ବାଲିଆପାଳ : ବାଲିଆପାଳ ଥାନା ଗୁନାପୁର ଗ୍ରାମର ଧର୍ମପ୍ରାଣ ସମାଜ ସେବୀକା ସୁଲୋଚନା ଗିରିଙ୍କ ମଙ୍ଗଳବାର ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ହଠାତ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ଯୋଗୁଁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ପ୍ରପୌତ୍ର ରାଜ ବର୍ଦ୍ଧନ ଗିରି ମୁଖାଗ୍ନି ଦେଇଥିଲେ । ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ । ଖୁବ ଅଳ୍ପ ବୟସରୁ ସେ ବିଧବା ହୋଇଥିଲାବେଳେ, ପୁତୁରା ସ୍ବର୍ଗତଃ ହରେକୃଷ୍ଣ, ପ୍ରଶାନ୍ତ ଓ ସୁକାନ୍ତଙ୍କ ଦ୍ଵାରା ପ୍ରତିପାଳିତ ହୋଇଆସିଥିଲେ । ସାହି ପଡ଼ୋଶୀଙ୍କୁ ଏକାଠି କରି କାର୍ତ୍ତିକ ଓ ପଞ୍ଚୁକ ବ୍ରତ ଆୟୋଜନ କରୁଥିଲେ । ତେନ୍ତୁଲା ମହାଦେବ ମନ୍ଦିରର ପ୍ରତିଷ୍ଠାତା ଥିଲେ । ତାଙ୍କ ନାମରେ ବାଲିଆପାଳ ଠାରେ ଏକ ମହିଳା କଲେଜ ପ୍ରତିଷ୍ଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ତାହା ଲଷ୍ମୀପ୍ରିୟା ମହିଳା କଲେଜକୁ ରୂପାନ୍ତରିତ ହୋଇଛି । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଅଧ୍ୟାପକ ସୁକାନ୍ତ ଗିରି, ଡକ୍ଟର ପ୍ରଶାନ୍ତ ଗିରି, ପୁତୁରା ବୋହୂ ଭାନୁମତୀ ଗିରି, ଅଧ୍ୟାପିକା ସୁଦୀପ୍ତା ବିଶ୍ୱାଳ, ସୁଷମା ରାଣୀ ମହାନ୍ତି, ଭଣଜା କୃଷ୍ଣ ପ୍ରସାଦ ନାୟକ, ଶୁଭେନ୍ଦୁ ଗିରି, ସତ୍ୟ ସାଧନା ଗିରି, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।
