁର ଇକୋ ରିଟ୍ରିଟ ବିଫଳତାର କାରଣ ବୋଲି କୁହାଯାଉଛି । ଗତବର୍ଷ ଡିସେମ୍ବର ମାସ ୧୫ ତାରିଖରେ ଏହା ଲୋକାର୍ପିତ ହୋଇଥିଲା । ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପର୍ଯ୍ୟଟକଙ୍କ ପାଇଁ ସର୍ବନିମ୍ନ ସୁବିଧା ରାସ୍ତା, ଆଲୋକୀକରଣ, ପିଇବା ପାଣି ଆଦି କାମ ଅଧୁରା ରହିଛି । ବିଶ୍ୱସ୍ତ ସୂତ୍ର ଅନୁଯାୟୀ ଇକୋ ରି-ଟ୍ରିଟ ପାଇଁ ଠିକା ନେଇଥିବା ରାଜସ୍ଥାନ ଆଜମେରର ସନସେଟ ଡିଜିରେଟ କ୍ୟାମ୍ପ ସଂସ୍ଥା ନିମ୍ନମାନର ତମ୍ବୁ ତିଆରି କରିଛି । ଯାହା ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଆରାମ ଦେବାରେ ଅସମର୍ଥ । ଜିଲାପାଳ ଓ ପର୍ଯ୍ୟଟନ ବିଭାଗର ଏକ ଦଳ ସମୀକ୍ଷା କରିବା ପରେ ଏଭଳି ସ୍ଥିତି ଜାଣିବାକୁ ପାଇଥିବା ଜଣାପଡିଛି । ଏ ସବୁ ସମସ୍ୟା କେବେ ସୁଧୁରିବ ଏବଂ ବୁକିଂ କେବେ ଆରମ୍ଭ ହେବା ସେ ନେଇ କାହା ପାଖରେ ସଠିକ ଖବର ନାହିଁ । ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ଅନ୍ଧାରରେ ବାଡି ବୁଲାଉଛନ୍ତି । ଦେଖୁ ଦେଖୁ ଜାନୁଆରୀ ମାସ ୫ ତାରିଖ ହେଲାଣି । ଶୀତର ପ୍ରକୋପ ବି ଆଗାମୀ ଦିନରେ ହ୍ରାସ ପାଇବ । ସେ ସମୟ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ନା ହେବନି ତାହା ବି ସନ୍ଦେହ । ଠିକାଦାର ପ୍ରୀତି ଯୋଗୁ ଆଜି ପାତି ସୁନାପୁର ଇକୋ ରିଟ୍ରିଟ ବିଫଳ ହେବାକୁ ଯାଉଛି । ମୁଁ କ୍ଷେତ୍ରରେ କାମ କରିବା ଲୋକ । କାହିଁକି କାମ ଅସମ୍ପୂର୍ଣ୍ଣ ରହିଛି ତାହା ନିର୍ଦେଶକଙ୍କୁ ପଚାରନ୍ତୁ ବୋଲି ଇକୋ ରି-ଟ୍ରିଟର ଅସମ୍ପୂର୍ଣ୍ଣତା ଉପରେ ପର୍ଯ୍ୟଟନ ବିଭାଗର ଜିଲା ସହକାରୀ ନିର୍ଦେଶକ କରିଛନ୍ତି । ଏନେଇ ପର୍ଯ୍ୟଟନ ବିଭାଗର ନିର୍ଦେଶକଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବ୍ୟକ୍ତିଗତ ସହାୟକ ଫୋନ ଉଠାଇ ଆମେ ଭୁବନେଶ୍ୱରରେ ରହିଲୁ, ସୁନାପୁର ଇକୋ ରି-ଟ୍ରିଟ କାହିଁକି କାର୍ଯ୍ୟକ୍ଷମ ହୋଇପାରିନି ତାହା ସ୍ଥାନୀୟ ପ୍ରଶାସନକୁ ପଚାରନ୍ତୁ ବୋଲି କହିଥିଲେ । ଏନେଇ ଆମେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଯୋଗାଯୋଗ ପାଇଁ ବହୁବାର ଚେଷ୍ଟା କରିଥିଲୁ; କିନ୍ତୁ ସେ ଫୋନ ଉଠାଇନଥିଲେ । ଇକୋ-ରିଟ୍ରିଟ୍‌କୁ ନେଇ ବିଭାଗ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ପ୍ରତୀୟମାନ ହୋଇଛି । ପ୍ରକୃତରେ କେଉଁଠି ଅସୁବିଧା ରହିଛି ସେ ସମ୍ପର୍କରେ କହିବାକୁ ସଭିଏଁ ପଛଘୁଞ୍ଚା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *